ଡକ୍ଟର ବିଶ୍ୱରଞ୍ଜନ ଦାସ
ରଥ ଏକ ଚଳନ୍ତି ଦେଉଳ। ବେଦିକ ଶାସ୍ତ୍ରାନୁଯାୟୀ- “ଆତ୍ମାନୁରଥୀନ ବିଦ୍ଧି ଶରୀର ରଥମେବତୁ”। ଶରୀର ଯେପରି କେତେଗୁଡ଼ିଏ ନାଡ଼ି ଦ୍ୱାରା ଆବଦ୍ଧ, ମହାପ୍ରଭୁଙ୍କ ରଥ ସେହିପରି ଅର, ନାଭି, ଚକ୍ର ପ୍ରଭୃତି ଅଙ୍ଗମାନଙ୍କ ଦ୍ୱାରା ନିର୍ମିତ। ଦେହର ପଥ ଯେତିକି ରଥ-ପଥ ସେତିକି।
ରଥଯାତ୍ରା ପରମ୍ପରା
ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ। ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରର ରଥଯାତ୍ରା। ଶାସ୍ତ୍ରରେ ଯେଉଁସବୁ ରଥଯାତ୍ରାର ଉଲ୍ଲେଖ ରହିଛି, ସେଥିମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ।
କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟିହୋଇଛି ବୋଲି ଅନୁମାନ କରନ୍ତି। କାରଣ ଖ୍ରୀଷ୍ଟୀୟ ପଂଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାହିୟାନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି।
ମହାପ୍ରଭୁ ନନ୍ଦିଘୋଷ ରଥରେ ବସି ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ଏହାକୁ ‘ରଥଯାତ୍ରା’ ବା ଘୋଷଯାତ୍ରା, ଗୁଣ୍ଡିଚା ଆଡ଼ପ-ମଣ୍ଡପରେ ବିଜେ କରୁଥିବାରୁ ଏହାକୁ ‘ଆଡ଼ପମଣ୍ଡପ ଯାତ୍ରା, ଗୁଣ୍ଡିଚା ଘରକୁ ଯାତ୍ରା କରୁଥିବାରୁ ‘ଶ୍ରୀଗୁଣ୍ଡିଚା ଯାତ୍ରା, ପ୍ରଭୁଙ୍କର ଜନ୍ମବେଦୀ ଆଡ଼ପମଣ୍ଡପଠାରେ ହୋଇଥିବାରୁ ଏହାକୁ ‘ଜନ୍ମବେଦୀ’ ଅବା ‘ଅନ୍ତର୍ବେଦୀ ଯାତ୍ରା କୁହାଯାଏ। ସେହିପରି ଗୁଣ୍ଡିଚାରେ ଦଶାବତାର ହେଉଥିବାରୁ ‘ଦଶାବତାର ଯାତ୍ରା, ପତିତମାନଙ୍କୁ ଉଦ୍ଧାର କରୁଥିବାରୁ ‘ପତିତପାବନ ଯାତ୍ରା, ଯିବା-ଆସିବା ଓ ରହଣି କାଳକୁ ମିଶାଇ ନଅ ଦିନ ହେଉଥିବାରୁ ‘ନବଦିନାତ୍ମକ ଯାତ୍ରା’ବୋଲି ମଧ୍ୟ କୁହାଯାଇଥାଏ।
‘ସ୍କନ୍ଧପୁରାଣ’ର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି- ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ‘ରଥଯାତ୍ରା’ ବା ‘ଶ୍ରୀଗୁଣ୍ଡିଚା ଯାତ୍ରା’ ମହୋତ୍ସବ ହେଉଛି ସର୍ବଶ୍ରେଷ୍ଠ। ‘ନୀଳାଦ୍ରି ମହୋଦୟ’ର ବର୍ଣ୍ଣନା ଅନୁଯାୟୀ, ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ। ସେହି ମନ୍ଦିରକୁ ପ୍ରଜାପତି ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରିବା ପାଇଁ ସେ ବ୍ରହ୍ମଲୋକ ଯାତ୍ରାକରି ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ।
