ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ୧୦ ଦିନ ରହୁଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ସମୟରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ଶନିବାର ଦିନ ପୋଲିସ ପକ୍ଷରୁ ବଡ଼ଦାଣ୍ଡରେ ମକ୍ ଡ୍ରିଲ୍ କରାଯାଇଛି। ଏନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ପୁରୀ ବଡ଼ଦାଣ୍ଡରେ ହୋଇଥିବା ମକ୍ ଡ୍ରିଲରେ ପୋଲିସଙ୍କ ସହ ରାପିଡ ଆକ୍ସନ ଫୋର୍ସର ଯବାନମାନେ ମଧ୍ୟ ସାମିଲ ହୋଇଥିଲେ। ଏଥିରେ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ଲୋକଙ୍କୁ କିପରି କର୍ଡନ ଅଫ କରାଯିବ ସେ ନେଇ ପ୍ରସ୍ତୁତି କରଯାଇଥିଲା। ଯାତ୍ରା ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ଆଦି ବିଷୟରେ ବରିଷ୍ଠ ପୋଲିସ ଅଧିକାରୀମନେ ଯବାନମାନଙ୍କୁ ଅବଗତ କରିଥିଲେ।

“ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଶୃଙ୍ଖଳିତ ଭାବେ ଶେଷ ହୋଇଛି। ଏବେ ରଥଯାତ୍ରା ପାଇଁ ଆମେ ପ୍ରସ୍ତୁତ ରହିଛୁ। ଏହି ଯାତ୍ରାକୁ ସୁରୁଖୁରରେ କରିବା ପାଇଁ ପୋଲିସ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ରଥଯାତ୍ରା ସମୟରେ ଭକ୍ତମାନେ କେଉଁ ପଟେ ପୁରୀ ସହରକୁ ଆସିବେ, କେଉଁଠି ଗାଡ଼ି ରଖିବେ ସେ ସବୁର ବନ୍ଦୋବସ୍ତ ପୋଲିସ ପକ୍ଷରୁ କରାଯାଇଛି। ଯାତ୍ରା ସମୟରେ ସହରରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ପଦକ୍ଷେପ ନିଆଯିବ”, କହିଛନ୍ତି ପୁରୀ ଏସ ପି କନୱର ବିଶାଲ ସିଂହ।

 

ରଥଯାତ୍ରା ସମୟରେ ପୁରୀରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଜନଗହଳି ନିୟନ୍ତ୍ରଣ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ପରିଚାଳନା ଆଦି କ୍ଷେତ୍ରରେ ବରିଷ୍ଠ ଅଧିକାରୀମାନେ ଦାୟିତ୍ଵରେ ରହିବେ। ଏଥିସହ ସିଆରପିଏଫ, ଆଇଆରବି ଓ ରାପିଡ ଆକ୍ସନ ଫୋର୍ସର ଯବାନମାନେ ମଧ୍ୟ ପୁରୀରେ ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବା ପାଇଁ ମୁତୟନ ହେବେ।  

ଶନିବାର ପୁରୀ ବଡ଼ଦାଣ୍ଡରେ ହୋଇଥିବା ମକ୍ ଡ୍ରିଲକୁ ରାଜ୍ୟ ପୋଲିସ ଏଡିଜି ରାଜେଶ କୁମାର, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ପୁରୀ ଏସପି କନୱର ବିଶାଲ ସିଂହ ପ୍ରମୁଖ ସମୀକ୍ଷା କରିଥିଲେ। ଏହାଛଡ଼ା ପୋଲିସ ଓ ରାପିଡ ଆକ୍ସନ ଫୋର୍ସର ଅନ୍ୟ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ।

Tags: #Rathajatra2023 #LawandOrdersituation #Puri #jagannathTemple #OdishaPolice

Comment