ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଆଜିଠାରୁ ଦିନିକିଆ ସିରିଜକୁ ଓହ୍ଲାଇବ।

ବିରାଟ କୋହଲି ଓ ଇଅନ୍‌ ମୋର୍ଗାନ୍‌ଙ୍କ ନେତୃତ୍ୱାଧୀନ ଭାରତ ଓ ଇଂଲଣ୍ଡ ଦଳ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ଆଜି ଖେଳାଯିବ।

ଏହି ଗସ୍ତରେ ଉଭୟ ଆୟର୍ଲାଣ୍ଡ୍‌ ଓ ଇଂଲଣ୍ଡ ବିପକ୍ଷରେ ଚମତ୍କାର ଢଙ୍ଗରେ ଟି-୨୦ ଶୃଙ୍ଖଳା ଜିତିଥିବା ଭାରତୀୟ ଦଳ ଦିନିକିଆ ଶୃଙ୍ଖଳାରେ ମଧ୍ୟ ଆଧିପତ୍ୟ ଜମାଇବା ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ଗତମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କରିଥିବା ଇଂଲଣ୍ଡ ଘରୋଇ ମାଟିରେ ଶକ୍ତିଶାଳୀ ବ୍ୟାଟିଂକ୍ରମକୁ ନେଇ ଭାରତକୁ ପରାସ୍ତ କରିବା ଆଶାରେ ରହିଛି। ବର୍ଷକ ପରେ ଏହି ଇଂଲଣ୍ଡ ମାଟିରେ ବିଶ୍ୱକପ୍‍ ଆୟୋଜନ ହେବ। ଘରୋଇ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ବିଶ୍ୱକପ୍‍ ଲାଗି ଭାରତୀୟ ଦଳର ପ୍ରସ୍ତୁତିର ଅଂଶବିଶେଷ।

ଭାରତ-ଇଂଲଣ୍ଡ୍ ହେଡ୍ ଟୁ ହେଡ୍

ଆଇସିସି ଦିନିକିଆ ମାନ୍ୟତାରେ ଇଂଲଣ୍ଡ ୧ନଂ ସ୍ଥାନରେ ଥିବା ବେଳେ ଭାରତ ଏବେ ୨ୟ ସ୍ଥାନରେ ରହିଛି। ତେଣୁ ଏହି ଦୁଇ ଦଳଙ୍କ ମଧ୍ୟରେ ମୁକାବିଲା ବେଶ୍‍ ରୋଚକ ହେବ ବୋଲି ଆଶା କରାଯାଉଛି।

୨୦୧୫ ବିଶ୍ୱକପ୍‌ ପରଠୁ ଇଂଲଣ୍ଡ ୬୯ ମ୍ୟାଚ୍‌ରୁ ୪୬ ଜିତି ୧୯ ହାରିଥିଲା ବେଳେ ସମାନ ସମୟ ମଧ୍ୟରେ ଭାରତ ୩୯ ମ୍ୟାଚ୍‌ ଜିତି ୧୯ରେ ପରାସ୍ତ ହୋଇଛି। ହେଲେ ଦିନିକିଆରେ ଇଂଲଣ୍ଡ ବୋଲରଙ୍କ ତୁଳନାରେ ଭାରତୀୟ ବୋଲରଙ୍କ ଉନ୍ନତ ପ୍ରଦର୍ଶନ ଦେଖାଯାଇଛି।

ଚଳିତ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳର ଏଯାବତ୍ ପ୍ରଦର୍ଶନ

ଏହି ଗସ୍ତରେ ଖେଳିଥିବା ୫ ଟି-୨୦ ମ୍ୟାଚ୍‌ରୁ ଭାରତ ୨-୦ ଆୟର୍ଲାଣ୍ଡ୍‌କୁ ଏବଂ ୨-୧ରେ ଇଂଲଣ୍ଡକୁ ପରାସ୍ତ କରିସାରିଛି।

ଭାରତୀୟ ଦଳ ବେଶ୍ ସନ୍ତୁଳିତ

ଲୋକେଶ ରାହୁଲ୍‌ ଟି-୨୦ ଶୃଙ୍ଖଳାରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଆୟର୍ଲାଣ୍ଡ୍‌ ବିପକ୍ଷ ଟି-୨୦ରେ ୭୦ ଏବଂ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଅପରାଜିତ ୧୦୧ ରନ୍‌ କରି ରାହୁଲ୍‌ ଦିନିକିଆ ଦଳର ଚୂଡାନ୍ତ ଏକାଦଶରେ ନିଜକୁ ଦାବିଦାର କରିଛନ୍ତି।

