ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୧ରୁ ୧୪ତମ ସ୍ଥାନକୁ ଖସିଲା ଓଡ଼ିଶା
  • ବିରୋଧୀ କହିଲେ ସରକାର ଦାୟୀ
  • ଶିଳ୍ପ ପାଇଁ ଅନୁକୂଳ ବାତାବରଣ ନାହିଁ: ବିଜେପି
  • ନବୀନଙ୍କ ସଫଳତାର ମୁକୁଟରେ ଆଉ ଏକ ମଣି: କଂଗ୍ରେସ
  • ବିଜେଡିର ପ୍ରଶ୍ନ: କେଉଁଠୁ ନେଲ ଫିଡବ୍ୟାକ୍?

କେଉଁ ରାଜ୍ୟରେ ବ୍ୟବସାୟ କରିବା କେତେ ସହଜ? ଏନେଇ ପ୍ରକାଶ ପାଇଛି ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକା। ଏହି ତାଲିକାରେ ୨୦୧୭ରେ ୧୧ତମ ସ୍ଥାନରେ ଥିବା ଓଡ଼ିଶା ୨୦୧୮ରେ ୧୪ତମ ସ୍ଥାନକୁ ଖସି ଆସିଛି। ତେବେ ଏହାକୁ ନେଇ ଓଡ଼ିଶାରେ ଦେଖାଦେଇଛି ରାଜନୀତି।

ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ଓ ବିଜେପି କିନ୍ତୁ ବିଜେଡି ଉପରେ ଦୋଷ ଲଦିଛନ୍ତି।

“ଓଡ଼ିଶା ମୁହାଁ ହୋଇଥିବା ଶିଳ୍ପକୁ ରାଜ୍ୟ ସରକାର ଆବଶ୍ୟକ ପରିମାଣର ଜମି ଯୋଗାଇ ଦେଇ ପାରିଲେ ନାହିଁ। ଶିଳ୍ପ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିଲେ ନାହିଁ ସରକାର। ଓଡ଼ିଶାରେ ଥିବା ଶିଳ୍ପକୁ କଞ୍ଚାମାଲ୍ ବି ଯୋଗାଇ ପାରିଲେ ନାହିଁ। ଯେଉଁଥିପାଇଁ ଓଡ଼ିଶାର ସ୍ଥାନ ତଳକୁ ଖସୁଛି”, କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

ଏପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି। ଟୁଇଟ୍ କରି ସେ କହିଛନ୍ତି ସେ ନବୀନଙ୍କ ସଫଳତାର ମୁକୁଟରେ ଏହା ହେଉଛି ଆଉ ଏକ ମଣି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ସମ୍ଭବ ନୁହେଁ ବୋଲି ନିରଞ୍ଜନ କହିଛନ୍ତି।

ବିରୋଧୀଙ୍କ ଏହି କଟାକ୍ଷକୁ ଗ୍ରହଣ କରିନି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ବିରୋଧୀଙ୍କ ଅଭିଯୋଗ ହାସ୍ୟାସ୍ପଦ। କଥା କଥାରେ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସେମାନଙ୍କର ଅଭ୍ୟାସ ହୋଇଗଲାଣି। ୨୦୧୬ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶାରେ ୨ ଲକ୍ଷରୁ ଅଧିକ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିଥିଲା। ତେବେ କେଉଁ ଫିଡବ୍ୟାକ ଆଧାରରେ କେନ୍ଦ୍ର ଏହି ତାଲିକା ପ୍ରସ୍ତୁତ କରିଛି ତାହା ବୁଝାପଡ଼ୁନି। ଆମେ ଆଗକୁ ପୁଣି ନମ୍ବର ୱାନ ହେବୁ।”

“ଯେଉଁ ଇଜ୍‌ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକା ପ୍ରକାଶ ପାଇଛି ସେଥିରେ ସର୍ବାଧିକ ସ୍କୋର ହେଉଛି ୯୮। କିନ୍ତୁ ଓଡ଼ିଶା ୯୨ ସ୍କୋର ପାଇଛି। ଏଣୁ ଏହି ତାଲିକାରେ ଆମେ ପଛରେ ଅଛୁ ବୋଲି କହି ପାରିବୁ ନାହିଁ”, କହିଛନ୍ତି ରାଜ୍ୟ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ଇଜ୍‌ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକା। ଏହି ତାଲିକାରେ ୧୪ତମ ସ୍ଥାନରେ ଓଡ଼ିଶା ରହିଛି। ଗତବର୍ଷ ଓଡ଼ିଶା ୧୧ତମ ସ୍ଥାନରେ ରହିଥିଲା। ହେଲେ ଚଳିତ ବର୍ଷ ଓଡ଼ିଶା ୧୪କୁ ଖସି ଆସିଛି।

ଓଡ଼ିଶାର ରିଫର୍ମ ଏଭିଡେନ୍ସ ସ୍କୋର ରହିଛି ୯୭.୮୩ ପ୍ରତିଶତ। ଫିଡ୍ ବ୍ୟାକ୍ ସ୍କୋର ରହିଛି ୩୯.୨ ପ୍ରତିଶତ। ମୋଟ ସ୍କୋର ହେଉଛି ୯୨.୦୯ ପ୍ରତିଶତ। ଏହାର ଅର୍ଥ ହେଉଛି ଓଡ଼ିଶାରେ ଶିଳ୍ପ ପାଇଁ ଆଗ୍ରହ ପ୍ରକାଶ ପାଉଛି। ହେଲେ ବ୍ୟବସାୟରେ ପ୍ରତିବନ୍ଧକ ରହୁଥିବାରୁ ଓଡ଼ିଶା ୧୪ତମ ସ୍ଥାନକୁ ଖସି ଆସିଛି।

ଲଗାତର ଦୁଇ ବର୍ଷ ପାଇଁ ତାଲିକାର ପ୍ରଥମ ସ୍ଥାନରେ ରହିଛି ଆନ୍ଧ୍ର ପ୍ରଦେଶ। ଆନ୍ଧ୍ର ପଛକୁ ଅଛନ୍ତି ତେଲେଙ୍ଗାନା, ହରିୟାଣା, ଝାଡ଼ଖଣ୍ଡ, ଗୁଜୁରାଟ, ଛତିଶଗଡ଼। ୩୬ତମ ସ୍ଥାନରେ ରହିଛି ମେଘାଳୟ।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧୀନରେ ଥିବା ଶିଳ୍ପନୀତି ଓ ପ୍ରୋତ୍ସାହନ (ଡିଆଇପିପି) ପକ୍ଷରୁ ବିଶ୍ୱବ୍ୟାଙ୍କ ସହାୟତାରେ ପ୍ରକାଶ କରାଯାଇଛି।

Comment