ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଡମିଣ୍ଟନ କିମ୍ବଦନ୍ତୀ ପୁଲେଲା ଗୋପୀଚାନ୍ଦ ଶୁକ୍ରବାର ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ଏହି ଅବସରରେ ଓଡ଼ିଶା ସାଇ ରିଜିଓନାଲ ବ୍ୟାଡମିଣ୍ଟନ ଏକାଡେମୀ ଏବଂ ପୁଲେଲା ଗୋପୀଚାନ୍ଦ ଫାଉଣ୍ଡେସନ ସହ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଏକାଡେମୀ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଏହି ରାଜିନାମା ସ୍ୱାକ୍ଷର ହୋଇଛି।

ଏମଓୟୁ ସ୍ୱାକ୍ଷର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା। ସଚିବାଳୟର କନଫରେନ୍ସ ହଲ୍‌ରେ ଆୟୋଜିତ ‘ପରିସୀମା ବାହାର’ ଶୀର୍ଷକରେ ବକ୍ତୃତା ପ୍ରଦାନ କରିଥିଲେ ଗୋପୀଚାନ୍ଦ। ଏହାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର କ୍ରୀଡ଼ାବିତମାନେ ଦେଖିବାକୁ ପାଇଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍‌ର କଫି ଟେବୁଲ୍‌ ବୁକ୍‌ର ଉନ୍ମୋଚନ କରିଛନ୍ତି ଗୋପୀଚାନ୍ଦ।

“ଓଡ଼ିଶାରେ ବ୍ୟାଡମିଣ୍ଟନର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା କ୍ରୀଡ଼ାବିତମାନଙ୍କୁ ଆଗକୁ ଯିବା ପାଇଁ ଉତ୍ସାହିତ କରିବ। ଆଗାମୀ ଦିନରେ ଓଡ଼ିଶାରୁ ଭଲ ବ୍ୟାଡମିଣ୍ଟନ ଖେଳାଳି ବାହାରିବେ ବୋଲି ଆଶା ରହିଛି”, କହିଛନ୍ତି ଗୋପୀଚାନ୍ଦ।

“ପୁଲେଲା ଗୋପୀଚାନ୍ଦ ଏକାଡେମୀ ସହ ଏମ୍ଓୟୁ ସ୍ୱାକ୍ଷର କରି ଆମେ ଖୁସି। ଏହାଦ୍ୱାରା ଆଗାମୀ ଦିନରେ ଓଡ଼ିଶାରୁ ଭଲ ବ୍ୟାଡମିଣ୍ଟନ ଖେଳାଳି ବାହାରି ପାରିବେ”, କହିଛନ୍ତି ଚନ୍ଦ୍ର ସାରଥୀ ବେହେରା।

LEAVE A REPLY

Please enter your comment!
Please enter your name here