ବ୍ରହ୍ମା ପ୍ରଥମେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଦୁଇ ସ୍ୱର୍ଗଦୂତ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ। ଦୁଇ ଦେବଦୂତ ଓ ନାରଦଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିଚବା ପରେ ମହାପ୍ରଭୁଙ୍କ ପାଇଁ ରଥ ନିର୍ମାଣ କରାଯାଇଥିଲା। ନାରଦଙ୍କ ନିର୍ଦ୍ଦେଶରେ ଶଙ୍ଖନିଧି ଓ ପଦ୍ମନିଧି ରଥନିର୍ମାଣ କରିଥିଲେ।
ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି, ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ସ୍ୱର୍ଣ୍ଣପୁରୀ ନିର୍ମାଣ କରି ସେଠାରେ ନାନା ରୁଚିର ଅଳଙ୍କାରମାନ ସଂଯୁକ୍ତ କରି ତିନୋଟି ରଥ ନିର୍ମାଣରେ ଲାଗି ପଡ଼ିଥିଲେ। ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ତିନିଲୋକରେ ସୁଖସମୃଦ୍ଧି ବୃଦ୍ଧି କରିପାରୁଥିବା ତିନୋଟି ଆଶ୍ଚର୍ଯ୍ୟଜନକ ରଥ ପ୍ରସ୍ତୁତ କରାଯାଇଥିଲା।
ରଥ ତିନୋଟି ନିର୍ମାଣ ହେବାପରେ ତାକୁ ଅଧିକ ଆକର୍ଷଣୀୟ କରିବା ଲାଗି ସେଥିରେ ତୋରଣ ଓ ବିଭିନ୍ନ ଧରଣର ପତାକା ସଂଯୋଗ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ହେଲା ‘ଗରୁଡ଼ଧ୍ୱଜ’, ଜଗଜ୍ଜନନୀ ମା’ ସୁଭଦ୍ରାଙ୍କ ସୁବର୍ଣ୍ଣମୟ ରଥ ହେଲା ‘ପଦ୍ମଧ୍ୱଜ’ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରଥ ହେଲା ‘ତାଳଧ୍ୱଜ’। ଏହାପରେ ରଥ ତିନୋଟିକୁ ବିଧିବଦ୍ଧ ଭାବେ ପ୍ରତିଷ୍ଠା କରାଯାଇ ଆରମ୍ଭ ହୋଇଥିଲା ଚତୁର୍ଦ୍ଧା ବିଗ୍ରହଙ୍କ ରଥଯାତ୍ରା।
କବିରାଜ କୃଷ୍ଣ ଦାସ ‘ଚୈତନ୍ୟ ଚରିତାମୃତ’ ଗ୍ରନ୍ଥ ଅନୁଯାୟୀ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରା ଦୀର୍ଘ ପାଞ୍ଚଶହ ବର୍ଷ ପୂର୍ବର। ସେତେବେଳେ ରଥ ସାଜସଜ୍ଜା ସେତେ ଉନ୍ନତମାନର ନଥିଲେ ହେଁ ସଦ୍ୟ ସୁବର୍ଣ୍ଣ ଛାଉଣୀ ଭଳି ପ୍ରତୀୟମାନ ହେଉଥିଲା ଓ ସୁମେରୁ ପର୍ବତ ସଦୃଶ ଥିଲା ଅତି ଉଚ୍ଚ। ଶ୍ରୀଜଗନ୍ନାଥଙ୍କ ବାହକ ଦଇତାମାନେ ମତ୍ତହସ୍ତୀ ତୂଲ୍ୟ ଥିଲେ ଶକ୍ତିଶାଳୀ। ଏଣୁ ଠାକୁରମାନଙ୍କ ପହଣ୍ଡି ଦଇତାମାନଙ୍କ ଦ୍ୱାରା କରାଯାଉଥିଲା।
