ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜିଲ୍ଲାପାଳଙ୍କ ମନ୍ତବ୍ୟ ବଢ଼ାଇଲା ବିବାଦ
  • ଡୁପ୍ଲିକେଡ ଚାବି କୁଆଡ଼ୁ ଆସିଲା?
  • ଅରିଜିନାଲ ଚାବି କୁଆଡ଼େ ଗଲା?
  • ରେକର୍ଡ ରୁମ୍‌ ଲକର୍‌ରେ କେବେଠୁ ରହିଲାଣି ଚାବି?
  • ଜିଲ୍ଲା ପ୍ରଶାସନ କାହିଁକି ଖୋଜି ନଥିଲା ଚାବି?
  • ମିଳିଥିଲା ଚାବି ରତ୍ନଭଣ୍ଡାରର ତ?

ବହୁ ବାଦବିବାଦ ଏବଂ ବିତର୍କ ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ମିଳିଛି। ତାହା ପୁଣି ଜିଲ୍ଲା ରେକର୍ଡ ରୁମ୍ ଲକର୍‌ରୁ ମିଳିଛି। ଏହି ଖବର ଜଣାପଡ଼ିବା ପରେ ଆଶା କରାଯାଉଥିଲା ଚାବି ବିବାଦର ଅନ୍ତ ଘଟିବ। ହେଲେ ଜିଲ୍ଲାପାଳ ବିବୃତି ଦେବା ପରେ ଚାବିକୁ ନେଇ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଏବେ ବିରୋଧୀଙ୍କ ଟାର୍ଗେଟରେ ପୁରୀ ଜିଲ୍ଲାପାଳ ରହିଛନ୍ତି।

ଜିଲ୍ଲାପାଳ କହିଲେ, “ଜିଲ୍ଲା ରେକର୍ଡ ରୁମ୍‌ ଲକର୍‌ରୁ ଆମେ ରତ୍ନଭଣ୍ଡାର ଚାବି ପାଇଛୁ। ହେଲେ ଏହା ଡୁପ୍ଲିକେଟ ଚାବି। ୨ଟି ଟିମ୍ ୫ ଦିନ ହେଲା ଖୋଜୁଥିଲେ। ଆଜି ଏହି ଚାବିକୁ ଜଉମୁଦ ଦିଆ ଲଫାପାରୁ ପାଇଛୁ।”

ଜିଲ୍ଲାପାଳଙ୍କ ଏହି ଦୁଇ ଧାଡ଼ିଆ ମନ୍ତବ୍ୟ ପୂରା ଘଟଣାକୁ ପୁଣି ରହସ୍ୟମୟ କରିଦେଇଛି। ଡୁପ୍ଲିକେଟ୍ ଚାବି କ’ଣ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

“ଗୋଟେ ତାଲାର ଦୁଇଟି ମୂଳ ଚାବି ରହିଥାଏ। ହେଲେ ଜିଲ୍ଲାପାଳ ଡୁପ୍ଲିକେଟ ଚାବି କାହିଁକି କହୁଛନ୍ତି। ଯଦି ଏହା ଡୁପ୍ଲିକେଟ ଚାବି ତାହାଲେ ମୂଳ ଚାବି କୁଆଡ଼େ ଗଲା? ଅଚାନକ ଚାବି ଜିଲ୍ଲା ରେକର୍ଡ ରୁମ୍‌କୁ କୁଆଡ଼ୁ ଆସିଲା? ଜିଲ୍ଲାପାଳ ପ୍ରଥମେ ଡୁପ୍ଲିକେଟ୍ ଚାବି ଉପରୁ ରହସ୍ୟ ହଟାନ୍ତୁ”, କହିଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା।

ଚାବି ଅଚାନକ କୁଆଡ଼ୁ ଆସିଲା?

ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ପରେ ଭୁବନେଶ୍ୱରରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ହିଁ ଜଣାପଡ଼ିଥିଲା ଭିତର ରତ୍ନଭଣ୍ଡାର ଚାବି ନାହିଁ। ନିଜେ ଜିଲ୍ଲାପାଳ ଏ ସମ୍ପର୍କରେ ବୈଠକରେ କହିଥିଲେ। ଏହାପରେ ଜିଲ୍ଲା ପ୍ରଶାସନର ଅଧିକାରୀ ଚାବି କୁଆଡ଼େ ଗଲା ସେନେଇ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। କିନ୍ତୁ ଚାବି ପାଇ ନଥିଲେ। ତେବେ ଅଚାନକ ଚାବି ରେକର୍ଡ ରୁମ୍ ଲକର୍‌କୁ କୁଆଡୁ ଆସିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯଦି ରେକର୍ଡ ରୁମ୍‌ରେ ଚାବି ଥିଲା ତାହାଲେ ଜିଲ୍ଲା ପ୍ରଶାସନର କର୍ମକର୍ତ୍ତା କେମିତି ପାଇଲେ ନାହିଁ? ଜିଲ୍ଲାପାଳଙ୍କ ତନ୍ନ ତନ୍ନ ଯାଞ୍ଚ କରିବା କଥା ସତ ନା ମିଛ?

ଏହି ଚାବିକୁ ନେଇ ରାଜ୍ୟ ସରକାର ବର୍ତ୍ତମାନ କାଠଗଡ଼ାରେ ଛିଡ଼ା ହୋଇଛନ୍ତି। ଚାବି ନମିଳିବାରୁ ସରକାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି। ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେବା ପୂର୍ବରୁ ଜିଲ୍ଲାପାଳ କ’ଣ ପାଇଁ ଟିମ୍ ଗଠନ କରି ନଥିଲେ? ଏବେ ହଠାତ୍ ଟିମ୍ ଗଠନ କରି ଚାବି କାହିଁକି ଖୋଜିଲେ? ଏପ୍ରିଲ ୪ ତାରିଖରୁ କ’ଣ ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ କର୍ମକର୍ତ୍ତା ଚାବି ଖୋଜି ନଥିଲେ?

