ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ମାଟ୍ରିକ ପରୀକ୍ଷା ପାଇଁ ଶୁକ୍ରବାରଠାରୁ ଖାତାଦେଖା ଆରମ୍ଭ ହୋଇଛି। ଏଥିରେ ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ରାଜ୍ୟର ୫୫ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ଦେଖାଯାଉଛି। ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଖାତା ମଧ୍ୟ ଏଠାରେ ଦେଖାଯିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତବର୍ଷ ମାଟ୍ରିକ ଖାତାଦେଖା ୧୪ ଦିନ ଧରି ଚାଲିବ। ଏଥିରେ ଛାତ୍ରଛାତ୍ରୀଙ୍କ ୫୦ ନମ୍ବର ବିଶିଷ୍ଟ ଲିଖିତ ପରୀକ୍ଷା ଉତ୍ତର ଖାତାର ମୂଲ୍ୟାୟନ ପାଇଁ ବ୍ୟବସ୍ଥା ରହିଛି। ସକାଳ ୧୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତାଦେଖା ପାଇଁ ସମୟ ଧାର୍ଯ୍ୟ ହୋଇଛି।

ଖାତାଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ ୯ଟି ୟୁନିଟ୍ ଏବଂ ସର୍ବାଧିକ ୧୩ଟି ୟୁନିଟ୍ ରହିଛି। ପ୍ରତି ୟୁନିଟରେ ୨୫ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ଲାଗି ନିୟୋଜିତ କରାଯାଇଛି। ଏଥିପାଇଁ ପୂର୍ବରୁ ବୋର୍ଡ ପକ୍ଷରୁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିଥିଲା। ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ।

Tags: #MatricExam #Evaluation #Students #Teachers #BSE #Odisha

Comment