ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ଚାଲିବ କାହା ହୁକୁମ? କିଏ ବୁଝିବ ଦିଲ୍ଲୀବାସୀଙ୍କ କଥା? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନା ଉପ-ରାଜ୍ୟପାଳ? ଏହାକୁ ନେଇ ଚାଲିଥିଲା କ୍ଷମତାର ଲଢ଼େଇ। ଆଜି ସବୁ ଲଢ଼େଇର ଅବସାନ ଘଟିଛି।
ଦିଲ୍ଲୀ ଚଳାଇବା ପାଇଁ ସୁପ୍ରିମକୋର୍ଟ ଆଜି ନିର୍ବାଚିତ ସରକାରଙ୍କୁ କ୍ଷମତା ଦେଇଛନ୍ତି। ଏଣିକି କେଜରିୱାଲଙ୍କ ସରକାର ଦିଲ୍ଲୀବାସୀଙ୍କ କଥା ବୁଝିବେ।
ସୁପ୍ରିମକୋର୍ଟ କହିଛନ୍ତି, “ନିର୍ବାଚିତ ସରକାର ହିଁ ଦିଲ୍ଲୀ ଚଳାଇବେ। କେନ୍ଦ୍ର ଶାସିତ ଅଞ୍ଚଳଠାରୁ ଦିଲ୍ଲୀ ସ୍ୱତନ୍ତ୍ର ହୋଇଥିବାରୁ ଉପ-ରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ସହ ମିଶି କାମ କରିବା ଉଚିତ୍। କ୍ୟାବିନେଟ୍ ପରାମର୍ଶ ଅନୁଯାୟୀ ଉପ-ରାଜ୍ୟପାଳଙ୍କୁ କାମ କରିବାକୁ ପଡ଼ିବ। ମନ୍ତ୍ରିମଣ୍ଡଳ ନିଷ୍ପତ୍ତିକୁ ଉପ-ରାଜ୍ୟପାଳ ଝୁଲାଇ ରଖିପାରିବେ ନାହିଁ।”
ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ପରେ କେଜରିୱାଲ ଖୁସି ଜାହିର କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି।
ଟୁଇଟ କରି କହିଛନ୍ତି, “ଆଜି ଦିଲ୍ଲୀବାସୀଙ୍କର ବଡ଼ ବିଜୟ ହୋଇଛି। ଗଣତନ୍ତ୍ରର ବିଜୟ ହୋଇଛି।”
ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି, “ଦିଲ୍ଲୀରେ ସାଧାରଣ ଲୋକଙ୍କ ସରକାର ଚାଲିବ। ଅଫିସରମାନଙ୍କ ବଦଳି ପଦୋନ୍ନତି ମଧ୍ୟ ଆମେ କରିବୁ। ଲୋକଙ୍କ ଘର ପାଖରେ ସୁବିଧା ପହଞ୍ଚାଇବୁ।”
ଦୁଇ ବର୍ଷ ତଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉପ-ରାଜ୍ୟପାଳ କ୍ଷମତାଶାଳୀ ହୋଇଥିଲେ। ତାଙ୍କ ବିନା ଅନୁମତିରେ ଫାଇଲ୍ ଘୁଞ୍ଚୁ ନଥିଲା। ମନ୍ତ୍ରିମଣ୍ଡଳ ନିଷ୍ପତ୍ତିକୁ ମଧ୍ୟ ମାନୁ ନଥିଲେ ଉପ-ରାଜ୍ୟପାଳ। ଫଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଉପ-ରାଜ୍ୟପାଳଙ୍କ ମଦରେ ମତଭେଦ ରହିଥିଲା। ଦିଲ୍ଲୀରେ ଅଫିସରମାନଙ୍କ ରାଜୁତି ଚାଲିଥିଲା। ଏହାବୁ ବିରୋଧ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟ ଯାଇଥିଲେ।

















