ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଞ୍ଚିଠାରେ ଅନୁଷ୍ଠିତ ୨୨ତମ ଅଣଲୌହ ଖଣିଜ ଓ ଧାତୁ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ-୨୦୧୮  ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଯୋଗଦେଇ ଆଲୁମିନିୟମ୍ ଉଦ୍ୟୋଗର ବିକାଶ ନିମନ୍ତେ ଉଦବୋଧନ ଦେଇଥିଲେ।

ଡକ୍ଟର ଚାନ୍ଦ କହିଲେ, ” ଆଲୁମିନିୟମ୍ ଧାତୁର ଉତ୍ପାଦନକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ। ଆଗାମୀ ଏକ ଦଶନ୍ଧିରେ ଆଲୁମିନିୟମର ଚାହିଦା ଏବଂ ବ୍ୟବହାର ୧୦ ନିୟୁତ ଟନ୍ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧିର ଆବଶ୍ୟକତା ରହିଛି।”

ଆଗାମୀ ୧୦ ବର୍ଷ ମଧ୍ୟରେ ଆଲୁମିନିୟମ୍ ବ୍ୟବହାର ପରିମାଣ ୧୦ ନିୟୁତ ଟନରେ ପହଞ୍ଚିବ ବୋଲି ଆଶା କରାଯାଉଛି। ତେଣୁ ଦେଶର ଆଲୁମିନିୟମ୍ ଶିଳ୍ପ ଏହି ଚାହିଦାକୁ ପୂରଣ କରିବା ପାଇଁ ଉତ୍ପାଦନରେ ବୃଦ୍ଧି ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି ସମ୍ମିଳନୀ କେନ୍ଦ୍ର ଖଣି ମନ୍ତ୍ରାଳୟର ସଚିବ ଅନିଲ ଗୋପୀଶଙ୍କର ମୁକିମଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ଏଥିରେ ନାଲ୍‌କୋ, ଆଦିତ୍ୟ ବିର୍ଲା, ବେଦାନ୍ତ ଏବଂ ଏଚସିଏଲ୍ ଭଳି ଦେଶର ପ୍ରମୁଖ ଆଲୁମିନିୟମ୍ ଉତ୍ପାଦକ ତଥା ଅଗ୍ରଣୀ ଶିଳ୍ପଦ୍ୟୋଗୀ ଏବଂ ନୀତିନିର୍ଦ୍ଧାରକମାନେ ଯୋଗ ଦେଇଥିଲେ।

ଏହି ଅବସରରେ ଉଦବୋଧନ ଦେଇ ମୁକିମ କହିଲେ ଯେ ଉତ୍ପାଦନକାରୀଙ୍କୁ ଖଣିଜପଦାର୍ଥ ଉପଲବ୍ଧ କରାଇବାରେ ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଖଣି ବ୍ଲକ ଗୁଡ଼ିକର ନିଲାମ ପ୍ରକ୍ରିୟାକୁ ମଧ୍ୟ ସୁଗମ କରାଯାଉଛି।

ଡକ୍ଟର ଚାନ୍ଦ ଆହୁରି ମଧ୍ୟ କହିଲେ ଯେ ଆମେ ଚାହିଦା ମୁତାବକ ଆମର ଉତ୍ପାଦନକୁ ବୃଦ୍ଧି ନକଲେ ଆମ ଦେଶକୁ ଆବଶ୍ୟକତାର ୫୦ ପ୍ରତିଶତ ଆଲୁମିନିୟମ୍ ଆମଦାନୀ କରିବାକୁ ପଡ଼ିବ। ଫଳରେ ଆମଦାନୀ ବ୍ୟୟ ବୃଦ୍ଧି ହେବା ସହ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ।

ଏହି ଅବସରରେ ସଷ୍ଟେନେବଲ୍ ମାଇନିଂ ସମ୍ପର୍କିତ ନାଲକୋର ଏକ ସ୍ୱତନ୍ତ୍ର ପୁସ୍ତିକା ‘ମାଇନ୍ ୱିଥ୍ ମାଇଣ୍ଡ୍’ ଉନ୍ମୋଚିତ ହୋଇଥିଲା। ଏହି ଆନ୍ତର୍ଜାତୀୟ ସମ୍ମିଳନୀ କର୍ପୋରେଟ୍ ମନିଟର୍ ଦ୍ୱାରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡକ୍ଟର ଚାନ୍ଦଙ୍କୁ ଆଲୁମିନିୟମ୍ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନଲେଜ୍ ଏକ୍ସିଲେନ୍ସ ସମ୍ମାନ ପ୍ରଦାନ କରାଯାଇଥିଲା।

Comment