ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଦିଲ୍ଲୀର ବୁରାରି ସନ୍ଥ ନଗର ଅଞ୍ଚଳରେ ଗୋଟିଏ ଘର ଭିତରୁ ପରିବାରର ୧୧ ଜଣଙ୍କ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ରବିବାର ସକାଳୁ ଦିଲ୍ଲୀର ବୁରାରି ଅଞ୍ଚଳରୁ ଗୁରୁ ଗୋବିନ୍ଦ ସିଂ ହସପିଟାଲ ବିପରୀତ ଦିଗରେ ଥିବା ଏକ ଘରର ପ୍ରଥମ ମହଲାରୁ ୧୧ ଜଣଙ୍କର ମୃତ ଶରୀର ଉଦ୍ଧାର କରାଯାଇଥିଲା। ମୃତକମାନଙ୍କ ମଧ୍ୟରେ ୭ ଜଣ ମହିଳା ଥିବାବେଳେ ଦୁଇ ଜଣ ହେଉଛନ୍ତି ଶିଶୁ।
୧୦ ଜଣଙ୍କର ଶବକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଜଣେ ବୃଦ୍ଧାଙ୍କର ମୃତ ଶରୀର ଚଟାଣରେ ପଡିଥିଲା। ବୃଦ୍ଧା ମହିଳାଙ୍କୁ ଶ୍ୱାସ ରୁଦ୍ଧ କରି ମରାଯାଇଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି।
ଘରୁ ମିଳିଥିବା କିଛି ହାତ ଲେଖାରୁ ଘରେ ତନ୍ତ୍ର ସାଧନାରେ ବିଶ୍ୱାସ ରଖୁଥିବାର ପ୍ରମାଣ ମିଳିଥିବା କଥା ପୁଲିସ କହିଛି। ୧୧ ଜଣ ଆତ୍ମହତ୍ୟା କରି ନାହାନ୍ତି। ଜଣେ ଅନ୍ୟମାନଙ୍କୁ ହତ୍ୟା କରିବାପରେ ଆତ୍ମହତ୍ୟା କରିଥିବା କଥା ସନ୍ଦେହ କରାଯାଉଛି ବୋଲି ଦିଲ୍ଲୀ ପୁଲିସର ଅତିରିକ୍ତ ଉପ କମିଶନର ଭିନୀତ କୁମାର କହିଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନରୁ ଆସିଥିବା ଏହି ପରିବାର ଦିଲ୍ଲୀରେ ଦୀର୍ଘ ୨୦ ବର୍ଷ ଧରି ବ୍ୟବସାୟ କରୁଥିଲେ ଏବଂ ସନ୍ଥ ନଗରରେ ସେମାନଙ୍କର ରାସନ ଦୋକାନ ଏବଂ ପ୍ଲାଇଉଡ୍ ଷ୍ଟୋର୍ ରହିଛି। ରାସନ ଦୋକାନଟି ପ୍ରତିଦିନ ସକାଳ ୬ଟାରେ ଖୋଲୁଥିବା ବେଳେ ରବିବାର ଏହା ନ ଖୋଲିବାରୁ ପାଖ ପଡ଼ୋଶୀଙ୍କ ସନ୍ଦେହ ଉପୁଜିଥିଲା।
ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଜଣେ ପଡ଼ୋଶୀ ଘଟଣା କ’ଣ ଜାଣିବାକୁ ଚେଷ୍ଟା କରିଥିଲେ ଏବଂ ଘର କବାଟ ଖୋଲା ରହିଥିବା ଦେଖିବାକୁ ପାଇଥିଲେ। ଘର ଭିତରର ଦୃଶ୍ୟ ଅତି ଭୟାନକ ଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାରର ସମସ୍ତ ୧୧ ସଦସ୍ୟଙ୍କ ଶବ ଜବତ କରିଥିଲା।
ପରିବାରର ସବୁଠୁ ବରିଷ୍ଠ ସଦସ୍ୟା ୭୫ ବର୍ଷୀୟା ମହିଳାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ମହିଳାଙ୍କ ଶବ ଚଟାଣରେ ପଡ଼ିଥିଲା ଏବଂ ଅନ୍ୟ ୧୦ ଜଣଙ୍କ ଶବ ଏକ ରେଲିଂରେ ଝୁଲୁଥିଲା।
ସମସ୍ତଙ୍କ ଆଖିରେ ପଟି ବନ୍ଧା ଯାଇଥିଲା। ଦିଲ୍ଲୀ ପୋଲିସର ଯୁଗ୍ମ କମିସନର ରାଜେଶ ଖୁରାନା କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଜଣ ନାବାଳକ ମଧ୍ୟ ଅଛନ୍ତି। ତେବେ ପାରିପାର୍ଶ୍ୱିକ ସ୍ଥିତି ସନ୍ଦେହଜନକ ଥିବାରୁ ଏହା ଏକ ଅତ୍ୟନ୍ତ ଯୋଜନାବଦ୍ଧ ସାମୂହିକ ହତ୍ୟାକାଣ୍ଡ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ମାମଲା ଅତ୍ୟନ୍ତ ରହସ୍ୟଜନକ ଥିବାରୁ ତଦନ୍ତ ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି।


















