ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ଜଗନ୍ନାଥ ମନ୍ଦିରକୁ ଆସୁଥିବା ଭକ୍ତମାନେ ଦାନ ଅର୍ଥ ସେବାୟତଙ୍କୁ ନଦେଇ ହୁଣ୍ଡିରେ ପକାଇବାକୁ ସୁପ୍ରିମ୍କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ତଦାରଖ କରିବା ଲାଗି ଶ୍ରୀମନ୍ଦିର ପରିସରରେ ଆଉ ୨୩ଟି ସିସିଟିଭି କ୍ୟାମେରା ଲାଗିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏଥିସହ ପରିଚାଳନା କମିଟି ବୈଠକରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମାଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି।
ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, “ଚଳିତବର୍ଷ ମହାପ୍ରଭୁଙ୍କର ପ୍ରତିଟି ପର୍ବର ନୀତିକ୍ରାନ୍ତି କିଭଳି ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ ସେ ନେଇ ଆଲୋଚନା ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ କରୁଥିବା ଜିଲ୍ଲା ଜଜଙ୍କୁ ସବୁ ତଥ୍ୟ ଦିଆଯିବ। ଦାନ ଅର୍ଥ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ହେବ।”
ସେହିପରି ଶଙ୍କରାଚାର୍ଯ୍ୟଙ୍କ ଜମି ଶ୍ରୀମନ୍ଦିର ପ୍ରଶାସନ ହାତକୁ ଚାଲିଯିବା ପରେ ଜଗତଗୁରୁ କ୍ଷୋଭ ପ୍ରକାଶ କରିଥିଲେ। ଏନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା।
ଗୋବର୍ଦ୍ଧନ ପୀଠକୁ ଜମି ଫେରାଇବା ନେଇ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ଜମି କିଭଳି ଫେରାଯିବ ତାହା ସ୍ଥିର ହେବ।
ସରକାର ଗଠନ କରିଥିବା ନ୍ୟାୟିକ କମିଶନ୍ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗର ତଦନ୍ତ କରି ରିପୋର୍ଟ ଦେବା ପରେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ପୁରୀ ଗଜପତି ମହାରାଜା, ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସପି ସାର୍ଥକ ଷଡଙ୍ଗୀଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।
















