ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ବିଲ୍କୁ ନେଇ କାର୍ଡ ଖେଳିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।
ଟ୍ରିପଲ୍ ତଲାକ୍ ବିଲ୍ ସଂସଦରେ ପାସ୍ କରି ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚେକ୍ ଦେବା ପାଇଁ ଆଗେଇ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ମହିଳା ସଂରକ୍ଷ ବିଲ୍ କେବେ ପାସ୍ କରିବ ପ୍ରଶ୍ନ ଉଠାଇ ମୋଦିଙ୍କୁ ଚିଠି ଲେଖିଛନ୍ତି ରାହୁଲ୍।
ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାହୁଲ ମହିଳା ସଂରକ୍ଷଣ ବିଲ୍ ଉଠାଇଥିବାରୁ ଏହାକୁ ନେଇ ସଂସଦରେ ଆଲୋଚନା ସରଗରମ୍ ହେବ ବୋଲି କୁହାଯାଉଛି।
ରାହୁଲ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରାଯାଉ। ତାଙ୍କ ଦଳ ପୂର୍ଣ୍ଣ ସମର୍ଥନ କରିବ। ୨୦୧୦ରେ ଏହି ବିଲ୍ ରାଜ୍ୟସଭାରେ ପାସ୍ ହୋଇଥିଲେ ମଧ୍ୟ ଲୋକସଭାରେ ଉପସ୍ଥାପନ କରାଯାଇନାହିଁ। ଫଳରେ ଏହି ବିଲ୍ ଆଜି ଯାଏଁ ଝୁଲିକି ରହିଛି।
ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ରାହୁଲ ଚିଠି ଲେଖିବା ପରେ ଜାତୀୟ ରାଜନୀତି ପୁଣି ସରଗରମ୍ ହୋଇଯାଇଛି।
ମହିଳା ସଂରକ୍ଷଣ ବିଲ୍ର ଇତିହାସ
ପଞ୍ଚାୟତ ଏବଂ ନଗରପାଳିକାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା କମ୍ ଥିବା ନେଇ ୧୯୭୪ ମସିହାରେ ଏହି ପ୍ରସଙ୍ଗ ଉଠିଥିଲା। ପଞ୍ଚାୟତ ଏବଂ ନଗରପାଳିକା ନିର୍ବାଚନରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବଢ଼ାଇବା ଉପରେ ଆଲୋଚନା ହୋଇଥିଲା।
୧୯୯୩ରେ ସମ୍ବିଧାନ ସଂଶୋଧନ କରାଯାଇ ପଞ୍ଚାୟତ ଏବଂ ନଗରପାଳିକାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ କରାଯାଇଥିଲା।
୧୯୯୬ ସେପ୍ଟେମ୍ବର ୧୨ ତାରିଖରେ ମହିଳା ସଂରକ୍ଷଣ ବିଲ୍କୁ ତତ୍କାଳୀନ ଏଚ୍ ଡି ଦେବେଗୌଡ଼ାଙ୍କ ସରକାର ସଂସଦରେ ଉପସ୍ଥାପନ କରିଥିଲେ। ଏହାପରେ ଦେବେଗୌଡ଼ାଙ୍କ ସରକାର ଭାଙ୍ଗିଯିବାରୁ ଏହି ବିଲ୍ ଉପରେ ଆଲୋଚନା ହୋଇପାରି ନଥିଲା।
ଏହି ବିଲ୍କୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାଂସଦ ଗୀତା ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଗଠିତ ସଂଯୁକ୍ତ ସଂସଦୀୟ ସମିତିକୁ ପଠାଯାଇଥିଲା। ଏହି କମିଟି ୧୯୯୬ ଡିସେମ୍ବର ୯ରେ ଲୋକସଭାରେ ନିଜର ରିପୋର୍ଟ ଉପସ୍ଥାପନ କରିଥିଲା।
୧୯୯୮ ଜୁନ୍ ୨୬ରେ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ସରକାରରେ ୮୪ତମ ସମ୍ବିଧାନ ସଂଶୋଧନ କରାଯାଇ ମହିଳା ସଂରକ୍ଷଣ ବିଲ୍କୁ ଆଗତ କରାଯାଇଥିଲା। ହେଲେ ସଂସଦରେ ଏହି ବିଲ୍ ପାସ୍ ହୋଇପାରି ନଥିଲା। ଏହାପରେ ଅଟଳବିହାରୀ ବାଜପେୟୀଙ୍କ ସରକାର ଭାଙ୍ଗିଯାଇଥିଲା।
୧୯୯୯ ନଭେମ୍ବର ୨୨ରେ ଏନଡିଏ ସରକାର ପୁଣିଥରେ କ୍ଷମତାକୁ ଫେରିବା ପରେ ମହିଳା ସଂରକ୍ଷଣ ବିଲ୍ ସଂସଦରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ସମସ୍ତ ସଦସ୍ୟ ଏଥିରେ ସହମତ ନହେବାରୁ ବିଲ୍ ପାସ୍ ହୋଇପାରିଲା ନାହିଁ।
୨୦୦୨ ଏବଂ ୨୦୦୩ରେ ମଧ୍ୟ ଏହି ବିଲ୍କୁ ଏନଡିଏ ସରକାର ସଂସଦରେ ଆଗତ କରିଥିଲେ। କଂଗ୍ରେସ ସମେତ ବାମଦଳ ଏହି ବିଲ୍କୁ ସମର୍ଥନ କରିଥିଲେ। କିନ୍ତୁ ସରକାର ବିଲ୍କୁ ପାସ୍ କରିପାରିଲେ ନାହିଁ।
୨୦୦୮ ମେ ୬ରେ ମହିଳା ସଂରକ୍ଷଣ ବିଲ୍ ରାଜ୍ୟସଭାରେ ଆଗତ ହୋଇଥିଲା। ଏହି ବିଲ୍କୁ ଯାଞ୍ଚ କରିବା ପାଇଁ କମିଟିକୁ ପଠାଯାଇଥିଲା। ୨୦୦୯ ଡିସେମ୍ବର ୧୭ରେ କମିଟି ତାଙ୍କ ରିପୋର୍ଟ ଦେଇଥିଲେ। ହେଲେ ସମାଜବାଦୀ ପାର୍ଟି, ଜେଡିୟୁ, ଆର୍ଜେଡି ବିରୋଧ କରିବାରୁ ବିଲ୍ ଝୁଲିକି ରହିଥିଲା।
୨୦୧୦ ଫେବ୍ରୁଆରି ୨୫ରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମହିଳା ସଂରକ୍ଷଣ ବିଲ୍କୁ ଅନୁମୋଦନ ମିଳିଥିଲା। ୨୦୧୦ ମାର୍ଚ୍ଚ ୯ରେ ମହିଳା ସଂରକ୍ଷଣ ବିଲ୍ ବହୁମତରେ ରାଜ୍ୟସଭାରେ ପାସ୍ ହୋଇଥିଲା।








୨୦୧୯ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ବିଲ୍କୁ ନେଇ କାର୍ଡ ଖେଳିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।









