ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ବି ଦିଲ୍ଲୀରେ ବିନା ବାଣରେ ପାଳନ ହେବ ଦୀପାବଳି। ଏଭଳି ନିର୍ଦେଶ ଜାରି କରିଛନ୍ତି ଦିଲ୍ଲୀ ସରକାର।

ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର। କେବଳ ବାଣ ଫୁଟାଇବା ନୁହେଁ ବାଣ ପ୍ରସ୍ତୁତି ଏବଂ ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ବାଣ କାରବାର ପାଇଁ ଲାଇସେନ୍ସ ନଦେବାକୁ ଦିଲ୍ଲୀ ପୋଲିସକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଚଳିତ ବର୍ଷ ଦୀପାବଳିରେ ବାଣ ନଫୁଟାଇବା ପାଇଁ ଦିଲ୍ଲୀ ସରକାରଙ୍କ ନିର୍ଦେଶ ରହିଛି। ଏହା ସହିତ ବାଣ ପ୍ରସ୍ତୁତ ଏବଂ ବ୍ୟବସାୟ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପ ପ୍ରଜ୍ଜ୍ଵଳନ କରି ଦୀପାବଳି ପାଳନ କରିବାକୁ ଦିଲ୍ଲୀ ସମେତ ସମସ୍ତ ନ୍ୟାସନାଲ କ୍ୟାପିଟାଲ ଅଞ୍ଚଳ (ଏନସିଆର) ର ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଅକ୍ଟୋବର ମାସଠାରୁ ଦିଲ୍ଲୀର ପାଣିପାଗ ପରିବର୍ତ୍ତନ ହେବା ସାଙ୍ଗକୁ ପବନର ଗତି ଅଧିକ ହୋଇଯାଏ। ଏହି ସମୟରେ ପ୍ରଦୂଷଣ ବଢ଼ୁଥିବାରୁ ବାଣ ଫୁଟାଇବା ଦ୍ଵାରା ଏହାର ମାତ୍ରା ଆହୁରି ବଢ଼ିଯାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ଥର ମଧ୍ୟ ଦିଲ୍ଲୀରେ ବିନା ବାଣରେ ଦୀପ ଜାଳି ଦୀପାବଳି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି।

Tags: #Delhi #Crackers #Festival #DelhiGovt #Crackersbanindiwali

Comment