ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପୁଣିଥରେ ବ୍ଲାକରୋଜ ଜାହାଜ ବୁଡ଼ି ସମ୍ପର୍କରେ ବାଣ ମାରି ରାଜନୀତିକୁ ଉଷ୍ମ କରିଛନ୍ତି।

ଏମ୍‌ଭି ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାରେ ବିଜେଡି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ପୁଣି ଦମଦାର ବାଣ ମାରିଛନ୍ତି। ଯିଏ ଅପରାଧ କରିଛନ୍ତି ସେ ବନ୍ଧା ହେବେ କହି ଦାମ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।

ତେବେ ଦାମଙ୍କ ବାଣ କାହା ଉଦ୍ଦେଶ୍ୟରେ ତାକୁ ନେଇ ଆଲୋଚନା ଜୋର୍ ଧରିଛି।

ଦାମ କହିଛନ୍ତି, “୯ ବର୍ଷ ତଳେ ପାରାଦୀପରେ ବ୍ଲାକରୋଜ ଜାହାଜ ବୁଡ଼ି ଯାଇଥିଲା। ପ୍ରାୟ ୩୦ କୋଟି ଟଙ୍କାର ସମ୍ପତ୍ତି ପାଣିରେ ଡୁବି ଯାଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ କଲେ ସବୁ ସ୍ପଷ୍ଟ ହୋଇଯିବ। ଆଇନ ତା’ବାଟରେ ଯିବ। ଯିଏ ଅପରାଧ କରିଥିବ ସେ ବନ୍ଧାହେବ।”

ଖାଲି ସେତିକି ନୁହେଁ, ଦାମ ସିବିଆଇ ତଦନ୍ତ ଏବଂ ପରବର୍ତ୍ତୀ ଫଳାଫଳର ଉଦାହରଣ ମଧ୍ୟ ଦେଇଛନ୍ତି।

ବିଜେଡିର ବରିଷ୍ଠ ବିଧାୟକ କହିଛନ୍ତି ଯେ ସିବିଆଇ କାହାକୁ ଛାଡ଼ିନି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ ପି ଚିଦାମ୍ବରମଙ୍କୁ ମଧ୍ୟ ସିବିଆଇ ଛାଡ଼ିନି। ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ କରିବା ସ୍ପଷ୍ଟ ହେବା ପରେ ରାଜ୍ୟ ରାଜନୀତି ପାଣିପାଗ ଉଷ୍ମ ହୋଇଯାଇଛି।

ମଙ୍ଗଳବାର ଦିନ ଏହି ପ୍ରସଙ୍ଗରେ ଦାମ ବାଣ ମାରିଥିଲେ। ସିବିଆଇ ତାଙ୍କୁ ପଚାରିଲେ ବ୍ଲାକରେଜ ସମ୍ପର୍କରେ ସବୁ ତଥ୍ୟ ଦେବେ ବୋଲି କହିଥିଲେ।

Comment