ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ନୂଆ ଉପରାଜ୍ୟପାଳ ହେଲେ ବିନୟ କୁମାର ସକ୍ସେନା। ଗୁରୁବାର ଦିଲ୍ଲୀରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ବିପିନ ସାନ୍ଧୀ ନୂଆ ଉପରାଜ୍ୟପାଳଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଏବଂ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ଦିଲ୍ଲୀର ସମସ୍ତ ସାଂସଦ ଏବଂ ବିଧାୟକ ତଥା ବରିଷ୍ଠ ଅଧିକାରୀମାନେ ଏହି ସମାରୋହରେ ସାମିଲ ହୋଇଥିଲେ।

ବିନୟ କୁମାର ସକ୍ସେନା ଖଦୀ ଏବଂ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି)ର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ। ମେ’ ୧୮ ତାରିଖରେ ଅନିଲ ବୈଜଲ ଦିଲ୍ଲୀ ଉପରାଜ୍ୟପାଳ ପଦବୀରୁ ଇସ୍ତଫା ଦେବା ପରେ ଏହି ପଦବୀଟି ଖାଲିପଡ଼ି ଥିଲା। ମେ’ ୨୩ ତାରିଖରେ ବିନୟ କୁମାର ସକ୍ସେନାଙ୍କୁ ନୂଆ ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ଆଜି ସେ ଶପଥ ଗ୍ରହଣ କରିଛନ୍ତି।

ବିନୟ ସକ୍ସେନା ହେଉଛନ୍ତି କାନପୁର ବିଶ୍ଵବିଦ୍ୟାଳୟର ଛାତ୍ର। ତାଙ୍କ ପାଖରେ ପାଇଲଟ ଲାଇସେନ୍ସ ମଧ୍ୟ ରହିଛି। ତାଙ୍କୁ ୨୦୨୧ ମାର୍ଚ୍ଚ ମାସରେ ଭାରତର ସ୍ଵତନ୍ତ୍ରତା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ସମାରୋହ ଆୟୋଜନ ପାଇଁ ଗଠନ କରାଯାଇଥିବା ରାଷ୍ଟ୍ରୀୟ ସମିତିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୦ ନଭେମ୍ବର ମାସରେ ୨୦୨୧ ପାଇଁ ପଦ୍ମ ପୁରସ୍କାର ଚୟନ ପ୍ୟାନେଲର ସଦସ୍ୟ ଭାବେ ବିନୟ କୁମାର ସକ୍ସେନାଙ୍କୁ ନିଯୁକ୍ତ କରାଯାଇଥିଲା।

Tags: #Delhi #NewLieutenantGovernor #Politics #IndianPolitics

Comment