ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ଚାରି ବର୍ଷ ହେଲା ଭିନ୍ନ ମୋଡ଼ ନେଇଛି ବିଜେଡି ରାଜନୀତି
  • ଦଳରେ ତିଆରି ହୋଇଛି କୋଟେରୀ ଗୋଷ୍ଠୀ
  • ରାଜ୍ୟରେ ଭ୍ରଷ୍ଟାଚାର ବଢ଼ିଛି
  • ଦୁର୍ନୀତି କଲେ ମନ୍ତ୍ରୀଙ୍କୁ ବିଦା କରାଯାଉ ନାହିଁ
  • ଅଫିସରମାନେ ନିଜ ସୀମାରେ ରହିବା ଉଚିତ୍
  • ନବୀନ ଥିଲେ ମୋ ବଡ଼ଭାଇ
  • ଆଗକୁ କ’ଣ କରିବି ଭାବିଚିନ୍ତି ନିଷ୍ପତ୍ତି ନେଉଛି

ବିଜେଡି ଛାଡ଼ିବା ପରେ ଓଡ଼ିଆ ଟିଭି ଚ୍ୟାନେଲରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବୈଜୟନ୍ତ ପଣ୍ଡା। ନିଜ ପରିବାର ମାଲିକାନାରେ ଥିବା ‘ଓଟିଭି’ର ଖୋଲାକଥା କାର୍ଯ୍ୟକ୍ରମରେ ଦଳ ଛାଡ଼ିବା ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଏହି ଆଲୋଚନା ବେଳେ ବୈଜୟନ୍ତ ବିଜେଡିର କୋଟେରୀ ଗୋଷ୍ଠୀକୁ ଟାର୍ଗେଟ କରିଛନ୍ତି। କୋଟେରୀ ଗୋଷ୍ଠୀଙ୍କ ଷଡ଼ଯନ୍ତ୍ର ପାଇଁ ସେ ବିଜେଡି ଛାଡ଼ିଥିବା କହିଛନ୍ତି। ଏହି କୋଟେରୀ ଗୋଷ୍ଠୀ ପାଞ୍ଚ ବର୍ଷ ହେଲା ଦଳକୁ ଏବଂ ଦଳର ନେତା ନବୀନ ପଟ୍ଟନାୟକଙ୍କୁ କବ୍‌ଜା କରି ନେଇଥିବା ବୈଜୟନ୍ତ କହିଛନ୍ତି।

“୧୪ ବର୍ଷ ଠିକ୍‌ଠାକ୍‌ ଶାସନ ଚାଲିଲା। ହେଲେ ଗତ ଚାରି ବର୍ଷ ହେଲା ବିଜେଡି ରାଜନୀତି ଭିନ୍ନ ମୋଡ଼ ନେଇଛି। ଦଳରେ ଗୋଟିଏ କୋଟେରୀ ଗୋଷ୍ଠୀ ତିଆରି ହୋଇଛନ୍ତି। ଏହି ଗୋଷ୍ଠୀ ଦଳକୁ ନିୟନ୍ତ୍ରଣ କରୁଛନ୍ତି। ନବୀନ ପଟ୍ଟନାୟକଙ୍କୁ ମଧ୍ୟ କବ୍‌ଜା କରି ନେଇଛନ୍ତି। ନବୀନଙ୍କର ଅବସ୍ଥା କ’ଣ ହେବ ତାକୁ ନେଇ ମୋର ଚିନ୍ତା ବଢ଼ିଛି”, କହିଛନ୍ତି ବୈଜୟନ୍ତ ପଣ୍ଡା।

ଜୟ ପଣ୍ଡା ଆହୁରି କହିଛନ୍ତି ଯେ ରାଜ୍ୟରେ ଭ୍ରଷ୍ଟାଚାର ବଢ଼ିଛି। ଗତ ୪ ବର୍ଷ ହେଲା ରାଜ୍ୟରେ ୫୦ ପ୍ରତିଶତ ଅପରାଧ ବଢ଼ିଥିବା ଏନସିଆର୍‌ବି ରେକର୍ଡରୁ ଜଣାପଡ଼ିଛି। ଏହି କୋଟେରୀ ଗୋଷ୍ଠୀଙ୍କ ପ୍ରଭାବ ଯୋଗୁଁ ରାଜ୍ୟରେ ଏଭଳି ସ୍ଥିତି ଉପୁଜିଛି।