ପହଣ୍ଡି ସ୍ଥାନଠାରୁ ରଥ ପର୍ଯ୍ୟନ୍ତ ତୁଳା ନିର୍ମିତ ଉଚ୍ଚା ଗଦି ବିଛାଇ ଦିଆଯାଉଥିଲା। ଦଇତାମାନେ ବିଗ୍ରହଙ୍କୁ ଗୋଟିଏ ଗଦିରୁ ଅନ୍ୟ ଏକ ଗଦିକୁ ବହନ କରିନେଉଥିଲେ। ଏହି ସମୟରେ କେତେକ ଗଦିରୁ ତୁଳା ଖଣ୍ଡଖଣ୍ଡ ହେଇ ଛିଡ଼ି ଆକାଶରେ ଉଡୁଥିଲା ଓ ଗଦି ଫାଟିବା ସମୟରେ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେଉଥିଲା।
ପବିତ୍ର ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି ପୁରୁଷୋତ୍ତମ କ୍ଷେତ୍ରର ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। କବିସମ୍ରାଟ ଉପ୍ରେନ୍ଦ୍ର ଭଞ୍ଜ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ରେ ଲେଖିଛନ୍ତି-
“ସ୍ନାନ-ଗୁଣ୍ଡିଚାଏ ବେନି ସ୍ୱୟଂଲୀଳା ଯା’ର
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର।”
ଶାସ୍ତ୍ର-ଅନୁଯାୟୀ ନିର୍ମଳ ମନରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଶତକୋଟି ଜନ୍ମର ପାପରାଶି କ୍ଷଣକରେ ଉଭେଇଯାଏ। ସେଥିପାଇଁ ପୁରାଣରେ କୁହାଯାଇଛି- ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ, ଶ୍ରୀଗୁଣ୍ଡିଚାବିଜେ ବେଳେ ଥରେମାତ୍ର ଦର୍ଶନ କଲେ ସେତିକି ଫଳ ମିଳିଥାଏ।
ତିନି ରଥର ରୂପରେଖ (ନିର୍ମାଣ ରୀତି ଓ ବିଶେଷତ୍ୱ)
ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଶ୍ରୀମନ୍ଦିର ସମ୍ମୁଖସ୍ଥ ଭାଗ ରଥ ଖଳାରେ ନୂତନ ଭାବେ ତିନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ସାମ୍ୟ ମୈତ୍ରୀର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନ ଯାତ୍ରା କରନ୍ତି, ସେ ରଥର ନାମ ‘ନନ୍ଦିଘୋଷ’। ସେହିପରି ଶ୍ରୀବଳଭଦ୍ରଙ୍କ ରଥର ନାମ ‘ତାଳଧ୍ୱଜ’ ଓ ଦେବୀ ସୁଭଦ୍ରାଙ୍କ ରଥର ନାମ ‘ଦେବଦଳନ’ ବା ‘ଦର୍ପଦଳନ’।
ଶ୍ରୀପଞ୍ଚମୀଠାରୁ ରଥନିର୍ମାଣର ଶୁଭାରମ୍ଭ ହୋଇଥାଏ। ଏହିଦିନ ରଥକାଠ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସମ୍ମୁଖରେ ଏହାର ଅନୁକୂଳ କାର୍ଯ୍ୟ ହୁଏ। ଶ୍ରୀରାମ ନବମୀ ଦିନକୁ ରଥକାଠ ଚିରା କାର୍ଯ୍ୟ ମନୋନୀତ କରାଯାଇଥାଏ। ଅକ୍ଷୟ ତୃତୀୟା ଦିନ ତିନିରଥ ତିଆରି ଆରମ୍ଭ ହୁଏ। ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ବ୍ରାହ୍ମଣମାନଙ୍କ ଦ୍ୱାରା ରଥନିର୍ମାଣ ଉପଲକ୍ଷେ ଆନୁଷଙ୍ଗିକ ପୂଜାପାଠ, ଯଜ୍ଞ ତଥା ନୀତିକାନ୍ତି ଅନୁଷ୍ଠିତ ହେବା ସହ ପୂଜାପଣ୍ଡା ତିନି ରଥ ନିର୍ମାଣର ନିର୍ମାଣ ଲାଗି ଆଜ୍ଞାମାଳ ପ୍ରଦାନ କରନ୍ତି।
