ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମିତ ଶାହ ମହାନଦୀ ପ୍ରସଙ୍ଗରେ କ’ଣ କହୁଛନ୍ତି ତା’ ଉପରେ ରହିଛି ସମସ୍ତଙ୍କ ନଜର।

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ରବିବାର ଭୁବନେଶ୍ୱର ଆସୁଛନ୍ତି। ୨୦୧୭ ସେପ୍ଟେମ୍ବର ମାସରେ ଦଳୀୟ କର୍ମକର୍ତ୍ତାଙ୍କୁ ମିଶନ-୧୨୦ ସମ୍ପର୍କରେ ଦେଇଥିବା ଟାସ୍କାର ଟିକିନିଖି ହିସାବ ନେବେ। ସଙ୍ଗଠନ ମଜଭୁତ କାମ କେତେବାଟ ଆଗେଇଛି ତାର ହିସାବ ନେବେ। ହେଲେ ଓଡ଼ିଶାର ଜୀବନାରେଖା ମହାନଦୀ ସମ୍ପର୍କରେ ଶାହ କିଛି କହିବେ କି ବୋଲି ବୁଦ୍ଧିଜୀବୀ ମହଲ ଏବଂ ରାଜନୀତି କରିଡ଼ରରେ ଚର୍ଚ୍ଚାର ବିଷୟ ହୋଇଛି।

ମହାନଦୀ ହେଉଛି ଓଡ଼ିଶାର ଗଙ୍ଗା। ଏହା ଉପରେ ଓଡ଼ିଶାର ୧୫ଟି ଜିଲ୍ଲାର ଲୋକ ନିର୍ଭରଶୀଳ। ଚାଷ କାମ ଏବଂ ପାନୀୟ ଜଳ ପାଇଁ ମହାନଦୀର ପାଣି ଉପରେ ଲୋକେ ନିର୍ଭର କରୁଥିଲେ। ମତ୍ସ୍ୟଜୀବୀମାନେ ମାଛ ଧରି ଜୀବିକା ନିର୍ବାହ କରୁଥିଲେ। ହେଲେ ମହାନଦୀର ପାଣି ଉପରେ ଲୋଲୁପ ଦୃଷ୍ଟି ପକାଇଛି ଛତିଶଗଡ଼ ସରକାର।

ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ପ୍ରକଳ୍ପ ନିର୍ମାଣ କରୁଥିବାରୁ ଓଡ଼ିଶାରେ ଜଳର ପରିମାଣ ହ୍ରାସ ପାଇଛି। ଏହାକୁ ବିଜେଡି ପ୍ରମୁଖ ରାଜନୀତିକ ଅସ୍ତ୍ର କରିଛି। ୧୫ଟି ଜିଲ୍ଲାରେ ଆନ୍ଦୋଳନ କରି ଜନସମର୍ଥନ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥିପାଇଁ ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାରକୁ ଦାୟୀ କରି ରାଜନୀତିକ ଗୋଟି ଚଳାଇଛନ୍ତି। ହେଲେ ମହାନଦୀ ପାଣି ସମାଧାନ ଏଯାଏଁ ସମାଧାନ ହୋଇପାରି ନାହିଁ।

ଏନଡିଏ ସରକାରର ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୬ରେ କଟକ ଆସିଥିଲେ। ବାଲିଯାତ୍ରା ପଡ଼ିଆରେ ସମାବେଶ କରି ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ଆଶା ରହିଥିଲା ପ୍ରଧାନମନ୍ତ୍ରୀ ମହାନଦୀ ଜଳ ବିବାଦ ସମ୍ପର୍କରେ କିଛି କହିବେ। ହେଲେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିରାଶ କଲେ। ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଦାୟୀ କରି ଦିଲ୍ଲୀ ଚାଲିଗଲେ।

ଏହାପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଥିଲେ। କହିଥିଲେ ମହାନଦୀ ପାଣି କେବଳ ଛତିଶଗଡ଼ର। ଏହା ଉପରେ ଛତିଶଗଡ଼ର ଅଧିକାର ରହିଛି। ନିର୍ବାଚନ ଆସିଲେ ଓଡ଼ିଶା ସରକାର ମହାନଦୀ କଥା ଉଠାନ୍ତି।

ରମଣ ସିଂହଙ୍କ ଏହି ମନ୍ତବ୍ୟକୁ ଓଡ଼ିଶାର ବିଜେପି ନେତା ଗୁରୁତର ସହ ବିଚାର କରିଥିଲେ। ଏହାର ପ୍ରମାଣ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ। ଧର୍ମେନ୍ଦ୍ର ଭୁବନେଶ୍ୱର ଏବଂ ସମ୍ବଲପୁରର ସାମ୍ବାଦିକ ସମ୍ମିଳନୀରେ ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ଭୁଲ୍ କରିଛି ବୋଲି ସ୍ୱାକାର କରିଥିଲେ। ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଲା ଯେ ମହାନଦୀ ପ୍ରସଙ୍ଗରେ ବିଜେପି ପଛରେ ପଡ଼ିବାକୁ ଚାହୁଁନି। ମହାନଦୀ ପାଣି ସହିତ ଓଡ଼ିଶାର ସ୍ୱାର୍ଥ ଜଡ଼ିତ ଥିବାରୁ ବିଜେପି ଏହାକୁ ରାଜନୀତିକ ଅସ୍ତ୍ର କରିବାକୁ ଚାହୁଁଛି। ହେଲେ ବିଜେପିର କେନ୍ଦ୍ର ନେତା ଏପର୍ଯ୍ୟନ୍ତ ମହାନଦୀ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।

କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସୁଛନ୍ତି ଏବଂ ଯାଉଛନ୍ତି, ହେଲେ କେହି ବି ମହାନଦୀ ପାଣି ଉପରେ ପଦଟିଏ କହି ନାହାନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଆସୁଥିବାରୁ ଓଡ଼ିଶାବାସୀ ଅମିତ ଶାହଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି। ବିବାଦୀୟ ମହାନଦୀ ପ୍ରସଙ୍ଗରେ ଶାହ କିଛି ଉଦବୋଧନ ଦେବେ ବୋଲି ଆଶା ରହିଛି। ହେଲେ ଶାହ ମହାନଦୀ ପ୍ରସଙ୍ଗରେ କିଛି କହୁଛନ୍ତି ନା ମୋଦିଙ୍କ ଭଳି ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦି ଦିଲ୍ଲୀ ଚାଲି ଯାଉଛନ୍ତି ତାହା ରବିବାର ସନ୍ଧ୍ୟାରେ ଜଣାପଡ଼ିବ।

Comment