ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଇଂଲଣ୍ଡ ଗସ୍ତ ଲାଗି ଭାରତୀୟ ଦିନିକିଆ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି ସୁରେଶ ରାଇନା। ରାଇନା ଦୀର୍ଘ ୩୨ ମାସର ବ୍ୟବଧାନ ପରେ ଭାରତୀୟ ଦିନିକିଆ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଆଗାମୀ ଇଂଲଣ୍ଡ ଗସ୍ତ ଲାଗି ଭାରତୀୟ ଦିନିକିଆ କ୍ରିକେଟ ଦଳରେ ସ୍ଥାନ ପାଇଥିବା ଅମ୍ବାତି ରାୟୁଡୁ ‘ୟୋ ୟୋ’ ଫିଟ୍‌ନେଶ ଟେଷ୍ଟରେ ଫେଲ୍‌ ହୋଇଛନ୍ତି। ତାଙ୍କ ସ୍ଥାନରେ ଅଭିଜ୍ଞ ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ ଏହି ଗସ୍ତ ଲାଗି ଭାରତୀୟ ଦଳରେ ସାମିଲ କରାଯାଇଛି।

ଫଳରେ ୩୧ବର୍ଷୀୟ ରାଇନା ଦୀର୍ଘ ୩୨ ମାସର ବ୍ୟବଧାନ ପରେ ଭାରତୀୟ ଦିନିକିଆ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶେଷଥର ପାଇଁ ଏହି ଉତ୍ତରପ୍ରଦେଶ ତାରକା ୨୦୧୫ ଅକ୍ଟୋବରରେ ଜାତୀୟ ଦଳ ପକ୍ଷରୁ ଦିନିକିଆ ମ୍ୟାଚ୍‌ ଖେଳିଥିଲେ।

୨୦୦୫ରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ରାଇନା ବର୍ତ୍ତମାନ ସୁଦ୍ଧା ୨୨୩ଟି ଦିନିକିଆ ମ୍ୟାଚ୍‌ ଖେଳି ୫ଟି ଶତକ ଓ ୩୬ଟି ଅର୍ଦ୍ଧଶତକ ସହ ୫୫୬୮ ରନ କରିଛନ୍ତି। ଆଗାମୀ ବର୍ଷ ଇଂଲଣ୍ଡରେ ଦିନିକିଆ ବିଶ୍ୱକପ ହେବାକୁ ଥିବାବେଳେ ରାଇନାଙ୍କ ମନୋନୟନକୁ ନେଇ ପୂର୍ବତନ ଭାରତୀୟ ଓପନର ଆକାଶ ଚୋପ୍ରା ଓ ଉଇକେଟ୍‌କିପର ଦୀପ୍‌ଦାସ ଗୁପ୍ତା ଖୁସି ଜାହିର କରିଛନ୍ତି।

ଇଂଲଣ୍ଡ ଟୁର୍‌ ଲାଗି ପୂର୍ବରୁ ଘୋଷିତ ଭାରତୀୟ ଦଳରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନି ଓ ଦୀନେଶ କାର୍ତ୍ତିକ ରହିଛନ୍ତି। ରାୟୁଡୁଙ୍କ ବଦଳ ଖେଳାଳି ଭାବେ ଫର୍ମରେ ଥିବା ରିଷଭ ପନ୍ତଙ୍କ ସ୍ଥାନରେ ରାଇନାଙ୍କୁ ସାମିଲ କରାଯିବା ଚୟନକର୍ତ୍ତାଙ୍କ ସଠିକ୍‌ ନିଷ୍ପତ୍ତି ବୋଲି ଚୋପ୍ରା ଓ ଦୀପଦାସ କହିଛନ୍ତି।

ଗତ ଆଇପିଏଲ୍‌ ସଂସ୍କରଣରେ ରାୟୁଡୁ ଦମଦାର ପ୍ରଦର୍ଶନ କରି ୬୦୨ ରନ ସଂଗ୍ରହ କରିଥିଲେ। ତେବେ ‘ୟୋ ୟୋ’ ଫିଟ୍‌ନେଶ ଟେଷ୍ଟରେ ଯୋଗ୍ୟତା ମାର୍କ ୧୬.୧ ରହିଥିବାବେଳେ ରାୟୁଡୁ ୧୪ ନମ୍ବର ରଖିଥିଲେ। ଫଳରେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here