ଉଭୟ ଶିଖର ଧାଓ୍ଵନ୍‌ ଓ ରୋହିତ ଶର୍ମା ପ୍ରାରମ୍ଭିକ ଯୋଡ଼ି ଭାବେ ପସନ୍ଦରେ ଆଗୁଆ ଥିବାରୁ ଅଧିନାୟକ ବିରାଟ କୋହଲି ତାଙ୍କ ୩ ନମ୍ବର ସ୍ଥାନ ସମ୍ଭବତଃ ବିଶେଷଜ୍ଞ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ର ଖ୍ୟାତି ବହନ କରିଥିବା ରାହୁଲ୍‌ଙ୍କୁ ଛାଡ଼ିଦେବେ।

ଏଥିସହିତ ବିଶ୍ୱର ଶ୍ରେଷ୍ଠ ଦିନିକିଆ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ କୋହଲି ନିଜେ ୪ ନମ୍ବରରେ ବ୍ୟାଟିଂ କରିବାର ସମ୍ଭାବନା ରହିଛି। ଏମାନଙ୍କ ବ୍ୟତୀତ ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନିଙ୍କ ସାଙ୍ଗକୁ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ଚୂଡାନ୍ତ ଏକାଦଶରେ ମଧ୍ୟକ୍ରମ ସମ୍ଭାଳିବା ପ୍ରାୟତଃ ନିଶ୍ଚିତ।

ବୋଲିଂରେ ଦୁଇ ସ୍ପିନର ୟୁଜ୍‌ବେନ୍ଦର ଚହଲ୍‌ ଏବଂ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଦ୍ୱନ୍ଦ୍ୱରେ ପକାଉଥିବା କୁଲ୍‌ଦୀପ୍‌ ଯାଦବଙ୍କ ସ୍ଥାନ ସୁରକ୍ଷିତ ମନେ ହେଉଥିଲା ବେଳେ ଉମେଶ ଯାଦବଙ୍କ ସହ ଭୁବନେଶ୍ୱର କୁମାର ନୂଆ ବଲ୍‌ ଆକ୍ରମଣର ମଙ୍ଗ ଧରିବେ। ଅବଶ୍ୟ ଭୁବନେଶ୍ୱର ଯଦି ସଂପୂର୍ଣ୍ଣ ସୁସ୍ଥ ନହୁଅନ୍ତି, ତେବେ ତାଙ୍କ ବଦଳରେ ସିଦ୍ଧାର୍ଥ କୌଲ କିମ୍ବା ସାର୍ଦୁଲ ଠାକୁର ଖେଳିବେ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ କୋହଲି ସ୍ପଷ୍ଟ କରିଛନ୍ତି।

ଭାରତୀୟ ଦଳ ଶେଷ ୨୭ ଦିନିକିଆର ପ୍ରଦର୍ଶନ

ଗତବର୍ଷ ଜୁନ୍‌ରେ ଚାମ୍ପିଅନ୍‌ସ ଟ୍ରଫି ପରଠାରୁ ଭାରତ ଉଭୟ ଘରେ ଓ ବାହାରେ ମୋଟ ୨୭ ଦିନିକିଆ (େଓ୍ଵଷ୍ଟଇଣ୍ଡିଜ୍‌, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ) ଖେଳି ସାରିଥିଲା ବେଳେ ପ୍ରତ୍ୟେକ ମ୍ୟାଚ୍‌ରେ ଅତି କମ୍‌ରେ ଜଣେ ସ୍ପିନରଙ୍କୁ ଖେଳାଇଥିଲା। ସେମାନଙ୍କ ମଧ୍ୟରୁ କୁଲ୍‌ଦୀପ୍‌ ୨୦ ମ୍ୟାଚ୍‌ ଖେଳି ୩୯ ଏବଂ ଚହଲ୍‌ ୨୩ ମ୍ୟାଚ୍‌ ଖେଳି ୪୩ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ହେଲେ ଉଭୟଙ୍କୁ ଏବେ ଇଂଲଣ୍ଡରେ ପ୍ରକୃତ ପରୀକ୍ଷା ଦେବାକୁ ପଡ଼ିବ। ଭାରତ ତା’ର ଦିନିକିଆ ଇତିହାସରେ ୧୬ ଥର ୩୦୦ରୁ ଅଧିକ ରନ୍‌ କରିଥିଲା ବେଳେ ୪ ଥର ୩୫୦ରୁ ଅଧିକ ରନ୍‌ କରିସାରିଛି।

