ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟ୍ୱେଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍ରେ ଦୁଇଟି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି।
ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ। ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍ ଭାବେ ଅନ୍ତର୍ଜାତୀୟ ଟ୍ୱେଣ୍ଟି -୨୦ ୨୦୦୦ ରନ୍ ପୂରଣ କରିନେଇଥିଲା ବେଳେ ସବୁଠୁ କମ୍ ପାଳିରେ ୨୦୦୦ ରନ୍ ପୂର୍ଣ୍ଣ କରିବାରେ ବିଶ୍ୱର ପ୍ରଥମ ହୋଇଛନ୍ତି।
ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ମଙ୍ଗଳବାର ଘରୋଇ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ୨୨ ବଲ୍ରୁ ଅପରାଜିତ ୨୦ ରନ୍ କରିଥିବା ଅବସରରେ କୋହଲି ଦୁଇଟିଯାକ କୀର୍ତ୍ତିମାନର ଅଧିକାରୀ ହେଲେ ଏହି ମ୍ୟାଚ୍ ପୂର୍ବରୁ ମୋଟ ୧୯୯୨ ରନ୍ କରିଥିବା କୋହଲି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଆନ୍ତର୍ଜାତିକ ଟ୍ୱେଣ୍ଟି-୨୦ରେ ୨୦୦୦ ରନ୍ ପୂରଣ କରିନେଲେ।
ଏକ୍ଷେତ୍ରରେ ସେ ପ୍ରଥମ ଭାରତୀୟ ହୋଇଥିଲା ବେଳେ ବିଶ୍ୱର ଚତୁର୍ଥ ବ୍ୟାଟ୍ସ୍ମ୍ୟାନ୍ ହୋଇଛନ୍ତି। କୋହଲିଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡ୍ର ମାର୍ଟିନ୍ ଗପ୍ଟିଲ (୨୨୭୧ ରନ୍), ବ୍ରେଣ୍ଡନ ମ୍ୟାକ୍ଲମ୍ (୨୧୪୦ ରନ୍) ଏବଂ ପାକିସ୍ତାନର ସୋଏବ୍ ମଲ୍ଲିକ (୨୦୩୯ ରନ୍) ଏହି ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି। ସୋଏବ୍ ମଲ୍ଲିକ ମଧ୍ୟ ଗତ ରବିବାର ଜିମ୍ବାୱେ ବିପକ୍ଷ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଅବସରରେ ପାକିସ୍ତାନର ପ୍ରଥମ ତଥା ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ୨୦୦୦ ରନ୍ ପୂରଣ କରିଥିଲେ।
ଅନ୍ୟତମ ଭାରତୀୟ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ୱେଣ୍ଟି-୨୦ରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିବାର ସୁଯୋଗ ପାଇଥିଲେ ମଧ୍ୟ ଅଳ୍ପକେ ବଞ୍ଚିତ ହୋଇଛନ୍ତି।
ମଙ୍ଗଳବାର ମ୍ୟାଚ୍ରେ ୩୦ ରନ୍ କରିଥିବା ରୋହିତ ୨୦୦୦ ରନ୍ଠୁ ଆଉ ୧୯ ରନ୍ ପଛରେ ରହିଗଲେ। ସେ ୭୫ ପାଳି ଖେଳି ଏବେ ୧୯୮୧ ରନ୍ କରିଛନ୍ତି।
କୋହଲି ୨୦୦୦ ରନ୍ ପୂରଣ କରିବା ପାଇଁ ମାତ୍ର ୫୬ ଟ୍ୱେଣ୍ଟି-୨୦ ପାଳି ଖେଳିଥିଲା ବେଳେ ଏକ୍ଷେତ୍ରରେ ବ୍ରେଣ୍ଡନ୍ ମ୍ୟାକ୍ଲମ୍ (୬୬ ମ୍ୟାଚ୍)ଙ୍କ ନାମରେ ଥିବା ବିଶ୍ୱ କୀର୍ତ୍ତିମାନକୁ ପଛରେ ପକାଇଦେଲେ। ଗପ୍ଟିଲ ୬୮ ଓ ସୋଏବ୍ ୯୨ ପାଳିରେ ୨୦୦୦ ରନ୍ ପୂରଣର ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।

















