ଓଡ଼ିଶାଲାଇଭ୍ ବ୍ୟୁରୋ

- ସାହାଣମେଲା ଦର୍ଶନ ପରେ ପହଞ୍ଚିଥିଲେ ନିରଞ୍ଜନ
- ନିରଞ୍ଜନଙ୍କୁ ଗର୍ଭଗୃହକୁ ପାଛୋଟି ନେଇଥିଲେ ସେବାୟତ
- ସହାଣମେଲା ସମୟ ବିଷୟରେ ମୁଁ ସଚେତନ ନଥିଲି: ନିରଞ୍ଜନ
- ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବ କଲା ବ୍ରାହ୍ମଣ ନିଯୋଗ
- ମନ୍ଦିର ପ୍ରଶାସନର ତଦନ୍ତ ଆରମ୍ଭ
ଅଡ଼ୁଆରେ ପଡ଼ିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସାହାଣ ମେଲା ଦର୍ଶନ ବନ୍ଦ ଥିବା ବେଳେ ନିରଞ୍ଜନ ଗର୍ଭଗୃହକୁ ଯାଇ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିବା ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦୀୟ ହୋଇପଡ଼ିଛନ୍ତି କଂଗ୍ରେସ ନେତା।
ନିରଞ୍ଜନ କିପରି ଗର୍ଭଗୃହ ଭିତରକୁ ଗଲେ ଏବଂ କେଉଁ ପରିସ୍ଥିତିରେ ଭିଡିଓ ଉତ୍ତୋଳନ ହେଲା ତାକୁ ନେଇ ମନ୍ଦିର ପ୍ରଶାସନ ଆରମ୍ଭ କରିଛି ଖୋଳତାଡ଼।
ଆଜି ଥିଲା ରଜ ସଂକ୍ରାନ୍ତି। ଏହି ଅବସରରେ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ ପିସିସି ସଭାପତି। ହେଲେ ନିରଞ୍ଜନ ମନ୍ଦିରକୁ ପ୍ରବେଶ କରିବା ବେଳକୁ ସାହାଣମେଲା ଦର୍ଶନ ବନ୍ଦ ହୋଇ ସାରିଥିଲା। ସାହାଣମେଲା ଦର୍ଶନ ସକାଳ ୬ଟା୩୦ରୁ ୯ଟା୩୦ ପର୍ଯ୍ୟନ୍ତ ଚାଲିଥାଏ। କିନ୍ତୁ ନିରଞ୍ଜନ ପହଞ୍ଚିଥିଲେ ୧୦ଟାରେ।
ନିରଞ୍ଜନକୁ ଦେଖି କିଛି ସେବାୟତ ତାଙ୍କୁ ଗର୍ଭଗୃହ ଭିତରକୁ ପାଛୋଟି ନେଇଥିଲେ। ଏହି ସମୟରେ କେହି ଜଣେ ସ୍ମାର୍ଟ ଫୋନରେ ଏସବୁ ଦୃଶ୍ୟ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ନେଇ ଏବେ ଝଡ଼ ଉଠିଛି। ବ୍ରାଡ୍ମଣ ନିଯୋଗ ଏହାକୁ ବିରୋଧ କରି ସଂପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
“ସାହାଣମେଲାର ସମୟକୁ ନେଇ ମୁଁ ସଚେତନ ନଥିଲି। ମନ୍ଦିରରେ ପହଞ୍ଚିବା ପରେ ମୋତେ କିଛି ସେବାୟତ ପାଛୋଟି ନେଲେ। ମୁଁ ଗର୍ଭଗୃହ ଭିତରକୁ ଗଲି। ସମସ୍ତେ ଦର୍ଶନ କରୁଥିଲେ। ମୁଁ ବି ମହାପ୍ରଭୁଙ୍କୁ ଦର୍ଶନ କଲି”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।
ମନ୍ଦିର ହେଉଛି ସମସ୍ତଙ୍କର। ଏଠାରେ କାହାକୁ ଭିଆଇପି ସୁବିଧା ସୁଯୋଗ ଦେବାର ନିୟମ ନାହିଁ। ଏହି ନିୟମକୁ ଯେଉଁମାନେ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର”, କହିଛନ୍ତି ବ୍ରାଡ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି।
ଅଭିଯୋଗ ହେବା ପରେ ମନ୍ଦିର ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ପ୍ରଶାସନିକ ଅଧିକାରୀ ରାଜୀବଲୋଚନ ପରିଡ଼ା କହିଛନ୍ତି ଯେ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି। ଯିଏ ଏହି ନିୟମ ଉଲ୍ଲଂଘନ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କିଛିଦିନ ତଳେ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ଫଟୋ ସୋସିଆଲ ମିଡିଆରେ ଛାଡ଼ି କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ବିବାଦରେ ଥିଲେ। ଏହାକୁ ନେଇ ହୋ-ହଲ୍ଲା ହେବା ପରେ ସେ ତାଙ୍କ ଟୁଇଟର ପୋଷ୍ଟରୁ ଗର୍ଭଗୃହ ଫଟୋ ପ୍ରତ୍ୟାହାର କରିଥିଲେ।















