ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ତ୍ରୁଟି ଅଭିଯୋଗରେ ସିବିଏସ୍ଇ କର୍ତ୍ତୃପକ୍ଷ ଶନିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୧୩୦ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ସିବିଏସ୍ଇ ଅଧିକାରୀ। ନିଲମ୍ବିତ ହୋଇଥିବା ଶିକ୍ଷକଙ୍କ ମଧ୍ୟରେ ସର୍ବାଧିକ ବିହାର ପାଟଣାର ବୋଲି ଜଣାପଡ଼ିଛି।
ପାଟଣାର ୪୫ ଜଣ ଶିକ୍ଷକ ନିଲମ୍ବିତ ହୋଇଥିବା ବେଳେ ଡେରାଡୁନର ୨୭ ଜଣ, ଚେନ୍ନାଇର ୧୪ ଜଣ, ଆହ୍ଲାବାଦର ୧୧ ଜଣ, ଦିଲ୍ଲୀର ୬ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ଭୁବନେଶ୍ବରର ୭ ଜଣ, ଗୌହାଟୀର ୨ ଜଣ ଏବଂ ଥିରୁବନନ୍ତପୁରମର ଜଣେ, ଆଜମେର ଓ ପଞ୍ଚକୁଳାର ୮ ଜଣ ଶିକ୍ଷକ ନିଲମ୍ବିତ ହୋଇଛନ୍ତି।
ମେ ଶେଷ ସପ୍ତାହରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଖାତା ମୂଲ୍ୟାୟନକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ପୁନଃ ମୂଲ୍ୟାୟନ ପାଇଁ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏପଟେ ଖାତାଦେଖା ବିଭ୍ରାଟକୁ ନେଇ ସିବିଏସ୍ଇ କର୍ତ୍ତୃପକ୍ଷ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।