ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଲ୍ ସାର୍ଟିଫିକେଟ ଦେଇ ଫସିଛନ୍ତି ଭାରତୀୟ ମହିଳା ଟ୍ୱେଣ୍ଟି୨୦ ଦଳର ଅଧିନାୟିକା ହରମନପ୍ରୀତ କୌର।
ଅଡ଼ୁଆରେଭାରତୀୟ ମହିଳା କ୍ରିକେଟ୍ ଦଳ (ଟି-୨୦)ର ଅଧିନାୟିକା ହରମନ୍ପ୍ରୀତ୍ କୌର। ନକଲି ସ୍ନାତକ ପ୍ରମାଣପତ୍ର ଦେଇଥିବାରୁ ପଞ୍ଜାବ ସରକାର ତାଙ୍କୁ ନିଯୁକ୍ତ ଦେବାର ୪ ମାସ ପରେ ଡିଏସ୍ପି ପଦରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। କିନ୍ତୁ ସେ ଦ୍ୱାଦଶ ପାସ୍ କରିଥିବାରୁ କନଷ୍ଟେବଳ ଚାକିରିକୁ ପଦଅବନତି କରି ଦିଆଯିବ ବୋଲି ସୂଚନା ମିଳିଛି। ଏପରିକି ତାଙ୍କ ବିରୋଧରେ ଠକେଇ ମାମଲା ପାଇଁ ବିଚାର କରାଯାଉଥିଲେ ମଧ୍ୟ ଦେଶ ପାଇଁ ଗୌରବ ଆଣିଥିବାରୁ ଏହି ଅର୍ଜୁନ ପୁରସ୍କାର ବିଜୟିନୀଙ୍କୁ ସ୍ୱତନ୍ତ୍ର ରିହାତି ସହ କ୍ଷମା କରିଦିଆଯିବ।
ପଞ୍ଜାବର ମୋଗା ଅଞ୍ଚଳରୁ ଆସିଥିବା ହରମନପ୍ରୀତ୍ ମୀରଟର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରମାଣପତ୍ର ଦାଖଲ କରିଥିଲେ। କିନ୍ତୁ ତନଖି ପରେ ଏହା ନକଲି ଥିନା ନଜରକୁ ଆସିଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପ୍ରମାଣପତ୍ରକୁ ଅସ୍ୱୀକାର କରାଯାଇଛି।
ଏହା ପରେ ମାମଲାକୁ ଗୃହ ବିଭାଗକୁ ପଠାଇ ଦିଆଯାଇଥିଲା, ଯାହାକି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ଅଧୀନରେ ରହିଛି। ଗତବର୍ଷ ଜୁଲାଇରେ ମହିଳା ବିଶ୍ୱକପ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ କ୍ୟାପ୍ଟେନ୍ ଅମରିନ୍ଦର୍ ତାଙ୍କୁ ଡିଏସ୍ପି ପଦ ଯାଚିଥିଲେ। ପୂର୍ବରୁ ହରମନ୍ପ୍ରୀତ୍ ପଶ୍ଚିମ ରେଳବାଇରେ ଅଫିସ ସୁପରିଟେଣ୍ଡେଣ୍ଟ୍ ଭାବେ ନିଯୁକ୍ତ ଥିଲେ।
ସେଠାରେ ୫ ବର୍ଷିଆ ଚୁକ୍ତିରେ ଥିବାରୁ ରେଳବାଇ ତାଙ୍କୁ ନଛାଡ଼ିବାରୁ ୬ ମାସ ଧରି ସେ ପଞ୍ଜାବ ପୋଲିସରେ ଯୋଗ ଦେଇ ପାରିନଥିଲେ। ଶେଷକୁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ହସ୍ତକ୍ଷେପ ଫଳରେ ଗତ ଫେବ୍ରୁଆରିରେ ଡିଏସ୍ପି ଭାବେ ଯୋଗ ଦେଇଥିଲେ।
ପୂର୍ବରୁ ହରମନପ୍ରୀତ୍ କଉରଙ୍କ ପିତା ହରମିନ୍ଦର ସିଂହ କିନ୍ତୁ ଅଭିଯାଗକୁ ଖଣ୍ଡନ କରି ଆସୁଥିଲେ।
ସମାନ ପ୍ରମାଣପତ୍ର ଦେଇ ହରମନପ୍ରୀତ୍ ରେଳବାଇରେ ନିଯୁକ୍ତି ପାଇଥିଲେ ବୋଲି କହିଥିଲେ। ଏବେ କିନ୍ତୁ ସେସବୁ ମିଛ ପ୍ରମାଣିତ ହୋଇଛି।
ଏବେ କିନ୍ତୁ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ହରମନପ୍ରୀତ୍ଙ୍କୁ କନଷ୍ଟେବଳ ଚାକିରିରେ ସନ୍ତୁଷ୍ଟ ହେବାକୁ ପଡ଼ିବ। କିନ୍ତୁ ସ୍ନାତକ ଡିଗ୍ରୀ ହାସଲ ପରେ ସେ ଡିଏସ୍ପି ପଦକୁ ଫେରିପାରିବେ ବୋଲି ପଞ୍ଜାବ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଗତ ଫେବ୍ରୁଆରିରେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜୟିନୀ ମନଦୀପ୍ କଉର୍ ସମାନ ପରିସ୍ଥିତିରେ ନକଲି ଡିଗ୍ରୀ ପ୍ରମାଣପତ୍ର କାରଣରୁ ଡିଏସ୍ପି ପଦରୁ ବହିସ୍କୃତ ହୋଇଥିଲେ।
ପଞ୍ଜାବର ମୋଗା ଜିଲାରେ ଜନ୍ମିତ ୨୯ ବର୍ଷୀୟା ହରମନପ୍ରୀତ ୨୦୦୯ ମାର୍ଚ୍ଚରେ ପାକିସ୍ତାନ ବିପକ୍ଷ ଦିନିକିଆ ଖେଳି ନିଜର ଆନ୍ତର୍ଜାତିକ କ୍ୟାରିୟର ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ସେ ୨ଟି ଟେଷ୍ଟ, ୭୮ଟି ଦିନିକିଆ ଓ ୬୮ଟି ଟ୍ୱେଣ୍ଟି୨୦ ଖେଳିସାରିଛନ୍ତି। ଦିନିକିଆ ଫର୍ମାଟରେ ସେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି।
ସଫଳ ବ୍ୟାଟସମ୍ୟାନଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଥିବାବେଳେ ଆବଶ୍ୟକସ୍ଥଳେ ତାଙ୍କର ଉପଯୋଗୀ ବୋଲିଂ ଯୋଗୁଁ ମଧ୍ୟ ଭାରତୀୟ ଦଳ ଏକାଧିକ ମ୍ୟାଚରେ ବିଜୟୀ ହୋଇପାରିଛି। ୨୦୧୬ରେ ହରମନପ୍ରୀତ ପ୍ରଥମ ଭାରତୀୟ କ୍ରିକେଟର ଭାବେ ଅଷ୍ଟ୍ରେଲିଆର ମହିଳା ବିଗ୍ବାସ୍ ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ୨୦୧୭ରେ ସେ ଆଇସିସି ପକ୍ଷରୁ ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ପୁରସ୍କୃତ ହୋଇଥିଲେ।
















