ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣ୍ଡଗୋଳରେ ଭାଙ୍ଗିଥିବା ଚେୟାର
  • ନୟାଗଡ଼ ବିଜେପିରେ କନ୍ଦଳ
  • ଦୁଇ ଗୋଷ୍ଠୀ ଭିତରେ ପିଟାପିଟି
  • ଦୁଇ କର୍ମୀଙ୍କ ମୁଣ୍ଡ ଫାଟିଲା
  • ବିବାଦ ସମାଧାନ ପାଇଁ ନୟାଗଡ଼ରେ ପହଞ୍ଚିଲେ କେଭି ସିଂଦେଓ

ବିଜୁ ଜନତା ଦଳର ସରକାରକୁ ଧରାଶାୟୀ କରି ବିଜେପି ଓଡ଼ିଶାରେ ସରକାର ଗଠନ କରିବା ପାଇଁ ଅଙ୍କ କଷୁଛି। ତୃଣମୂଳ ସ୍ତରର ସଙ୍ଗଠନକୁ ମଜଭୁତ କରିବା ଉପରେ ଫୋକସ୍ ଦେଉଛି। ହେଲେ ତୃଣମୂଳ ସ୍ତରରେ ସଙ୍ଗଠନ ସୁଦୃଢ଼ ହେବା ବଦଳରେ ଗୋଷ୍ଠୀ କନ୍ଦଳ ଦଳର ଚିନ୍ତା ବଢ଼ାଇଛି। ଏହାର ନମୁନା ଆଜି ନୟାଗଡ଼ରେ ଦେଖିବାକୁ ମିଳିଛି।

ନୟାଗଡ଼ରେ ବିଜେପିରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି। ନୟାଗଡ଼ର ଏକ ହୋଟେଲରେ ବିଜେପିର ଗୋଟିଏ ଗୋଷ୍ଠୀ ସଭା କରୁଥିଲେ। ଏହି ସମୟରେ ଆଉ ଗୋଟିଏ ଗୋଷ୍ଠୀ ସଭାସ୍ଥଳକୁ ଧସେଇ ପଶି ଗଣ୍ଡଗୋଳ କରିଥିଲେ।

ପ୍ରଥମେ ଉଭୟ ଗୋଷ୍ଠୀ ଭିତରେ କଥା କଟାକଟି ହୋଇଥିଲା। ପରେ ହାତାହାତି ହୋଇଥିଲେ ଉଭୟ ଗୋଷ୍ଠୀ। ବିଧା, ଗୋଇଠା ଏବଂ ମୁଥ ମରାମରି ହେବା ସହ ଚେୟାର ଉଠାଇ ପିଟାପିଟି ହୋଇଥିଲେ ଉଭୟ ଗୋଷ୍ଠୀ।

ଉଭୟ ଗୋଷ୍ଠୀଙ୍କ ମାରପିଟ୍‌ରେ ୨ ଜଣ କର୍ମୀ ଆହତ ହୋଇଛନ୍ତି। ବରିଷ୍ଠ ନେତାମାନେ ସଭାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।

ନୟାଗଡ଼ର ଏକ ହୋଟେଲରେ ବିଜେପିର ଗୋଟିଏ ଗୋଷ୍ଠୀ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ବିଜେପି ସଭାପତି ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ। ବହୁ ବୁଦ୍ଧିଜୀବୀ ଏଠାରେ ଉପସ୍ଥିତ ଥିଲେ। କିନ୍ତୁ ଏହି ସମ୍ମିଳନୀକୁ ବିଜେପିର ଆଉ ଗୋଟିଏ ଗୋଷ୍ଠୀକୁ ଡକାଯାଇ ନଥିବାରୁ ଏହି ବିଶୃଙ୍ଖଳା ଦେଖାଦେଇଛି।

ଦୁଇ ଗୋଷ୍ଠୀ ଭିତରେ ଲାଗିଥିବା ବିବାଦର ସମାଧାନ ପାଇଁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ନୟାଗଡ଼ରେ ପହଞ୍ଚିଛନ୍ତି।

Comment