ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶାଖାପାଟଣା, (ଯଶୋବନ୍ତ ନାରାୟଣ ପାଢ଼ୀ): ଗରିବ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ଟଙ୍କିକିଆ ଚାଉଳର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ଚାଉଳ ପାଇଁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଗଡଙ୍ଗ ଓ ଗାଈଡ଼ା ଗ୍ରାମର ହିତାଧିକାରୀ ବର୍ଷ ବର୍ଷ ଧରି ସଂଘର୍ଷ କରୁଛନ୍ତି। ଚାଉଳ ପାଇଁ ଏମାନଙ୍କୁ ୨୨ କିମି ରାସ୍ତା ଚାଲିବାକୁ ପଡ଼ୁଛି। ପଞ୍ଚାୟତ ସଦରମହକୁମାରୁ ପିଡିଏସ୍‌ ସାମଗ୍ରୀ କେନ୍ଦ୍ରକୁ ଭଲ ରାସ୍ତାଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଗଡ଼ଙ୍ଗ ଓ ଗାଈଡା ଗ୍ରାମକୁ କୌଣସି ରାସ୍ତାର ସୁବିଧା ନାହିଁ। ଏହା ଆଦିବାସୀ ବହୁଳ ଅଞ୍ଚଳ ହୋଇଥିଲେ ମଧ୍ୟ ସରକାର ଏହି ଅଞ୍ଚଳର ବିକାଶ ପ୍ରତି ଆଖିବୁଜି ଦେଇଥିବା ପରି ମନେହେଉଛି। ଏହି ପଞ୍ଚାୟତ ଅଧିନରେ ରହୁଥିବା ଗ୍ରାମବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ଖାଉଟି ସାମଗ୍ରୀ, ଭତ୍ତା ଆଦି ପାଇଁ ତାଡକାସାହି ଉପରେ ନିର୍ଭର କରନ୍ତି। ତାଡକାସାହିଠାରୁ ଆଙ୍କୁଲିର ଦୂରତା ୨୨ କିଲୋମିଟରରୁ ଅଧିକ ହୋଇଥିବା ବେଳେ ଭଲ ରାସ୍ତା ନଥିବାରୁ ଲୋକେ ଯାତାୟତରେ ଅସୁବିଧା ଭୋଗୁଛନ୍ତି।

ଗଡଙ୍ଗ ଓ ଗାଈଡା ଗ୍ରାମର ଆଦିବାସୀ ଲୋକେ ପିଡିଏସ୍ ଚାଉଳ ଆଣିବା ପାଇଁ ତାଡ଼କା ସାହି ଗଲେ ସେମାନଙ୍କୁ ଗୋଟିଏ ଦିନ ସମୟ ଲାଗିଯାଏ।  ଏହି ଗ୍ରାମର ଲୋକେ ଗଜପତି ଜିଲାର ଜେ. ବଡ଼ଗାଁ, ରାମଗିରି ଓ ସିଆଳିଲଟି ଦେଇ ତାଡକାସାହି ସେଣ୍ଟରରୁ ଚାଉଳ ନେଇ ବାଦୁଆବାଡ଼ି ଗ୍ରାମରେ ପହଞ୍ଚନ୍ତି। ଏଠାରେ ରାତ୍ରିଯାପନ ପରେ ସକାଳେ ଚାଉଳ ବୋହି ଚାଲି ଚାଲି ପାହାଡ଼ ପାରି ହୋଇ ନିଜ ଗ୍ରାମରେ ପହଞ୍ଚିଥାନ୍ତି। ରାସ୍ତା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ସେମାନଙ୍କ ଦାବି ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଙ୍କୁଲିରୁ ତାଡକାସାହିକୁ ରାସ୍ତା ନିର୍ମାଣ ପାଇଁ ୨୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ୨୦୧୩ ମସିହାରେ ମନ୍ତ୍ରୀ ଉଷାଦେବୀ ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ରାସ୍ତା ନିର୍ମାଣ ଏପର୍ଯ୍ୟନ୍ତ ହୋଇପାରି ନାହିଁ।

ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବା ଦରକାର ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

Comment