ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସରେ ଆଉ ଚଳିବନି ପରିବାରବାଦ ରାଜନୀତି। ୨୦୧୯ରେ ୱାନ ଫ୍ୟାମିଲି ୱାନ ଟିକେଟ ନୀତି ଲାଗୁ ହେବ ବୋଲି ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି।

ପରିବାରବାଦ ରାଜନୀତିକୁ ସବୁବେଳେ ପ୍ରଶୟ ଦେଇ ଆସୁଥିବା କଂଗ୍ରେସ ଏବେ ପରିବାରବାଦକୁ ନା କହିଛି। ୨୦୧୯ ନିର୍ବାଚନ ପାଇଁ ଏହି ପଲିସି ପ୍ରୟୋଗ କରିଛି କଂଗ୍ରେସ। ଗୋଟିଏ ପରିବାରରୁ ଜଣକୁ ଟିକେଟ ମିଳିବ ବୋଲି ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି।

ଜିତେନ୍ଦ୍ର ସିଂ କହିଛନ୍ତି, “ଗୋଟିଏ ପରିବାରରୁ ଜଣକୁ ଟିକେଟ ମିଳିବ। ଯିଏ ରାଜନୀତିରେ ଦକ୍ଷ ଏବଂ ସକ୍ରିୟ ଅଛନ୍ତି ସେମାନଙ୍କୁ ହିଁ ପ୍ରାଧାନ୍ୟ ଦିଆଯିବ। ଏଆଇସିସି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଓଡ଼ିଶାରେ ଲାଗୁ କରାଯିବ। ଏହାସହ ଟିକେଟ ପାଇଁ ଲବି କାମ କରିବ ନାହିଁ। ନେତାଙ୍କ ଦକ୍ଷତା ଆଧାରରେ ଟିକେଟ ଦିଆଯିବ।”

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ୨୦୧୯ ନିର୍ବାଚନ ପାଇଁ ବିଗୁଲ୍ ବାଜିଥିଲା। ଯେଉଁଦିନ ନିରଞ୍ଜନ ଏୟାରପୋର୍ଟରୁ କଂଗ୍ରେସଭବନକୁ ବିରାଟ ରାଲିରେ ଆସିଥିଲେ ସେହିଦିନ ହିଁ ଟିକେଟ ବଣ୍ଟନ ସମ୍ପର୍କରେ ନିରଞ୍ଜନ ସ୍ପଷ୍ଟ କରିଥିଲେ। ନିର୍ବାଚନର ୬ ମାସ ପୂର୍ବରୁ ଟିକେଟ ବଣ୍ଟାଯିବ ଏବଂ ଯେଉଁମାନେ ଲୋକଙ୍କ ସହ ଯୋଡ଼ି ହୋଇ ରହିଥିବେ ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବ।

ସମନ୍ୱୟ ବୈଠକ ପରେ ନିରଞ୍ଜନ ଏବଂ ପ୍ରଭାରୀ ଜିତେନ୍ଦ୍ର ସିଂ ଆଉ ପାଦେ ଆଗକୁ ଯାଇଛନ୍ତି। ଗୋଟିଏ ପରିବାରରୁ ଜଣକୁ ଟିକେଟ ମିଳିବ ବୋଲି ସ୍ପଷ୍ଟ କରିବା ପରେ କଂଗ୍ରେସ ମହଲରେ ରାଜନୀତି ତେଜିଛି।

“ଜିତେନ୍ଦ୍ର ସିଂ ଯାହା କହିଛନ୍ତି ଭାବିଚିନ୍ତି କହିଛନ୍ତି। ତାଛଡ଼ା ଏଆଇସିସି ଯେଉଁ ନୀତି ନିର୍ଦ୍ଧାରଣ କରିବ ତାହାକୁ ଆମେ ମାନିବାକୁ ବାଧ୍ୟ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here