ବିଶ୍ୱକର୍ମା, ରୂପକାର, ଭୋଇ, ଦରଜି, କମାର ଇତ୍ୟାଦି ସେବକମାନେ ଶାଢ଼ି ବନ୍ଧାଇଥାନ୍ତି। ଏହାପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଓ ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକକୁ ଡେରାଇ ରଖି ସେଥିରେ ଶ୍ରୀମନ୍ଦିରର ଆଜ୍ଞାମାଳ ଆଣି ଏଥିରେ ଲାଗି କରାଯାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରି ନାହାକା ଡେରା ଅନୁକୂଳ ଓ ରଥଯାତ୍ରା ପୂର୍ବଦିନ ଅର୍ଥାତ୍ ନେତ୍ରୋତ୍ସବ ଦିନ ଅପରାହ୍ଣ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ ଶ୍ରୀନଅର ସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ୱାର ସମ୍ମୁଖରେ ରଖାଯାଏ।
ପରମ୍ପରା ଅନୁଯାୟୀ, ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ କପଡ଼ା, ତାଳଧ୍ୱଜ ପାଇଁ ନାଲି ଓ ନେଳି କପଡ଼ା ଏବଂ ଦର୍ପଦଳନ ପାଇଁ ନାଲି ଓ କଳା କପଡ଼ା ବ୍ୟବହାର କରାଯାଏ। ୬ ଫୁଟ୍ ଉଚ୍ଚତାର ୧୬ଟି ଚକ ବିଶିଷ୍ଟ ନନ୍ଦିଘୋଷର ଦୈର୍ଘ୍ୟ ପ୍ରସ୍ଥ ୩୪ ଫୁଟ୍ ୬ ଇଞ୍ଚ ଓ ଉଚ୍ଚତା ୪୬ ଫୁଟ। ୬ ଫୁଟ୍ ୬ ଇଞ୍ଚ ଉଚ୍ଚତାର ୧୪ ଚକ ବିଶିଷ୍ଟ ତାଳଧ୍ୱଜ ରଥର ଦୈର୍ଘ୍ୟପ୍ରସ୍ଥ ୩୩ ଫୁଟ୍ ଓ ଉଚ୍ଚତା ୪୫ ଫୁଟ୍। ସେହିପରି ୪୫ ଫୁଟ୍ ୫ ଇଞ୍ଚ ଉଚ୍ଚତାର ୧୨ ଚକ ବିଶିଷ୍ଟ ଦେବଦଳନ ରଥର ଦୈର୍ଘ୍ୟପ୍ରସ୍ଥ ୩୧ ଫୁଟ୍ ୬ ଇଞ୍ଚ।
ଶ୍ରୀଜଗନ୍ନାଥଙ୍କ ରଥକୁ ‘ନନ୍ଦିଘୋଷ’ କୁହାଯାଉଥିଲେ ହେଁ, ଗରୁଡ଼ ଚିହ୍ନ ଅଙ୍କିତ ପତକା ଧାରଣ କରିଥିବାରୁ ‘ଗରୁଡ଼ଧ୍ୱଜ’ ବା ‘କପିଳଧ୍ୱଜ’ ବୋଲି ବିଦ୍ୱାନମାନେ ନାମିତ କରିଥାନ୍ତି। ଏହାର ଦଧିନଉତିର ନାଁ ହିରଣ୍ୟଗର୍ଭ। ପଞ୍ଚମୁଖୀ ହନୁମାନ ହେଉଛନ୍ତି ଏହାର ଧ୍ୱଜପ ମୂର୍ତ୍ତି। ଏହି ରଥର ୧୬ଟି ଚକର ନାମ ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆସକ୍ତି, ରତି, କେଳି, ସତ୍ୟ, ସୁସୁପ୍ତି, ଜାଗୃତି, ତୂରୀୟ, ଆମ ଓ ନର୍ବାଣ।
