ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଜଣେ ନାବାଳିକାକୁ ତିନିଦିନ ଧରି ଗଣଦୁଷ୍କର୍ମ କରିବା ଘଟଣା ଏବେ ସାରା ଦେଶକୁ ଲଜ୍ଜିତ କରିଛି। ଏଭଳି ଏକ ଲଜ୍ଜାକର ତଥା ଅମାନବୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ।

ଗତ ୨୦୨୩ ମସିହା ଡିସେମ୍ବର ୧୭ ତାରିଖରେ ଜନ୍ମଦିନ ପାଳନ ପାଇଁ ନିଜ ପୁରୁଷ ବନ୍ଧୁଙ୍କ ସହ ଯାଇଥିବା ନାବାଳିକା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଓଡ଼ିଶାର ବୋଲି ଜଣାପଡ଼ିଛି। ଏହି ମାମଲାରେ ପୋଲିସ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ୨ ଜଣ ଫେରାର ଅଛନ୍ତି।

ନାବାଳିକା ଜଣକ ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳିବା ଲାଗି ନିଜ ପୁରୁଷ ବନ୍ଧୁଙ୍କ ସହ ବିଶାଖାପାଟଣାର ଏକ ଲଜରେ ପହଞ୍ଚିଥିଲେ। ସେଠାରେ ପୁରୁଷ ବନ୍ଧୁ ନାବାଳିକାକୁ ଦୁଷ୍କର୍ମ କରିବା ପରେ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଦୁଇ ଯୁବକ ମଧ୍ୟ ନାବାଳିକା ସହ ଦୁଷ୍କର୍ମ କରିଥିଲେ। ପରେ ନାବାଳିକା ଜଣକ ଲଜରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ।

ନାବାଳିକା ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲା ବେଳେ ସେଠାରେ ବୁଲୁଥିବା ଜଣେ ଫଟୋଗ୍ରାଫର ତାଙ୍କୁ ଅଟକାଇଥିଲେ ଏବଂ ଏଭଳି କରିବାର କାରଣ ପଚାରିଥିଲେ। ନାବାଳିକା ଜଣକ ଫଟୋଗ୍ରାଫରକୁ ନିଜ ସହ ଘଟିଥିବା ଘଟଣା ସମ୍ପର୍କରେ କହିବା ସହ ସହାୟତା ପାଇଁ ନେହୁରା ହୋଇଥିଲେ। ପଟୋଗ୍ରାଫର ଜଣକ ନାବାଳିକାକୁ ସହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ଲଜକୁ ନେଇ ଯାଇଥିଲେ। ସେଠାରେ ଫଟୋଗ୍ରାଫର ଜଣକ ମଧ୍ୟ ନାବାଳିକା ସହ ଦୁଷ୍କର୍ମ କରିବା ସହ ନିଜର ଅନ୍ୟ କିଛି ବନ୍ଧୁଙ୍କୁ ଡାକି ନାବାଳିକାର ଇଜତ ସହ ଖେଳିଥିଲେ। ତିନିଦିନ ଧରି ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା ଜଣକ।

ଏପଟେ ତିନିଦିନ ଧରି ଝିଅର କୌଣସି ଖୋଜ ଖବର ନମିଳିବାରୁ ପରିବାର ଲୋକେ ଗତ ବର୍ଷ ଡିସେମ୍ବର ୧୮ ତାରିଖରେ ବିଶାଖାପାଟଣା ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। ନାବାଳିକାକୁ ଠାବ କରିବା ପାଇଁ ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଖୋଳତାଡ଼ ଆରମ୍ଭ କରିଥିଲା। ନାବାଳିକାକୁ ମୁମୂର୍ଷୁ ଅବସ୍ଥାରେ ଏକ ଗାଁରୁ ଉଦ୍ଧାର କରିଥିଲା ପୋଲିସ। ନାବାଳିକା ଜଣକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସାମାନ୍ୟ ସୁସ୍ଥା ହେବା ପରେ ନାବାଳିକ ନିଜ ସହ ହୋଇଥିବା ଅମାନବୀୟ ଘଟଣା ସମ୍ପର୍କରେ ପୋଲିସ ଆଗରେ ବର୍ଣ୍ଣନା କରିଥିଲେ।

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ବିଶାଖାପାଟଣା ଟାଉନ ଥାନା ପୋଲିସ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଟାଉନଥାନା ପୋଲିସ।

Tags: #Gangrape #MinorGirl #Visakhapatnam #PoliceInvestigation #Crime

LEAVE A REPLY

Please enter your comment!
Please enter your name here