ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଶାସକ ବିଜେଡି ଓ ବିଜେପି ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ବିବାଦ ଥମିବା ନାଁ ଧରୁନାହିଁ। ତୁମେ ଡାଳେ ଡାଳେ ଗଲେ ଆମେ ପତ୍ରେ ପତ୍ରେ ଯିବୁ ନ୍ୟାୟରେ ଦୁଇ ଦଳ ଭିତରେ ଏଇକ୍ଷଣି ଚାଲିଛି ଗେଜେଟ ବା ରାଜପତ୍ର ଯୁଦ୍ଧ।
ବିବାଦ ଆରମ୍ଭ ହୁଏ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖି ଦାବି କଲେ ଯେ ହକିକୁ ଜାତୀୟ ଖେଳ ହିସାବରେ ରାଜପତ୍ରରେ ବିଜ୍ଞପ୍ତି ପ୍ରକାଶ ପାଉ।
ଏହି ଚିଠି ଲେଖିବାର ଦୁଇ ଦିନ ପରେ ବିଜେପି ଓ କଂଗ୍ରେସ ନବୀନଙ୍କୁ ପଚାରି ଆରମ୍ଭ କଲେ ଆପଣଙ୍କ ବନ୍ଦେ ଉତ୍କଳ ଜନନୀ ପ୍ରାନ୍ତୀୟ ସଙ୍ଗୀତ କରିବା କାମ କେତେ ବାଟ ଗଲା? ପରସ୍ପରର ଗୋଇ ଖୋଳାଖୋଳି ହେଲେ କେମିତି ତୃତୀୟ ପକ୍ଷର ଲାଭ ହୁଏ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।
ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ଦେଶାତ୍ମବୋଧକ ଗୀତ ‘ବନ୍ଦେ ଉତ୍କଳ ଜନନୀ’ ୧୯୩୬ ମସିହା ସ୍ୱତନ୍ତ୍ର ଓଡ଼ିଶା ଗଠନ ପୂର୍ବରୁ ଲେଖା ଯାଇଥିଲା ଏବଂ ବେସରକାରୀ ଭାବେ ଏହା ଓଡ଼ିଶାର ପ୍ରାନ୍ତୀୟ ସଙ୍ଗୀତ ହୋଇ ଆସିଛି।
ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଏହାକୁ ପ୍ରାରମ୍ଭିକ ସଙ୍ଗୀତ ଭାବରେ ଗାୟନ କରିବା ଏକ ଅଭ୍ୟାସରେ ମଧ୍ୟ ପଡ଼ିଗଲାଣି। ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ନବୀନଙ୍କ ହକିକୁ ଜାତୀୟ ଖେଳ ଦାବି ପରେ ବିଜେପି ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗକୁ କାଉଣ୍ଟର ଆଟାକ୍ ରୂପେ ବ୍ୟବହାର କରୁଛି।
ବିଜେପିର ପ୍ରଶ୍ନ ଯଦି ହକିକୁ ଜାତୀୟ ଖେଳ ଭାବରେ ପରିଗଣିତ କରିବା ପାଇଁ ଓଡ଼ିଶା ସରକାର ଦାବି କରୁଛନ୍ତି ତା ପୂର୍ବରୁ ବନ୍ଦେ ଉତ୍କଳକୁ ଓଡ଼ିଶାର ପ୍ରାନ୍ତୀୟ ସଙ୍ଗୀତ ଭାବରେ ଗେଜେଟ ନୋଟିଫିକେସନ କରନ୍ତୁ।
ଦୀର୍ଘ ଅଠର ବର୍ଷ ଶାସନରେ ରହିଥିଲେ ମଧ୍ୟ ବନ୍ଦେ ଉତ୍କଳକୁ ଆମ ନିଜ ସଙ୍ଗୀତ ଭାବରେ ସ୍ୱୀକୃତି ଦେବା ପାଇଁ ନବୀନ ପଟ୍ଟନାୟକ କିଛି କରିନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର।
ଅପରପକ୍ଷରେ ବିଜେପିର ଦାବିକୁ ସମର୍ଥନ କରି କଂଗ୍ରେସ ନେତା ତାରା ବାହିନୀପତି ବି କହିଛନ୍ତି ଯେ ଗେଜେଟ ବିଜ୍ଞପ୍ତି ଜାରି କରିବା ଗୃହ ବିଭାଗର କାମ ଯେଉଁ ବିଭାଗ କି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି।
ତେଣେ ବୈଜୟନ୍ତ ପଣ୍ଡା ମଧ୍ୟ ଏଥିରେ ମୁଣ୍ଡ ପୁରାଇ କହିଛନ୍ତି ଆନୁଷ୍ଠାନିକ ଭାବେ ବନ୍ଦେ ଉତ୍କଳ ଜନନୀକୁ ଓଡ଼ିଶାର ଜାତୀୟ ସଙ୍ଗୀତ ମର୍ଯ୍ୟାଦା ଦିଆନଯିବା ଦୁର୍ଭାଗ୍ୟଜନକ।
ଏହି ଗେଜେଟ ଯୁଦ୍ଧରେ କିଏ ବିଜୟୀ ହେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।ହକି ପ୍ରସଙ୍ଗରେ କେନ୍ଦ୍ର ଖେଳ ମନ୍ତ୍ରୀ ଇତି ମଧ୍ୟରେ କହିସାରିଛନ୍ତି ଯେ ହକିକୁ ଜାତୀୟ ଖେଳ ରୂପେ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ।
ବିଜେଡି ସରକାର ଓ ବିଜେପି ଭିତରେ ଅସଲ ପ୍ରସଙ୍ଗ ସବୁ ଗୌଣ ହୋଇପଡୁଥିବା ବେଳେ ଏହିଭଳି ବିଭିନ୍ନ ‘ଅ’ପ୍ରସଂଗକୁ ନେଇ ଟଣା ଓଟରା ହେବା ଗଭୀର ରାଜନୈତିକ ଅସହିଷ୍ଣୁତାକୁ କେବଳ ସୁଚାଉଛି।


