ନନ୍ଦିଘୋଷ ରଥର ସାରଥୀଙ୍କ ନାମ ଦାରୁକ। ଏହାର ରଥ ଦଉଡ଼ିକୁ କୁହାଯାଏ ଶଙ୍ଖଚୂଡ଼। ଧଳା ରଙ୍ଗର ଚାରୋଟି ଘୋଡ଼ାଙ୍କର ନାମ ହେଉଛି ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦ୍ୱାଶ। ପାଶ୍ୱ ଦେବାଦେବୀ ଭାବେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ, ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ, ଲକ୍ଷ୍ମଣ, ମହାବୀର ପ୍ରମୁଖ ଅବସ୍ଥାପିତ।
ଶ୍ରୀବଳଦେବଙ୍କ ‘ତାଳଧ୍ୱଜ’ ବା ‘ଲଙ୍ଗଳଧ୍ୱଜ’ ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରିଥାନ୍ତି। ଏହାର ଦଧିନଉତିର ନାଁ ହିରଣ୍ମୟୀ। ଲକ୍ଷ୍ମୀ-ନୃସିଂହ ଏହାର ଧ୍ୱଜପ ମୂର୍ତ୍ତି। ସାରଥୀ ହେଲେ ମାଳତୀ। ରଥ ଦଉଡ଼ିର ନାଁ ବାସୁକୀ। କଳା ରଂଗର ଚାରୋଟି ଘୋଡ଼ାଙ୍କର ନାମ ହେଉଛି ତୀବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାଭ ଅନ୍ୟ ଭାବରେ ସ୍ଥିରା, ଧୃତି, ସ୍ଥିତି ଓ ପ୍ରଜ୍ଞା ନାମରେ ଚିହ୍ନିତ କରାଯାଏ।
ସେହିପରି ତାଳଧ୍ଵଜ ରଥର ପାର୍ଶ୍ଵ ଦେବତା ଭାବେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣକୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର ବା ବୃଷଭ ଉପରେ ନୃତ୍ୟରତ ଶିବ, କାର୍ତ୍ତିକେଶ୍ୱର, ମଧୁକୈଟବ-ବିଷ୍ଣୁଙ୍କ ଯୁଦ୍ଧ ଓ ଅନନ୍ତବାସୁଦେବ ଅବସ୍ଥାନ କରିଥାନ୍ତି।
ଅନ୍ୟପଟେ ‘ଦର୍ପଦଳନ’ ବା ‘ଦେବଦଳନ’ ଅବା ‘ପଦ୍ମଧ୍ୱଜ’ ରଥରେ ସୁଭଦ୍ରାଙ୍କ ସହ ସୁଦର୍ଶନ ବିଜେ କରନ୍ତି। ଏହାର ଦଧିନଉତିର ନାଁ ଭୁବନକୋଷ। ଧ୍ୱଜପ ମୂର୍ତ୍ତି ଜୟଦୁର୍ଗା ଅଟନ୍ତି। ଅର୍ଜ୍ଜୁନ ହେଲେ ସାରଥୀ। ରଥ ଦଉଡ଼ିର ନାମ ସ୍ୱର୍ଣ୍ଣଚୂଡ଼। ନାଲି ରଙ୍ଗର ଚାରୋଟି ଘୋଡ଼ା ହେଲେ ରୋଚିକା, ମୋଚିକା, ଜିତା ଓ ଅପରାଜିତା।
ଦର୍ପଦଳନ ରଥର ପାର୍ଶ୍ଵ ଦେବତା ଭାବେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ ବା ଶବରୂଢ଼ା ଚତୁର୍ଭୁଜା, ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜାଙ୍କ ପାଟିରେ ବାମହାତ କାଣି ଆଙ୍ଗୁଠି) ଏବଂ ଅଘୋରା ଅବସ୍ଥାନ କରିଥାନ୍ତି। ପ୍ରତି ରଥର ଦଧିନଉତି ଉପରେ ନଭ, ଆକାଶ, ବ୍ୟୋମ, ପରା, ଅପରା, ବୈଖାରୀ, ଚନ୍ଦ୍ର, ସୂର୍ଯ୍ୟ, ବିଜୁଳୀ ନାମରେ ୯ଟି କିତଳ କଳସ ସ୍ଥପନ କରାଯାଏ।
ରଥନିର୍ମାଣ ଧାରା (କାଠ, ରଥ ଓ କାରିଗର)
ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତନ୍ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥର ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ। ବହୁ ପ୍ରାଚୀନ କାଳରୁ ଏଠାକାର ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦି ଗ୍ରନ୍ଥମାନଙ୍କରେ ସବିଶେଷ ବିଧି ବିଧାନ ରହିଛି।
‘ଶିଳ୍ପସାର ସଂଗ୍ରହ’ ପୋଥିରେ ୨ୟ ଖଣ୍ଡରେ ରଥର ଆମୂଳଚୂଳ ମୋଟ ୨୭ ଭାଗ କରାଯାଇଛି। ପ୍ରତ୍ୟେକ ଭାଗକୁ ଚଉଠା ଓ ଚଉଠା ଦେଢ଼ ଭାଗକୁ ଅଙ୍ଗୁଳ ବା କଳା କୁହାଯାଏ। ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା। ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ। ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ୨ୟ ଧାରଣାର ଲମ୍ବ ୨୧ ଚଉଠା ଓ ୩ୟ ଧାରଣାର ଲମ୍ବ ୧୫ ଚଉଠା। ମୁହାଣର ଲମ୍ବ ୧୫ ଚଉଠା, କୁଡୁକାର ଲମ୍ବ ଧାରଣ ମହଲାକୁ ୩ ଚଉଠା, ଏପରି ଚାରି କୋଣରେ ୮ କୁଡୁକା ଦିଆଯାଏ।
ରଥପାଦ ଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଥିବା ଅଂଶଗୁଡ଼ିକ ମଧ୍ୟରେ ଚକ, ଦଣ୍ଡିଆ, ଅର, ବାଙ୍କି ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଈପଟା, ସିଂହାସନ, କନକ ମୁଣ୍ଡେଇ, ଭୂମି, ଷୋଳନାହକ, ମଗରଦଣ୍ଡା, ବସନ୍ତ, ଦୁଆରଘୋଡ଼ା, ସାରଥୀ ପୀଡ଼, କୁମ୍ଭପଟି, ରାହୁପଟି, ଆଠ ନାହାକା, ପୀଢ଼, ଋଷିପଟା, ଦଣ୍ଡା, ପାରାଭାଡି, ଖପୁରୀ, ପାଦ, ଓଲଟଶୁଆ, ଦଧିନଉତି, କଣ୍ଠି, ଦଣ୍ଡ, ଚକ୍ର ଓ କେତନ।
ଶିଳ୍ପ ଶାସ୍ତ୍ରାନୁଯାୟୀ ରଥର ଅଙ୍ଗ ଗୁଡିକୁ ସାଧାରଣତଃ ୧୩ଟି ମୁଖ୍ୟ ଅଙ୍ଗରେ ବିଭକ୍ତ କରାୟାଇଛି । ଯଥା ଚକ୍ରପୀଠ, ଅରଦଣ୍ଡା, ଗଗରା, ମୂଳନାଭ, ବରାଣ୍ଡି, ହଂସପଟା, ରଥଗର୍ଭ, ପାରାଭାଡି, କଳସ ପୀଠ, ଦଧିନଉତି, କର୍ଣ୍ଣଅଳା, ଧାତୁ କଳସ ଓ ଆୟୁଧ ଧ୍ୱଜା।
ବହୁ ପ୍ରାଚୀନ କାଳରୁ ମହାପ୍ରଭୁମାନଙ୍କ ରଥନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀରେ ଭେଳା କରାଯାଇ ପୁରୀକୁ ଅଣାଯାଉଥିଲା। ପୁରୀଠାରୁ ଦଶ କିଲୋମିଟର ଦୂର ମାଳତୀ ପାଟପୁର ନିକଟସ୍ଥ କାଠପୋଲଠାରୁ ଏହି କାଠଗୁଡ଼ିକ ଶଗଡ଼ରେ ବୁହା ଯାଉଥିଲା ଓ ପୁରୀରେ ଥିବା କେତେକ ମଠ ରଥକାଠ ବୁହାଇବା ପାଇଁ ଶଗଡ଼ମାନ ଯୋଗାଉଥିଲେ। ମାତ୍ର ଏହି ପରମ୍ପରା ଅଧୁନା ପରିବହନ ମାର୍ଗର ସୁବିଧା ଯୋଗୁଁ ଲୋପ ପାଇଗଲାଣି। ସମ୍ପ୍ରତି ସିଧାସଳଖ ଟ୍ରକ୍ଯୋଗେ ଏହି କାଠ ପୁରୀ ରଥଖଳାଠାରେ ଆଣି ପହୁଞ୍ଚାଯାଉଛି।
