ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଓଡ଼ିଆରେ ମଧ୍ୟ ପଢ଼ାଯିବ ସିବିଏସଇ ପାଠ୍ୟକ୍ରମ। ଓଡ଼ିଆ ସହ ଦେଶର ଅନ୍ୟ ୨୨ଟି ଆଞ୍ଚଳିକ ଭାଷାରେ ମଧ୍ୟ ସିବିଏସଇ ପାଠ୍ୟକ୍ରମ ପଢ଼ିପାରିବେ ଛାତ୍ରଛାତ୍ରୀ। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଆଞ୍ଚଳିକ ଭାଷାରେ ପାଠ୍ୟକ୍ରମ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସିବିଏସଇ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଛାତ୍ରଛାତ୍ରୀମାନେ ଚାହିଁଲେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଓଡ଼ିଆରେ ପଢ଼ିପାରିବେ। ଏଥିପାଇଁ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ ଏନସିଇଆରଟିକୁ ନିର୍ଦେଶ ଦିଆଯାଇଛି।

“ଭାରତ ସରକାର ଦେଶର ସବୁ ଆଞ୍ଚଳିକ ଭାଷାକୁ ଗୁରୁତ୍ଵ ଦେଇଆସୁଛନ୍ତି। ପିଲାଙ୍କ ପାଠପଢ଼ାରେ ମାତୃଭାଷାର ପ୍ରାଧାନ୍ୟ ଅଧିକ ରହିଥାଏ। ଏବେ ଛାତ୍ରଛାତ୍ରୀମାନେ ନିଜ ଇଚ୍ଛା ଅନୁସାରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ସିବିଏସଇ ପାଠ୍ୟକ୍ରମ ପଢ଼ିପାରିବେ। ଏହା ସେମାନଙ୍କୁ ବିଭିନ୍ନ ବିଷୟକୁ ଠିକ ଭାବେ ବୁଝିବାରେ ସାହାଯ୍ୟ କରିବ। ଏହା ହିଁ ଜାତୀୟ ଶିକ୍ଷା ନୀତିର ମୁଖ୍ୟ ଉଦ୍ଦେଶ୍ୟ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଅନ୍ୟପଟେ ଆଞ୍ଚଳିକ ଭାଷାରେ ପାଠପଢ଼ା ପାଇଁ ସ୍କୁଲଗୁଡ଼ିକ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ସିବିଏସଇ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିରେ ଛାତ୍ରଛାତ୍ରୀଙ୍କୁ ଯେପରି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ, ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି।

Tags: #SchoolEducation #CBSE #RegionalLanguages #MinistryofEducation

Comment