ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ଲାକରୋଜ ଜାହାଜ ବୁଡ଼ିକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ। ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ସିବିଆଇ ତଦନ୍ତକୁ ସ୍ୱାଗତ କରିଥିବା ବେଳେ ବିଜେପି ବିଜେଡି ଉପରେ ଦୋଷ ଲଦିଛି।
ଏମ୍ଭି ବ୍ଲାକରୋଜ ଜାହାଜ ବୁଡ଼ିର ତଦନ୍ତ ସିବିଆଇ କରିବା ସ୍ପଷ୍ଟ ହେବା ପରେ ସର୍ଗର୍ମ୍ ହୋଇଛି ରାଜ୍ୟ ରାଜନୀତି। ବିଜେଡି ଉପରେ ବିଜେପି ଦୋଷ ଲଦିଥିବା ବେଳେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଦମ୍ଦାର ବାଣ ମାରିଛନ୍ତି।
ସିବିଆଇ ମତେ ପଚାରିଲେ ବ୍ଲାକରୋଜ ସମ୍ପର୍କରେ ମୋ ପାଖରେ ଯାହା ତଥ୍ୟ ଅଛି ଦେବି ବୋଲି ଦାମ କହିଛନ୍ତି।
“ବ୍ଲାକରୋଜ ବୁଡ଼ିଗଲା। କୋଟି କୋଟି ଟଙ୍କାର ଲୁହାପଥର ରପ୍ତାନୀ ହେଉଥିଲା। ହେଲେ ରପ୍ତାନୀକାରୀ କିଏ ତାହା ଜଣାପଡ଼ିଲା ନାହିଁ। ସିବିଆଇ ତଦନ୍ତ କଲେ ସବୁ ସ୍ପଷ୍ଟ ହେବ। ସିବିଆଇ ଯଦି ମତେ ବ୍ଲାକରୋଜ ସମ୍ପର୍କରେ ପଚାରେ ତାହାଲେ ମୁଁ ସବୁ ତଥ୍ୟ ଦେବି”, କହିଛନ୍ତି ଡାକ୍ତର ଦାମୋଦର ରାଉତ।
ଏପଟେ ବିଜେପି ଉପ-ସଭାପତି ସମୀର ମହାନ୍ତି ବିଜେଡି କୋର୍ଟକୁ ବଲ୍ ଫିଙ୍ଗିଛନ୍ତି। ବ୍ଲାକରୋଜ ଜାହାଜ ସହିତ ଯାଜପୁରର ଜଣେ ପୂର୍ବତନ ମନ୍ତ୍ରୀ ଏବଂ ବର୍ତ୍ତମାନର ବିଧାୟକଙ୍କ ହାତ ଥିବା ସେ ଇସାରା କରିଛନ୍ତି। ସେ ସରକାରରେ ପାୱାରଫୁଲ୍ ବିଧାୟକ ହୋଇଥିବାରୁ କ୍ରାଇମବ୍ରାଞ୍ଚ କିଛି କରିପାରୁନି ବୋଲି ସମୀର କହିଛନ୍ତି।
୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ସମୁଦ୍ର ଉପକୂଳରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ଜାହାଜ ବ୍ଲାକରୋଜ। ଏହି ଜାହାଜରେ ଥିଲା ୨୩,୫୦୦ ମେଟ୍ରିକ ଟନ୍ ଲୁହାପଥର। ଏଥିରେ ଜାହାଜର ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।
ଦୀର୍ଘ ଦିନ ଧରି ଜାହାଜଟି ସମୁଦ୍ରରେ ପଡ଼ି ରହିଥିଲା। ଫଳରେ ସମୁଦ୍ରରେ ତେଲ ଭାସିଥିଲା। ହେଲେ ଏହି ଜାହାଜକୁ କୂଳକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଏବେ ଜାହାଜଟି ପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇଛି।
ଜାହାଜଟି ଏବେ କେଉଁ ସ୍ଥାନରେ ରହିଛି? ଜାହାଜର ମାଲିକ କିଏ? ଏତେ ପରିମାଣର ଲୁହାପଥର ନେଇ ଜାହାଜଟି କେଉଁଠିକି ଯାଉଥିଲା? ଲୁହାପଥର କେଉଁଠୁ ଆସିଲା ତାହା ରହସ୍ୟ ହୋଇ ରହିଛି।
ଏସବୁର ତଦନ୍ତ କରିବାକୁ ପିପିଟି ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଏବଂ ଭୁବନ ମୋହନ ଜେନା ଜାହାଜ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ଏହାପରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ସିବିଆଇକୁ ଚିଠି ଲେଖିଛନ୍ତି।