ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଇସ୍କନ ମନ୍ଦିର ସମ୍ମୁଖରେ ଜମୁଥିବା ବର୍ଷା ପାଣି ନିଷ୍କାସନ ପାଇଁ ଶେଷରେ ଅଣ୍ଟା ଭିଡ଼ିଛି ପ୍ରଶାସନ। ବିଏମ୍‌ସି, ବିଡିଏ ଏବଂ ଏନଏଚଏଆଇ ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ଯୁଗ୍ମ ସ୍କ୍ୱାଡ୍‌ ବର୍ଷା ପାଣି ନିଷ୍କାସନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ଏହି ସ୍କ୍ୱାଡ୍‌ ଆଜି ଇସ୍‌କନ ମନ୍ଦିର ସାମ୍ନାରେ ଥିବା ଡ୍ରେନରୁ ଅବରୋଧ ହଟାଇଛି। ବୁଲ୍‌ଡୋଜର ସହାୟତାରେ ଆବର୍ଜନା ସଫା କରାଯାଇଛି। ପାଣି ଠିକ୍‌ରେ ନିଷ୍କାସନ ପାଇଁ ଡ୍ରେନକୁ ଖୋଳାଯାଇ ଆବର୍ଜନା ହଟାଯାଇଛି।

ବିଏମ୍‌ସି କମିଶନର ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ବିଏମ୍‌ସି, ବିଡିଏ ଏବଂ ଏନଏଚଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଇସ୍କନ ମନ୍ଦିର ସାମ୍ନାରେ ଜମି ରହୁଥିବା ବର୍ଷା ପାଣି ନିଷ୍କାସନ କରିବା ପାଇଁ ଆଲୋଚନା ହୋଇଥିଲା। ଆଲୋଚନା ପରେ ପ୍ରଶାସନ ଆଜି ସକ୍ରିୟ ହୋଇଛି।

ଇସ୍କନ ମନ୍ଦିରର ଅପରପାର୍ଶ୍ୱରେ ପୋତି ହୋଇଯାଇଥିବା କଲଭର୍ଟ, ନାଳକୁ ଖୋଳିବାରେ ଲାଗିଛନ୍ତି ଅଧିକାରୀ।

ବିଡିଏର ଅତିରିକ୍ତ କମିଶନର ଭବାନିଶଙ୍କର ଚଇନି କହିଛନ୍ତି, “ସ୍ଥାନୀୟ ଲୋକ ଏବଂ କିଛି ବ୍ୟବସାୟୀ ନାଳରେ ଅଳିଆ, ଆବର୍ଜନା ପକାଉଥିବାରୁ ନାଳରେ ବର୍ଷା ଜଳ ନିଷ୍କାସନ ହୋଇପାରୁ ନଥିଲା। ଆମେ ଏହାର ସ୍ଥିତି ଅନୁଧ୍ୟାନ କରିବା ପରେ କାମ ଆରମ୍ଭ କରିଛୁ। ପୋତି ହୋଇଯାଇଥିବା ନାଳକୁ ସଫା କରୁଛୁ।”

କିଛିଦିନ ତଳେ ହୋଇଥିବା ବର୍ଷାରେ ଇସ୍କନ ମନ୍ଦିର ସାମ୍ନା ରାସ୍ତା ଜଳମଗ୍ନ ହୋଇଯାଇଥିଲା। ରାସ୍ତାରେ ଦୁଇ ଫୁଟ ପାଣି ଚାଲିଥିଲା। ଫଳରେ କାର୍, ଅଟୋ ଆଦି ଭାସିଥିଲା। ଲୋକେ ଅସୁବିଧା ଭୋଗିଥିଲେ। ଏହାର ପ୍ରତିବାଦରେ କଂଗ୍ରେସ ଜାତୀୟ ରାଜପଥ ପ୍ରାଧିକରଣଙ୍କ ଅଫିସରେ ପାଣିମାଡ଼ କରିଥିଲା।

Comment