‘ରଥସଂହିତା’ ଅନୁଯାୟୀ ତିନୋଟି ରଥନିର୍ମାଣ ପାଇଁ ୧୧୩୯ଟି କାଠ ଆସିଥାଏ। ସମ୍ପ୍ରତି ନୟାଗଡ଼ ଓ ଖୋର୍ଦ୍ଧା ଡିଭିଜନର ଜଙ୍ଗଲ ବିଭାଗ ଅଧିକାରୀ ୮୬୨ ଖଣ୍ଡ ଅସନ, ଧଉରା ଓ ଫାସୀ ଇତ୍ୟାଦି କାଠ ପଠାଉଛନ୍ତି। ଏଥିମଧ୍ୟରୁ ୭୨ ଖଣ୍ଡ ଫାସୀ କାଠ ଅଟେ। ରଣପୁର ଜଙ୍ଗଲରୁ ୨୭୪ ଖଣ୍ଡ କଞ୍ଚାକାଠ ଓ ତିନୋଟି ଶିମୁଳି କାଠ ଆସିଥାଏ।
ରଥ ନିର୍ମାଣରେ ମୋଟ ୬୦ ଜଣ ମହାରଣା, ୭୫ ଜଣ ଭୋଇ, ୧୫ ଜଣ କମାର, ୨୦ ଜଣ ଚିତ୍ରକର, ୮ ଜଣ ଦର୍ଜୀ ଓ ୧୫ ଜଣ ରୂପକାର ସେବକ କାର୍ଯ୍ୟ କରିଥାନ୍ତି। ତିନୋଟିଯାଖ ରଥର ଗଠନପଦ୍ଧତି ଶିଳ୍ପ ଶାସ୍ତ୍ରାନୁମୋଦିତ। ପ୍ରତି ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼ ଓ ୯ଟି ପାଶ୍ୱର୍ଦେବତା ଖଞ୍ଜା ଯାଇଥାନ୍ତି । କେବଳ ନବକଳେବର ବର୍ଷ ନୂତନ ଭାବେ ସାରଥୀ, ଅଶ୍ୱ, ପାଶ୍ୱର୍ଦେବତା, ଠେକରାବାଡ଼, ରଥବ୍ରେକ, ହଂସପଟା ଓ କନ୍ୟାପଟା ଇତ୍ୟାଦି ନିର୍ମାଣ କରାଯାଇଥାଏ। ଏଥିନିମନ୍ତେ ସ୍ୱତନ୍ତ୍ର ଭାବେ ଶାଳ, ଗମ୍ଭାରୀ ଇତ୍ୟାଦି କାଠ ଜଙ୍ଗଲ ବିଭାଗ ପକ୍ଷରୁ ଯୋଗାଯାଇଥାଏ।
ରଥ ଉପରେ ଶ୍ରୀଜୀଉଙ୍କ ପ୍ରମୁଖ ନୀତି
୧. ଛେରାପହଁରା
ଶ୍ରୀଗୁଣ୍ଡିଚା ଯାତ୍ରାର ପ୍ରମୁଖ ଆକର୍ଷଣ ହେଉଛି ଛେରାପହଁରା। ପୁରୀର ଗଜପତି ମହାରାଜା ତିନିରଥ ଉପରେ ଛେରାପହଁରା କରିବା ଏକ ଐତିହାସିକ ଭୂମିକା। ସେ ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରାପହଁରା କରନ୍ତି। ରାଜାଙ୍କ ହାତକୁ ଗରାବଡୁ ସେବକ ପାଣି ବଢ଼ାଇଦିଅନ୍ତି ଓ ଗଜପତି ପୁଷ୍ପାଞ୍ଜଳି ଦିଅନ୍ତି। ସୁନାକର୍ପୂର ଆଳତି ଭଣ୍ଡାର ମେକାପ ରାଜାଙ୍କ ହସ୍ତକୁ ବଢ଼ାନ୍ତି। ରାଜା ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନାଚାମରରେ ଆଲଟସେବା କରିଥାନ୍ତି। ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲଭଣ୍ଡାର ମେକପ ପୂଜାପିଙ୍ଗଣରେ ଧରିଥାଏ।
