ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶରର ବିଶାଖାପାଟଣାରେ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶାଖାପାଟଣାର ଲସ୍ଵନ ବେ କଲୋନୀରେ ଥିବା ଗୁଣ୍ଡିଚା ମନ୍ଦିରରୁ ଦଶପଲ୍ଲା ହିଲ୍ସଠାରେ ଥିବା ଜଗନ୍ନାଥ ମନ୍ଦିର ଯାଏଁ ରଥଟଣା ହୋଇଥିଲା। ଘଣ୍ଟଘଣ୍ଟା ଓ ସଂକୀର୍ତ୍ତନ ସହ ଭକ୍ତିମୟ ପରିବେଶ ମଧ୍ୟରେ ଏଠାରେ ପ୍ରବାସୀ ଓଡ଼ିଆମାନେ ରଥ ଟାଣିଥିଲେ।

ବାହୁଡ଼ା ଯାତ୍ରା ଅବସରରେ ଉତ୍କଳ ସାଂସ୍କୃତିକ ସମାଜର ସଦସ୍ୟମାନେ ଶ୍ରୀଜୀଉଙ୍କ ନୀତିକାନ୍ତିରେ ସାମିଲ ହୋଇଥିଲେ। ସମାଜର ଅଧ୍ୟକ୍ଷ ତଥା ଓଡ଼ିଶା ଷ୍ଟିଭେଡୋରସ୍ ଲିମିଟେଡର ଉପସଭାପତି ଜେ କେ ନାୟକ ଏଠାରେ ରଥରେ ଛେରା ପହଁରା କରିଥିଲେ। ବୁଧବାର ଅପରାହ୍ଣ ୪ଟା ୩୦ରେ ଛେରା ପହଁରା ସରିବା ପରେ ଏଠାରେ ରଥ ଟଣା ଆରମ୍ଭ ହୋଇଥିଲା।

ଏହି ବାହୁଡ଼ା ଯାତ୍ରା ସମୟରେ ରଥ ବିଶାଖାପାଟଣାର ଶାନ୍ତି ଆଶ୍ରମ, ପାର୍କ ହୋଟେଲ, ରେଳ ଷ୍ଟେସନ, ମିଲେନିୟମ ଏରିନା ଦେଇ ମୁଖ୍ୟ ମନ୍ଦିର ଯାଏଁ ଗଡ଼ିଥିଲା। ଭକ୍ତମାନେ ଆନନ୍ଦ ଉଲ୍ଲାସର ସହ ନାଚି ଗାଇ ରଥ ଟାଣିଥିଲେ।

ରଥ ଟଣା ସରିବା ପରେ ଦଶପଲ୍ଲା ହିଲ୍ସର ମୁଖ୍ୟ ଜଗନ୍ନାଥ ମନ୍ଦିରରେ ପ୍ରାୟ ୪ ହଜାର ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରଯାଇଥିଲା। ଏଠାରେ ସନ୍ଧ୍ୟା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏଠାରେ ଉତ୍କଳ ସାଂସ୍କୃତିକ ସମାଜର ସାଧାରଣ ସମ୍ପାଦକ ବିମଳ କୁମାର ମହନ୍ତ ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିବା ଭକ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସେମାନଙ୍କ ମଙ୍ଗଳ କାମନା କରିଥିଲେ।

Tags: #BahudaJatra #JagannathTemple #UtkalSanskrutikaSamaj #Visakhapatnam

LEAVE A REPLY

Please enter your comment!
Please enter your name here