ଚାବି ହଜିଥିଲା ନା ଚୋରି ହୋଇଥିଲା?

ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିବା ପରେ ସାଧାରଣ ଲୋକ ଏବଂ ଜଗନ୍ନାଥପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି। ତାହା ହେଉଛି ପ୍ରକୃତରେ ଚାବି ହଜିଥିଲା ନା ଚୋରି ହୋଇଥିଲା? ଚାବି ଯଦି ହଜିଥିଲା କିଏ ହଜାଇଥିଲା? ଯଦି ହଜିଥିଲା ହଠାତ୍ ରେକର୍ଡ ରୁମ୍ ଲକର୍‌ ରୁମ୍‌ରୁ କେମିତି ଆବିର୍ଭାବ ହେଲା? ନା ଜାଣିଶୁଣି ସରକାରଙ୍କୁ ରକ୍ଷା କରିବା ପାଇଁ ଚାବି ଆଣି ରେକର୍ଡ ରୁମ୍‌ରେ ରଖାଯାଇଛି? ଏହା ଏବେ ତଦନ୍ତ ପରିସରକୁ ଆସିବା ଦରକାର। ତଦନ୍ତ ହେଲେ ହିଁ ଚାବି ରହସ୍ୟ ଉପରୁ ପରଦା ହଟିପାରିବ।

ଇଏ ଭିତର ଭଣ୍ଡାର ଚାବି ତ?

ଜିଲ୍ଲା ରେକର୍ଡ ରୁମ୍‌ରୁ ଅଚାନକ ବାହାରିଥିବା ଚାବିକୁ ନେଇ ବିବାଦ ବଢ଼ିଛି। ଯେଉଁ ଚାବିକୁ ନେଇ ଚାରି ମାସ ହେଲା ପାଲା ଲାଗି ରହିଛି ତାହା ଜିଲ୍ଲା ଟ୍ରେଜେରିର ରେକର୍ଡ ରୁମ୍‌ରେ ଅଛି ତାହା କେମିତି ଜଣାପଡ଼ିଲା ନାହିଁ? ଆଜି ଯେଉଁ ଚାବି ମିଳିଛି ବୋଲି ଜିଲ୍ଲାପାଳ ଦାବି କରୁଛନ୍ତି ତାହା ଭିତର ରତ୍ନଭଣ୍ଡାର ଚାବି ତ?  ଯଦି ଭିତର ଭଣ୍ଡାରର ଚାବି ତାହାଲେ ଡୁପ୍ଲିକେଟର ପ୍ରଶ୍ନ କାହିଁକି ଉଠୁଛି? ଯଦି ଏହା ଡୁପ୍ଲିକେଟ ଅରିଜିନାଲ କୁଆଡ଼େ ଗଲା ସେନେଇ ଜିଲ୍ଲାପାଳ ସ୍ପଷ୍ଟ କରିବା ଦରକାର।

“ଜିଲ୍ଲାପାଳଙ୍କ ଭୂମିକା ସନ୍ଦେହ ବଢ଼ାଇଛି। ଭିତର ରତ୍ନଭଣ୍ଡାରରେ ତିନୋଟି ତାଲା ପଡ଼ିଛି। ଗୋଟିଏ ଜଉମୁଦ ଦିଆଯାଇଥିଲା ବେଳେ ଆଉ ଦୁଇଟିରେ ଜଉମୁଦ ନାହିଁ। ଯଦି ଜିଲ୍ଲାପାଳଙ୍କ ପାଖରେ ଚାବି ଥିଲା ତାହାଲେ ସେ ଆଗରୁ କାହିଁକି କହୁ ନଥିଲେ। ଜିଲ୍ଲାପାଳଙ୍କ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଳି ପଡ଼ିଛନ୍ତି”, କହିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

୧୯୮୫ ମସିହା ପରଠୁ ଭିତର ଭଣ୍ଡାର ଖୋଲାଯାଇ ନଥିଲା। ଗତ ଏପ୍ରିଲ ୪ରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। କିନ୍ତୁ ଭତରକୁ ଭଣ୍ଡାରକୁ ପଶି ପାରି ନଥିଲେ ଯାଞ୍ଚକାରୀ ଟିମ୍। ଭିତର ଭଣ୍ଡାରକୁ କାହିଁକି ପଶିପାରିଲେନି ସେ ସମ୍ପର୍କରେ ପ୍ରଶାସନ ଗଣମାଧ୍ୟମରେ ଭଲଭାବେ ସଫେଇ ଦେଇଥିଲା। ହେଲେ ଚାବି ହଜିଥିବା ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲେ। ତେବେ ଚାବି ହଜିବା ଘଟଣା ଜଣାପଡ଼ିବା ପରେ ତନଘନା ଆରମ୍ଭ ହୋଇଛି।

ଏହି ତନଘନା ଭିତରେ ଜିଲ୍ଲାପାଳ କହିଛନ୍ତି ଚାବି ମିଳିଛି। ହେଲେ ଏହି ଚାବି ପ୍ରକୃତରେ ଭିତର ରତ୍ନଭଣ୍ଡାରର ନା ଆଇ ୱାସ କରିବା ପାଇଁ ପ୍ରଶାସନର ଚାଲ୍ ତାହା ଭଣ୍ଡାର ଘର ଖୋଲିବା ପରେ ଜଣାପଡ଼ିବ।

Comment