ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ବାହିଲେ ଦେବସ୍ନାନ ପୂର୍ଣ୍ଣମା। ୧୦୮ ଗରା ପାଣିରେ ମହାପ୍ରଭୁ ସ୍ନାନ କରିବା ପରେ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବେ। ଏହାପରେ ମହାପ୍ରଭୁ ୧୪ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବେ। ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଲାଣି।

ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ଏବଂ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଶ୍ରଦ୍ଧାଳୁମାନେ ଗାଡ଼ି ପାର୍କିଂ କରି କିପରି ସୁବିଧାରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

୩୧୬ ନମ୍ବର ଜାତୀୟ ରାଜଥ ଆଡ଼ୁ ଦୁଇ ଚକିଆ ଯାନରେ ଆସୁଥିବା ଯାତ୍ରୀମାନେ ଅଠରନଳା, ଡାକ୍ତରଖାନା ଛକ ଏବଂ ବଡ଼ଦାଣ୍ଡ ମାର୍କେଟ ଛକ ଦେଇ ଟାଉନ ଥାନା ନିକଟ ବଡ଼ଦାଣ୍ଡରେ ଗାଡ଼ି ପାର୍କିଂ କରିବେ। ସେହି ବାଟ ଦେଇ ଦୁଇ ଚକିଆ ଯାନଗୁଡ଼ିକ ଫେରିବ।

ଚାରି ଚକିଆ ଯାନଗୁଡ଼ିକ ୩୧୬ ନମ୍ବର ଜାତୀୟ ରାଜପଥର ଅଠରନଳା, ଡାକ୍ତରଖାନା ଛକ, ଶ୍ରୀଜଗନ୍ନାଥ ବଲ୍ଲଭ ଅଞ୍ଚଳରେ ଗାଡ଼ି ପାର୍କିଂ କରିବେ। ଚାରି ଚକିଆ ଗାଡ଼ିଗୁଡ଼ିକ ଜଟିଆ ବାବା ଛକ, ହରିଜନ ସାହି, କୁମ୍ଭାରପଡ଼ା ଦେଇ ଅଠରନଳା ରାସ୍ତା ଦେଇ ଫେରିବାର ବ୍ୟବସ୍ଥା କରାଯାଇଛି।

ଶ୍ରୀଜଗନ୍ନାଥ ବଲ୍ଲଭ ଅଞ୍ଚଳରେ ଗାଡ଼ି ଭର୍ତ୍ତି ହୋଇଗଲେ ଶରଧାବାଲିରେ ପାର୍କିଂ କରି ଡାକ୍ତରଖାନା ଛକ ଦେଇ ଫେରିବେ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ନିୟମିତ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ମାଳତୀପାଟପୁର ଓଭରବ୍ରିଜ, ମେରାଇନ ଡ୍ରାଇଭ ରୋଡ ଦେଇ ବସ୍‌ଷ୍ଟାଣ୍ଡକୁ ଆସିବେ।

ବସ୍‌ଗୁଡ଼ିକ ମାଟିଆପଡ଼ା, ବାଲିଘାଟ ଏବଂ ବୀରହରେକୃଷ୍ଣପୁର ଦେଇ ଫେରିବେ। ଆନ୍ତଃରାଜ୍ୟ ବସ୍‌ଗୁଡ଼ିକ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ଗାଡ଼ି ପାର୍କିଂ କରିବେ। ସେହିପରି ଭାରି ଏବଂ ମଧ୍ୟମ ଧରଣର ଯାନଗୁଡ଼ିକ ୩୧୬ ନମ୍ବର ଜାତୀୟ ରାଜପଥରେ ଆସି ମାଳତୀପାଟପୁର ଓଭରବ୍ରିଜ, ତୋଷାଳୀ ସ୍ୟାଣ୍ଡ ହୋଟେଲ, ଗ୍ରୀଡ୍ ଷ୍ଟେସନ ଦେଇ ତାଳବଣିଆରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି।

କୋଣାର୍କ ଆଡ଼ୁ ଆସୁଥିବା ଗାଡ଼ିଗୁଡ଼ିକ ମେରାଇନଡ୍ରାଇଭ୍ ରୋଡ ଦେଇ ବଡ଼ଦାଣ୍ଡରେ ପାର୍କିଂ କରିବେ। ଫେରିବା ବେଳେ ଷ୍ଟେସନ ଛକ, ଆଇଟିଆଇ ଛକ, ଭିଆଇପି ରୋଡ, ସିଟି ରୋଡ ଦେଇ ମେରାଇନଡ୍ରାଇଭ ରାସ୍ତାରେ ଫେରିବେ।

ପୁରୀ ସହରରେ ଚଳାଚଳ କରୁଥିବା ଅଟୋ ଏବଂ ଟ୍ୟାକ୍ସି ରେଳ ଷ୍ଟେସନରୁ ମୋଚି ସାହି ଛକ, ଜିଲ୍ଲା ସ୍କୁଲ, ଗୋପାଳ ସ୍ବାମୀ ଛକ, ଏସ୍‌ସିଏସ୍‌ କଲେଜ ଛକ, ଜିଲ୍ଲା ସ୍କୁଲ, ଟାଉନ ହଲ ଛକ ଦେଇ ବଡ଼ଦାଣ୍ଡକୁ ଆସିବେ।

ଏସ୍‌ସିଏସ୍‌ କଲେଜ ଛକ, ହଷ୍ଟେଲ ଛକ, ପିକେଡିଏ ଛକ, ଝାଡ଼େଶ୍ୱରୀ ଛକ, ଗରୁଡ଼ ଛକ ରାସ୍ତାରେ ଫେରିବେ।

LEAVE A REPLY

Please enter your comment!
Please enter your name here