ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ବୟାନ ଦେଇଛନ୍ତି। ଏହି ବୟାନ ରାଜ୍ୟ ରାଜନୀତିକୁ ସରଗରମ୍ କରିଛି।
ଅଢ଼େଇ ବର୍ଷ ତଳୁ ବିଜେଡି ମହାନଦୀ ପ୍ରସଙ୍ଗରେ ଯେଉଁ ଅଭିଯୋଗ କରୁଥିଲା ଆଜି ସେହି କଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦୁଇ ଦୁଇ ଥର ଧର୍ମେନ୍ଦ୍ର ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ଟାର୍ଗେଟ କରିଛନ୍ତି। ଜୁନ୍ ୨ ତାରିଖରେ ଭୁବନେଶ୍ୱରରେ ଏବଂ ଆଜି ସମ୍ବଲପୁରରେ ମହାନଦୀକୁ ନେଇ ବଡ଼ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଧର୍ମେନ୍ଦ୍ର।
ଅଢ଼େଇ ବର୍ଷ ହେଲା ଯେଉଁ ଧର୍ମେନ୍ଦ୍ର ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସରକାର ଏବଂ ବିଜେଡିକୁ ଦାୟୀ କରି ଆସୁଥିଲେ ସେ ହଠାତ୍ କ’ଣ ପାଇଁ ଏଭଳି ଆଭିମୁଖ୍ୟ ପୋଷଣ କଲେ ତାକୁ ନେଇ କାରଣ ଖୋଜା ଚାଲିଛି।
ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲି ଧର୍ମେ ନ୍ଦ୍ର ଓଡ଼ିଶାର ସ୍ୱାର୍ଥ କଥା ଉଠାଇଛନ୍ତି। ଏହା ହେଉଛି ସବୁଠୁ ବଡ଼ କଥା। ହେଲେ ଏତିକି କଥା କହିବା ପାଇଁ ଧର୍ମେନ୍ଦ୍ରଙ୍କୁ କାହିଁକି ଏତେଦିନ ଲାଗିଗଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ ତାଙ୍କ ଦଳ ସମର୍ଥନ ରହିଛି କି? ରାଜ୍ୟ ନେତାମାନଙ୍କ ସହ ଧର୍ମେନ୍ଦ୍ର ଏ ବିଷୟରେ ଆଲୋଚନା କରିଛନ୍ତି କି? ବୟାନ ଦେବା ପୂର୍ବରୁ ଧର୍ମେନ୍ଦ୍ର କେନ୍ଦ୍ର ନେତାମାନଙ୍କ ସହ ବିଚାର ବିମର୍ଷ କରିଛନ୍ତି କି? ଯଦି ଆଲୋଚନା କରିଛନ୍ତି ତାହାଲେ ଦଳର ଅନ୍ୟ ନେତାମାନେ କାହିଁକି ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି? ନିଜେ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି?
ଏହିସବୁ ପ୍ରଶ୍ନ ଏବେ ଓଡ଼ିଶାର ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି। ଧର୍ମେନ୍ଦ୍ର ଯାହା କହୁଛନ୍ତି ତାହା ତାଙ୍କ ଦଳର ଭାଷା କି ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି। ଯଦି ଧର୍ମେନ୍ଦ୍ର ଛତିଶଗଡ଼ ଭୁଲ୍ କରିଛି ବୋଲି ସ୍ୱୀକାର କରୁଛନ୍ତି ତାହାଲେ ତାଙ୍କର ଆଗାମୀ ପଦକ୍ଷେପ କ’ଣ ସେ ବିଷୟରେ ସ୍ପଷ୍ଟ କରିବାକୁ ଦାବି ହେଉଛି।
ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସିଥିଲେ। ଆଶା କରାଯାଉଥିଲା ମହାନଦୀ ଜଳ ବିବାଦ ସମ୍ପର୍କରେ କିଛି କହିବେ। ଛତିଶଗଡ଼ର ବେଆଇନ ପ୍ରକଳ୍ପ ବିଷୟରେ ଉଦବୋଧନ ଦେଇ ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବେ। ହେଲେ ସେମିତି କିଛି ଘଟିଲା ନାହିଁ। ମୋଦି ମହାନଦୀ ବିଷୟରେ କହିଲେ ଏବଂ ଓଡ଼ିଶା ସରକାରଙ୍କ ମୁଣ୍ଡରେ ଦୋଷ ଲଦି ଦିଲ୍ଲୀ ଚାଲିଗଲେ।
ମୋଦି ଦିଲ୍ଲୀ ଫେରିଯିବାର ଦୁଇ ଦିନ ପରେ ଧର୍ମେନ୍ଦ୍ର ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ସରକାର ଭୁଲ୍ କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ଯଦି ଧର୍ମେନ୍ଦ୍ର ତାଙ୍କ ଦଳର କଥା କହୁଛନ୍ତି ତାହାଲେ ପ୍ରଧାନମନ୍ତ୍ରୀ କାହିଁକି କିଛି କହିଲେ ନାହିଁ ବୋଲି ଆଲୋଚନା ଜୋର୍ ଧରିଛି।
ବଡ଼ କଥା ହେଉଛି ମହାନଦୀ ଲଢ଼େଇକୁ ବିଜେଡି ଜୋରଦାର କରିଛି। ଉଭୟ ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରି ଆସିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ମହାନଦୀର ଦୁର୍ଦ୍ଦଶା ପାଇଁ ବିଜେପିକୁ ଦାୟୀ କରିଛନ୍ତି। ୨୦୧୯ ପାଇଁ ବିଜେଡି ମହାନଦୀକୁ ଅସ୍ତ୍ର କରିଥିବାରୁ ଧର୍ମେନ୍ଦ୍ର ପଛରେ ପଡ଼ିବାକୁ ଚାହୁଁ ନାହାନ୍ତି। ସେ ଯୁଆଡ଼େ ଯାଉଛନ୍ତି ସେଠାରେ ମଣମାଧ୍ୟମ ପ୍ରତିନିଧିମାନେ ମହାନଦୀ ପ୍ରସଙ୍ଗରେ ପ୍ରଶ୍ନ ପଚାରୁଛନ୍ତି। ଫଳରେ ଧର୍ମେନ୍ଦ୍ର ଏହାକୁ ଏଡ଼ାଇ ପାରୁ ନାହାନ୍ତି।
ମହାନଦୀ ଉପରେ ଓଡ଼ିଶାର ଜୀବନ ଜୀବିକା ନିର୍ଭର କରୁଥିବାରୁ ଧର୍ମେନ୍ଦ୍ର ଏହି ପ୍ରସଙ୍ଗକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ଫଳରେ ସେ ପାର୍ଟି ଅପେକ୍ଷା ନିଜ ମାଟିର ସ୍ୱାର୍ଥ ରକ୍ଷା ପାଇଁ ଆଗେଇ ଆସିଥିବା କୁହାଯାଉଛି। ହେଲେ ତାଙ୍କ ବୟାନ ପଛରେ ଯଦି ଦଳର ଶୀର୍ଷ ନେତୃବୃନ୍ଦଙ୍କ ସମର୍ଥନ ନଥିବ ସେ କିପରି ଆଗକୁ ଆଗେଇବେ ତାହା ହିଁ ଚର୍ଚ୍ଚାର ବିଷୟ ହୋଇଛି।








ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ବୟାନ ଦେଇଛନ୍ତି। ଏହି ବୟାନ ରାଜ୍ୟ ରାଜନୀତିକୁ ସରଗରମ୍ କରିଛି।