“ନବୀନଙ୍କ ତିନି ଟର୍ମ ଶାସନ ପର୍ଯ୍ୟନ୍ତ ୩୬ ଜଣ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ। ବିଭିନ୍ନ ଦୁର୍ନୀତି ଅଭିଯୋଗରେ ସେମାନଙ୍କୁ ବିତାଡିତ କରାଯାଉଥିଲା। କିନ୍ତୁ ଗତ ଚାରି ବର୍ଷ ହେଲା ଯେଉଁ ମନ୍ତ୍ରୀମାନେ ବିଦା ହୋଇଛନ୍ତି ସେମାନଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରାଯାଇ ନାହିଁ। ଫଳରେ ଲୋକଙ୍କ ମନରେ ବିଜେଡି ପ୍ରତି ଏକ ନକରାତ୍ମକ ଭାବନା ସୃଷ୍ଟି ହୋଇଛି।”

ଅଫିସରଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ବୈଜୟନ୍ତ କହିଛନ୍ତି, “ମୁଁ ଅଫିସରମାନଙ୍କୁ ସମ୍ମାନ ଦିଏ। ସେମାନଙ୍କ ପାଇଁ ସରକାର ନୀତିନିୟମ ତିଆରି କରିଛନ୍ତି। ଅଫିସରମାନେ ସେମାନଙ୍କ ସୀମା ଭିତରେ ରହିବା ଉଚିତ୍। ଅଫିସର ଚାନ୍ଦା ମାଗିବା ଏବଂ ଟିକେଟ ବାଣ୍ଟିବା କେଉଁ ଆଇନରେ ଲେଖାଯାଇ ନାହିଁ। ସିବିଆଇ କିମ୍ବା ଇଡି ଏହାର ତଦନ୍ତ କଲେ ସବୁକଥା ପଦାକୁ ଆସିପାରନ୍ତା।”

ମୋ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ନବୀନ ପଟ୍ଟନାୟକ କମିଟି ଗଠନ କରିଥିଲେ। ହେଲେ ସେମାନେ ମୋତେ ଉତ୍ତର ରଖିବାକୁ ସୁଯୋଗ ଦେଲେନି। ଦୁଇ ତିନି ଦିନ ଭିତରେ ତଦନ୍ତ ଶେଷ କରି ମତେ ଦଳରୁ ନଲମ୍ବନ କରିଦେଲେ। ଏମାନଙ୍କୁ କୁନ୍ଦୁଲି ଏବଂ ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ ଦାୟିତ୍ୱ ଦେବା ଦରକାର ବୋଲି ବୈଜୟନ୍ତ କହିଛନ୍ତି।

“ବିଜୁ ପଟ୍ଟନାୟକଙ୍କ ପରିବାର ସହ ଆମର କ’ଣ ସମ୍ପର୍କ ତାହା ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି। ନବୀନ ପଟ୍ଟନାୟକ ମୋ ନେତା ନଥିଲେ। ମୁଁ ତାଙ୍କୁ ବଡ଼ ଭାଇ ଭଳି ସମ୍ମାନ ଦେଉଥିଲି”, କହିଛନ୍ତି ବୈଜୟନ୍ତ।

୨୦୧୯ ନିର୍ବାଚନ ଲଢ଼ିବେ କି ବୋଲି ପ୍ରଶ୍ନର ଉତ୍ତରରେ ବୈଜୟନ୍ତ କହିଛନ୍ତି ଯେ ଲୋକଙ୍କ ସେବା କରିବାକୁ ମୁଁ ଆସିଛି। ଖାଲି ରାଜନୀତିରେ ରହି ସେବା କରିବା ଭାବିବା ଭୁଲ୍। ତାଛଡ଼ା ଯେହେତୁ ମୁଁ ୧୮ ବର୍ଷ ହେଲା ରାଜନୀତି କରି ଆସୁଛି ଆଗକୁ କ’ଣ କରିବି ସେନେଇ ନିଷ୍ପତ୍ତି ନେଇନାହିଁ। ଏ ସମ୍ପର୍କରେ ମୋ ନିର୍ବାଚନମଣ୍ଡଳୀର ଲୋକଙ୍କ ମତ ନେଉଛି। ସେମାନଙ୍କ ମତ ଅନୁସାରେ ମୁଁ ପଦକ୍ଷେପ ନେବି।

କେଉଁ ଦଳକୁ ଯିବା ନେଇ ପ୍ରଶ୍ନର ଉତ୍ତରରେ ବୈଜୟନ୍ତ କହିଲେ ଯେ ସବୁ ଦଳରେ ମୋର ବନ୍ଧୁ ଅଛନ୍ତି। ମୁଁ ସେମାନଙ୍କ ସହ ଆଲୋଚନା କରୁଛି। ତରବରିଆ ଭାବେ ନିଷ୍ପତ୍ତି ନେବାକୁ ଚାହୁଁନି। କ’ଣ କଲେ ଭଲ ହେବ ତାହା ଭାବିଚିନ୍ତି ନିଷ୍ପତ୍ତି ନେବି ବୋଲି ବୈଜୟନ୍ତ କହିଛନ୍ତି।

LEAVE A REPLY

Please enter your comment!
Please enter your name here