ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ଲାକରୋଜ ଜାହାଜବୁଡ଼ିକୁ ନେଇ ରାଜନୀତି ପାଣିପାଗ ଉଷ୍ମ। ବିଜେପି ଯାଜପୁର ଲିଙ୍କ୍ ଖୋଳିଥିବା ବେଳେ ବିଜେଡି ଏହାକୁ କହିଛି ପ୍ରାୟୋଜିତ ନାଟକ।

ବ୍ଲାକରୋଜ ଜାହାଜବୁଡ଼ିର ହେବ ସିବିଆଇ ତଦନ୍ତ। ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ସିବିଆଇକୁ ଚିଠି ଲେଖିବା ପରେ ରାଜ୍ୟ ରାଜନୀତି ସରଗରମ୍‌ ହୋଇଯାଇଛି। ବିଜେପି ଦୁଇଦିନ ହେଲା ଯାଜପୁର ଲିଙ୍କ୍‌ ଖୋଳୁଥିବା ବେଳେ ବିଜେଡି ଏହାକୁ କହିଛି ରାଜନୈତିକ ଡ୍ରାମା।

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ସିବିଆଇକୁ ଚିଠି କରିବା ପରେ ବିଜେପି ଶାସକ ବିଜେଡିକୁ ଘାଇଲା କରିଛି। ବିଜେପି ଉପ-ସଭାପତି ସମୀର ମହାନ୍ତି ଯାଜପୁର ଲିଙ୍କ୍ କଥା ଉଠାଇ ରାଜନୀତିରେ ହଟଚମଟ କରିଥିଲେ। ମଙ୍ଗଳବାର ଦିନ ସେ ବିଜେଡି କ୍ୟାମ୍ପକୁ ତୀର ମାରିଥିଲେ।

ବ୍ଲାକରୋଜ ଜାହାଜ ସହିତ ଯାଜପୁରର ଜଣେ ପୂର୍ବତନ ମନ୍ତ୍ରୀ ଏବଂ ବର୍ତ୍ତମାନର ବିଧାୟକଙ୍କ ଭାଇଙ୍କ ବ୍ୟବସାୟ ସମ୍ପର୍କ ରହିଥିଲା। ସେ ଯାଜପୁର ପୌରପାଳିକାର ଶତ ବାର୍ଷିକୀ ଉତ୍ସବ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ଗାଡ଼ିରେ ବସାଇ ବୁଲାଉଥିଲେ। ଏଣୁ କ୍ରାଇମବ୍ରାଞ୍ଚ ତାଙ୍କ ପାଖରେ ପହଞ୍ଚିପାରୁ ନଥିବା ସମୀର ମହାନ୍ତି ଅଭିଯୋଗ କରିଥିଲେ।

ଏହାକୁ ନେଇ ରାଜନୀତି କରିଡ଼ରରେ କମ୍ପନ ହୋଇଥିଲା। ବିଜେଡି-ବିଜେପି ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା। ଏହାଭିତରେ ଆଜି ପୁଣି ସମୀର ଯାଜପୁର ଲିଙ୍କ୍ କଥା ଖୋଳିଛନ୍ତି।

ସମୀର ମହାନ୍ତି କହିଛନ୍ତି, “ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାରେ ଯାଜପୁରର ଜଣେ ନେତାଙ୍କ ହାତ ରହିଛି। ଭୁବନେଶ୍ୱରରେ ଏହାର ଅଫିସ୍ ଥିଲା। ହେଲେ ଜାହାଜ ବୁଡ଼ିଯିବା ପରେ ଅଫିସ ବନ୍ଦ ହୋଇଯାଇଥିଲା। ଏହି ଅଫିସ କିଏ ଚଳାଉଥିଲେ ଏବଂ ଜାହାଜରେ ଯାଉଥିବା ଲୁହାପଥର କୁଆଡ଼ୁ ଆସିଲା ତାହା ସିବିଆଇ ତଦନ୍ତ ପରେ ସ୍ପଷ୍ଟ ହୋଇଯିବ।”

