ଓଡ଼ିଶାଲାଇଭ୍‌ ବ୍ୟୁରୋ

“କଠିନ ପରିଶ୍ରମ ନକରି ବିଜୟ ମାଲ୍ୟାଙ୍କ ପରି ସ୍ମାର୍ଟ ହୁଅ”, ଆଦିବାସୀଙ୍କ ଉଦ୍ଦେଶ୍ୟରେ ଏହି ମନ୍ତବ୍ୟ ଦେଇଥିଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ଏହି ମନ୍ତବ୍ୟକୁ ନେଇ ବିବାଦ ହେବା ପରେ ଜୁଏଲ ଆଜି ଜାତ ଗଣମାଧ୍ୟମରେ କ୍ଷମା ମାଗିଛନ୍ତି।

ହାଇଦ୍ରାବାଦଠାରେ ଅନୁଷ୍ଠିତ ନ୍ୟାସନାଲ ଟ୍ରାଇବାଲ ଅନ୍ତରପ୍ରେନୋୟର୍ସ କନକ୍ଲେଭ ୨୦୧୮ରେ ଯୋଗଦେଇଥିଲେ ଜୁଏଲ ଓରାମ। ଏହି କନକ୍ଲେଭରେ ସମଗ୍ର ଦେଶରୁ ୧୦୦୦ରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିଲେ।

ଜୁଏଲ୍ କହିଥିଲେ ଯେ ବିଜୟ ମାଲ୍ୟାଙ୍କୁ ଲୋକ ଗାଳି ଦେଉଛନ୍ତି। କିନ୍ତୁ ବିଜୟ ମାଲ୍ୟାଙ୍କ ବିଷୟରେ ଅନୁଧ୍ୟାନ କଲେ ଜାଣିପାରିବେ ସେ ସେ ହେଉଛନ୍ତି ଚତୁର ଲୋକ। କିଛି ବିଜ୍ଞ ଲୋକଙ୍କୁ ଚାକିରି ଦେଇ ବ୍ୟାଙ୍କର୍ସ, ରାଜନେତାଙ୍କୁ ପ୍ରଭାବିତ କରୁଥିଲେ। ଏଣୁ ଆପଣମାନଙ୍କୁ କିଏ ବାଧା ଦେଉଛି ସ୍ମାର୍ଟ ହେବା ପାଇଁ? ବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ କିଏ ମନା କରୁଛି?

ଜୁଏଲ ଆହୁରି କହିଥିଲେ ଯେ ଆଦିବାସୀ ହେବାରେ ଭଲ ବି ଅଛି ଏବଂ ଖରାପ ବି ଅଛି। ଜୀବନରେ ଉନ୍ନତି କରିବା ପାଇଁ ଆମେ ଉଦ୍ୟୋଗୀ, ବିଜ୍ଞ ଓ ସ୍ମାର୍ଟ ହେବା ଉଚିତ୍।

ଜୁଏଲଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଉଠିଥିଲା। ଆଦିବାସୀମାନଙ୍କୁ ସ୍ମାର୍ଟ ହେବା ପାଇଁ ବିଜୟ ମାଲ୍ୟାଙ୍କ ଉଦାହରଣ ଦେଇଥିବାରୁ ଆଦିବାସୀ ସଙ୍ଗଠନ ବିରୋଧ କରିଥିଲେ। ଜୁଏଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଫଳରେ ଜୁଏଲ ଆଜି କ୍ଷମା ମାଗିଛନ୍ତି। ବିଜୟ ମାଲ୍ୟା ବଦଳରେ ଅନ୍ୟମାନଙ୍କର ଉଦହାରଣ ଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି।

Comment