ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ୟୁନିଟ-୩ ମସଜିଦ କଲୋନୀର ନାବାଳକ ଏସକେ ରାଜେଶ ଡ୍ରେନରେ ଭାସି ପ୍ରାଣ ହରାଇବା ପରେ ଆକ୍ସନ ମୋଡକୁ ଆସିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ମାସକ ଭିତରେ ଭୁବନେଶ୍ଵରରେ ଥିବା ସମସ୍ତ ମୁକୁଳା ଡ୍ରେନ ଉପରେ ସ୍ଲାବ ପଡ଼ିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ।
ସପ୍ତାହକ ମଧ୍ୟରେ ଡ୍ରେସନ ବ୍ୟାରିକେଡ କାମ ସରିବ ଏବଂ ମାସକ ଭିତରେ ସ୍ଲାବ ପକା କାମ ଶେଷ ହେବ ବୋଲି ସେ କହିଛନ୍ତି। ବିଏମସି କମିଶନରଙ୍କ ସୂଚନା ଅନୁଯାୟୀ ଭୁବନେଶ୍ଵର ସହରରେ ମୋଟ ୧,୮୦୦ କିଲୋମିଟର ଡ୍ରେନ ରହିଛି। ଏହା ମଧ୍ୟରୁ ବିଏମସି ଅଧୀନରେ ୨୭ କିଲୋମିଟର ମୁକୁଳା ଡ୍ରେନ ରହିଛି।
କେତେକ ଡ୍ରେନ ଉପରେ ଜବର ଦଖଲ ରହିଛି। ବିଭିନ୍ନ ବିଭାଗ ସହ ସମନ୍ଵୟ ବୈଠକ କରାଯାଇ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି। ବ୍ୟାରିକେଡ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଥିବା କହିଛନ୍ତି କମିଶନର ପ୍ରଭାକର ପାଟିଲ।
ଜୁନ ୧୮ ତାରିଖରେ ୟୁନିଟ-୩ ମସଜିଦ କଲୋନୀର ୧୦ ବର୍ଷର ଏସକେ ରାଜେଶ ଡ୍ରେନରେ ଭାସିଯାଇ ପ୍ରାଣ ହରାଇଥିଲା। ଏହି ଘଟଣାକୁ ନେଇ ବିଏମସିକୁ ରିପୋର୍ଟ ମାଗିଥିଲେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ଭୁବନେଶ୍ଵରରେ କେତେ କିଲୋମିଟର ଡ୍ରେନ ମୁକୁଳା ରହିଛି ଏବଂ କେତୋଟି ଡ୍ରେନରେ ସ୍ଲାବ ନାହିଁ ତା’ର ସବିଶେଷ ରିପୋର୍ଟ ଜୁନ ୨୦ ତାରିଖରେ ଦେଇଥିଲା ବିଏମସି। ଡ୍ରେନ କାମ ନେଇ ସେସମୟର ଡ୍ରେନେଜ ବିଭାଗର କାର୍ଯ୍ୟରତ ଅଧିକାରୀଙ୍କୁ ବିଏମସି ଦାୟୀ କରିବା ସହ ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଏହା ସହ ଏହି ଘଟଣାରେ ବିଭେସିର ଡ୍ରେନେଜ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କୁ ନଲମ୍ବନ କରାଯାଇଥିଲା।
Tags: #Bhubaneswar #BMC #OpenDrain #Death #Odisha