ଇଂଲଣ୍ଡ ଦଳ

ବିଶ୍ୱକପ୍‍ ପୂର୍ବରୁ ଶକ୍ତିଶାଳୀ ଭାରତୀୟ ଦଳ ବିରୋଧରେ ନିଜ ଶକ୍ତି ଆକଳନ କରିବା ପାଇଁ ଇଂଲଣ୍ଡ ଲାଗି ଏହା ଏକ ସୁଯୋଗ। ଗତ କିଛିବର୍ଷ ହେଲା ଏହାର ବ୍ୟାଟ୍‍ସମ୍ୟାନ୍‍ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଜେସନ୍‍ ରୟ, ଆଲେକ୍ସ ହେଲ୍‍ସ, ଜୋ ରୁଟ୍‍, ଇଓନ୍‍ ମୋର୍ଗାନ୍‍, ଜନି ବେୟାରଷ୍ଟୋ, ଜୋସ୍‍ ବଟ୍‍ଲର ଓ ବେନ୍‍ ଷ୍ଟୋକ୍‍ସ ନିୟମିତ ଭାବେ ରନ୍‍ ସ୍କୋର୍‍ କରିଛନ୍ତି ଏବଂ ଯେକୌଣସି ବୋଲିଂ ବିରୋଧରେ ରନ୍‍ ସ୍କୋର୍‍ କରିବାକୁ ସମର୍ଥ। ସ୍ପିନର ଭାବେ ମୋଇନ୍‍ ଅଲୀ ଓ ଆଦିଲ ରସିଦ୍‍ଙ୍କ ମଧ୍ୟରୁ ଜଣେ ଖେଳିବେ।

କ’ଣ କହୁଛି ଇତିହାସ?

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ଦିନିକିଆ ରେକର୍ଡ ବହୁତ ଭଲ। ଉଭୟ ଦଳ ପରସ୍ପର ବିପକ୍ଷରେ ୯୬ଟି ମ୍ୟାଚ୍‍ ଖେଳିଥିବା ବେଳେ ଭାରତ ୫୨ଟି ଓ ଇଂଲଣ୍ଡ ୩୯ଟି ମ୍ୟାଚ୍‍ ଜିତିଛି ଏବଂ ୨ଟି ମ୍ୟାଚ୍‍ ଟାଇ ଓ ୩ଟି ମ୍ୟାଚ୍‍ ବିନା ଫଳାଫଳରେ ସମାପ୍ତ ହୋଇଛି।

ଇଂଲଣ୍ଡମାଟିରେ ଉଭୟ ଦଳ ୩୮ ଥର ଖେଳିଥିବା ବେଳେ ଇଂଲଣ୍ଡ ୧୯ଟି ଓ ଭାରତ ୧୫ଟି ଜିତିଛି। ଏହି ମ୍ୟାଚ୍‍ରେ ଆଉ ୩୩ ରନ୍‍ କଲେ ମହେନ୍ଦ୍ର ସିଂହ ଧୋନି ୧୦ ହଜାର ଦିନିକିଆ ରନ୍‍ ପୂରଣ କରିବେ। ଏପରି କରିବାରେ ଧୋନି ବିଶ୍ୱର ୧୨ଶ ଏବଂ ଭାରତର ୪ର୍ଥ କ୍ରିକେଟର ହେବେ। ପୁଣି ବିଶ୍ୱର ପ୍ରଥମ ବ୍ୟାଟ୍‍ସମ୍ୟାନ୍‍ ଭାବେ ଧୋନି ୫୦ରୁ ଅଧିକ ଆଭ୍‍ରେଜ୍‍ରେ ୧୦ ହଜାର ଦିନିକିଆ ରନ୍‍ ସ୍କୋର୍‍କରିବେ।

ମ୍ୟାଚ୍ ସମୟ(ଭାରତୀୟ ସମୟ)
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ଭାରତୀୟ ସମୟ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ।

Comment