ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ଯେତେ ପାଖେଇ ଆସିବ ବିଜେଡିରେ ସେତିକି ଅଧିକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ।

ତୃଣମୂଳ ସ୍ତରରେ ନିଜର ଶକ୍ତି ବଢ଼ାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏକ ବଡ଼ ଧରଣର ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ଏଣିକି ପ୍ରତିଦିନ ନବୀନ ନିବାସରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ।

ପଞ୍ଚାୟତ ଓ ବ୍ଲକ ସ୍ତରରେ ଯେଉଁଭଳି ଅଧିକରୁ ଅଧିକ ନେତା ଓ କର୍ମୀ ଅନ୍ୟ ଦଳରୁ ଆସି ବିଜେଡିରେ ମିଶିବେ ସେ ନେଇ ନିର୍ଦେଶ ଦିଆଯାଇଛି।

ବିଜେଡିର ଏକ ଭିତିରିଆ ସୂତ୍ର ଅନୁସାରେ ଯେତିକି ଯେତିକି ନିର୍ବାଚନ ପାଖେଇ ଆସିବ ସେତିକି ସେତିକି ଅଧିକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। କେବଳ ହେଭିୱେଟ ନୁହନ୍ତି ସାଧାରଣ କର୍ମୀଙ୍କୁ ମଧ୍ୟ ଦଳରେ ସାମିଲ କରିବା ପାଇଁ ବିଜେଡି ନେତା ମାନଙ୍କୁ କୁହାଯାଇଛି।

ବିଶେଷକରି ଯେଉଁମାନଙ୍କର ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ପ୍ରଭାବ ରହିଛି ଓ ଯେଉଁମାନେ ଆଗାମୀ ନିର୍ବାଚନରେ ଭୋଟ ଜୁଟାଇବାରେ ସାହାଯ୍ୟ କରିପାରିବେ ସେମାନଙ୍କୁ ଦଳ ଭିତରେ ନିଆଯାଉଛି। ବଡ଼ଚଣା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ କହିବା ଅନୁଯାୟୀ ୨୦୧୯ ବିଧାନସଭା ନିର୍ବାଚନ ପାଇଁ ଦଳ ପୂରା ଦମରେ ପ୍ରସ୍ତୁତି ଆରମ୍ଭ କରିଛି।

ଅନ୍ୟ ଦଳର ନେତା ଓ କର୍ମୀ ଯେଉଁମାନଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରହିଛି ସେମାନଙ୍କୁ ଦଳରେ ସାମିଲ କରାଯାଉଛି।

ବିଶେଷ କରି ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ତଥା ସେମାନଙ୍କ ସମର୍ଥନକାରୀଙ୍କ ଉପରେ ଶାସକ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟ ଗୋଟିଏ ସୂତ୍ର କହୁଛି ଯେ କଂଗ୍ରେସ ଓ ବିଜେପିର ବହୁ ପ୍ରଭାବଶାଳୀ ନେତାଙ୍କ ସହିତ କଥାବାର୍ତ୍ତା ଏବେ ଚାଲିଛି ଓ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେମାନେ ଦଳରେ ଯୋଗ ଦେବେ।

ଓଡ଼ିଶାରେ ବିଜେଡି ସବୁଠାରୁ ବଡ଼ ରାଜନୈତିକ ଦଳ ହେଲେ ହେଁ ବର୍ତ୍ତମାନର କିଛି ବିଧାୟକ ଓ ସାଂସଦଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ପ୍ରବଳ ହୋଇଛି। ଏଣୁ ବେଶ୍ କିଛି ନିର୍ବାଚନ ମଣ୍ଡଳୀରେ ନୂଆ ମୁଁହ ଦେବା ଏକ ପ୍ରକାର ନିଶ୍ଚିତ। ଯଦି ଅସନ୍ତୋଷର ଶିକାର ହୋଇଥିବା ପ୍ରାର୍ଥୀଙ୍କୁ ବଦଳା ନ ଯାଏ ନିର୍ବାଚନରେ ବିଜେଡି ବେଶ୍ କିଛି ଆସନରେ ହାରିବ ବୋଲି ଆକଳନ କରାଯାଇଛି।

ଏଣୁ ଅନ୍ୟ ଦଳର ଲୋକପ୍ରିୟ ପ୍ରାର୍ଥୀଙ୍କୁ ଦଳ ଭିତରକୁ ଆଣିବା ପାଇଁ ପ୍ରାଣପଣେ ଚେଷ୍ଟା କରାଯାଉଛି। ନିକଟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ୨୦୧୯ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ଶୀଘ୍ର କରାଯିବ। ସେହି ଘୋଷଣାକୁ ଭିତ୍ତି କରି ମିଶ୍ରଣ ପର୍ବ ଜୋରଦାର କରିବା ପାଇଁ ଉପର ସ୍ତରରେ ନିଷ୍ପତ୍ତି ନିଆଯାଇଛି।

Comment