ଏହି ସମୟରେ ରାଜଗୁରୁ ମୁଦୁସୁଲି ସେବକଙ୍କଠାରୁ ସୁନାଖଡ଼ିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାନ୍ତି। ଭଣ୍ଡାର ମେକାପ ରଥ ଚାରିପାଖରେ ବୁଲି ଶୁକ୍ଳଫୁଲ ଆଗରେ ପକାନ୍ତି ଓ ଗଜପତି ସୁନାଖଡ଼ିକା ଧରି ରଥ ଚାରିପାଖେ ପହଁରା କରନ୍ତି। ଏହାପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନପାଣିକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକାପ ଗଜପତିଙ୍କ ହସ୍ତକୁ ବଢ଼ାଇଥାନ୍ତି ଓ ସେ ଚନ୍ଦନପାଣି ରଥରେ ସିଞ୍ଚନ କରନ୍ତି। ଏହି କ୍ରମରେ ପ୍ରଭୁ ବଳଭଦ୍ରଙ୍କ ରଥ ପରେ ଶ୍ରୀଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ ଛେରାପହଁରା କରାଯାଏ।
୨. ରଥ ଉପରେ ସୁନାବେଶ ନୀତି
ମହାପ୍ରଭୁଙ୍କ ସକଳ ବେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ ସୁନାବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ। ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଦଶହରା ଭଳି ଦିନରେ ରାଜବେଶ, ରାଜା ରାଜେଶ୍ୱର ବା ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ତେବେ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାରଠାରେ ଦଣ୍ଡାୟମାନ ଥିବା ରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ।
ଗବେଷକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ବଡ଼ତଢାଉ ବେଶ। କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ। ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟଦ୍ୱାର ସ୍ଥିତ ଶିଳାଲେଖରେ ସୂଚନା ରହିଛି। ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ।
ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗର ଭକ୍ତ ଦର୍ଶନ କରି ପାରୁନଥିବାରୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ। ବାହୁଡ଼ା ଯାତ୍ରାରେ ତିନିରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ।
ଏଣୁ, ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନଧୂପ ଶେଷହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନି ରଥ ଉପରକୁ ଆସିଥାଏ। ପାଳିଆ, ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି।
(ଲେଖକ ହେଉଛନ୍ତି ଭଦ୍ରକ ବିଏନଏମଏ କଲେଜର ଓଡ଼ିଆ ବିଭାଗ ମୁଖ୍ୟ। ମତାମତ ନିଜସ୍ଵ।)
Tags: #Rathajatra #LordJagannath #Cluture #Tradition #Puri