ଏପଟେ ସିବିଆଇ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଯେଉଁ ସମୟରେ ସିବିଆଇ ତଦନ୍ତ ହେଉଛି ତାର ନିରପେକ୍ଷତା ଉପରେ ଆଙ୍ଗୁଳି ଉଠାଇଛନ୍ତି ମୁଖପାତ୍ର ପ୍ରତାପ ଦେବ।

ପ୍ରତାପ ଦେବ କହିଛନ୍ତି, “ଚାରି ବର୍ଷ ହେଲା ସିବିଆଇ କ’ଣ କରୁଥିଲା? ବର୍ତ୍ତମାନ ଯେଉଁ ସମୟରେ ସିବିଆଇ ମାତିଛି ତାର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଉଠିଛି। ସିବିଆଇ ତଦନ୍ତ ରାଜନୈତିକ ଡ୍ରାମା ନୁହେଁ ତ?”

ବରିଷ୍ଠ ବିଜେଡି ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ମଧ୍ୟ ଦୁଇଦିନ ହେଲା ବାଣ ମାରି ଚାଲିଛନ୍ତି। ଯିଏ ଅପରାଧ କରିଥିବ ସିଏ ବନ୍ଧା ହେବ କହି ଦାମ ରାଜନୀତିକୁ ଗରମ୍ କରିଛନ୍ତି। ଏହାସହ ଦାମ ଝଡ଼ଖଣ୍ଡ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇ ଘଟଣାକୁ ଭିନ୍ନମୋଡ଼ ଦେଇଛନ୍ତି।

୨୦୦୯ ସେପ୍ଟେମ୍ବର ୯ରେ ପାରାଦୀପ ଉପକୂଳରେ ମଙ୍ଗୋଲିଆର ଏମ୍‌ଭି ବ୍ଲାକରୋଜ ଜାହାଜ ବୁଡ଼ିଯାଇଥିଲା। ଏହି ଜାହାଜରେ ଲୁହାପଥର ଯାଉଥିଲା। ଜାହାଜଟି ଭାରସାମ୍ୟ ହରାଇ ବୁଡ଼ିଯିବା ପରେ ପ୍ରାୟ ୩୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ଜାହାଜଟିକୁ ଉଦ୍ଧାର ମଧ୍ୟ କରାଯାଇ ନଥିଲା। ଫଳରେ ସମୁଦ୍ରରେ ତେଲ ଭାସିଥିଲା। ଏହା ପରିବେଶ ଉପରେ ନକରାତ୍ମକ ପ୍ରଭାବ ପକାଇଥିଲା।

ଜାହାଜବୁଡ଼ି ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ପାରାଦୀପ ପୋର୍ଟର ଟ୍ରଷ୍ଟି ପ୍ରତାପ କେଶରୀ ମିଶ୍ର ଏବଂ ଭୁବନ ମୋହନ ଜେନା ପୋର୍ଟ ଚେୟାରମ୍ୟାନଙ୍କୁ ଚିଠି ଲେଖିଥିଲେ। ଏହି ଚିଠିକୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟକୁ ପଠାଇ ଦେଇଥିଲେ ପୋର୍ଟ ଅଧ୍ୟକ୍ଷ। ହେଲେ କୌଣସି ତଦନ୍ତ ଆଦେଶ ଦେଇ ନଥିଲେ କେନ୍ଦ୍ର ସରକାର।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଚିଠି ଲେଖିଥିଲେ ଟ୍ରଷ୍ଟି। ଏହାପରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ଜାହାଜ ଚଳାଳଚଳ ମନ୍ତ୍ରାଳୟ ସୁପାରିଶ କରିଥିଲେ। ୯ ବର୍ଷ ପରେ ଘଟଣାର ସିବିଆଇ ତଦନ୍ତ ହେବାକୁ ଯାଉଥିବାରୁ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି।

LEAVE A REPLY

Please enter your comment!
Please enter your name here