ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସକୁ ମହିଳା ବିରୋଧୀ ଦଳ କହିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପଲଟିଛନ୍ତି। ସୋମବାର ଦିନ ଏକ ଚିଠି ଲେଖି ରାହୁଲ ଗାନ୍ଧି କହିଛନ୍ତି ଯେ ୧୮ ଜୁଲାଇରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଗତ କରାଯାଉ।
ରାହୁଲ ତାଙ୍କ ଚିଠିରେ ଲେଖିଛନ୍ତି, “ଆମ ପ୍ରଧାନମନ୍ତ୍ରୀ ନିଜକୁ ମହିଳା ସଶକ୍ତିକରଣର ସମର୍ଥକ କହୁଛନ୍ତି। ଏବେ ଦଳୀୟ ରାଜନୀତିରୁ ଉଠି କିଛି କରିବାର ସମୟ ଆସିଛି। ଆପଣ ବର୍ଷାକାଳୀନ ଅଧିବେଶନରେ ଏହି ବିଲ ଲୋକସଭାରେ ଆଣନ୍ତୁ, କଂଗ୍ରେସ ବିନା ସର୍ତ୍ତରେ ଏହାକୁ ସମର୍ଥନ ଦେବ।”
ରାହୁଲ ଏ କଥା ମଧ୍ୟ ଚିଠିରେ ଲେଖିଛନ୍ତି ଯେ ୯ ମାର୍ଚ୍ଚ ୨୦୧୦ରେ ମହିଳା ସଂରକ୍ଷଣ ବିଲ ରାଜ୍ୟସଭାରେ ବିଜେପିର ସମର୍ଥନରେ ଗୃହୀତ ହୋଇଥିଲା। ସେତେବେଳର ବିରୋଧୀ ଦଳ ନେତା ଥିବା ଅରୁଣ ଜେଟଲି ଏହାକୁ ଐତିହାସିକ ବୋଲି କହିଥିଲେ। କିନ୍ତୁ ତାପରେ ଯେତେବେଳେ ବି କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଛି ବିଜେପି ତାର ବିରୋଧ କରିଛି।
୨୦୧୪ ନିର୍ବାଚନ ଇସ୍ତାହାରରେ ମଧ୍ୟ ବିଜେପି ଏହି ପ୍ରସଙ୍ଗକୁ ସାମିଲ କରିଥିଲା। ବିଲ୍ର ସମର୍ଥନରେ ଏବେ ପର୍ଯ୍ୟନ୍ତ ୩୨ ଲକ୍ଷ ଲୋକଙ୍କ ହସ୍ତାକ୍ଷର ଏକାଠି କରାଯାଇଛି। କଂଗ୍ରେସ ଚାହୁଁଛି ଏହି ବିଲ୍ ଶୀଘ୍ର ପାସ୍ ହେଉ ଯାହା ଫଳରେ କି ୨୦୧୯ ନିର୍ବାଚନରେ ମହିଳାଙ୍କ ଭାଗିଦାରୀର ସ୍ୱପ୍ନ ସାର୍ଥକ ହୋଇପାରିବ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଉତ୍ତର ପ୍ରଦେଶରେ ଏକ ରାଲିରେ ଭାଷଣ ପ୍ରଦାନ କରିବାକୁ ଯାଇ କହିଥିଲେ ଯେ ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ଇଜ୍ଜତ ଦେବା ପାଇଁ କଂଗ୍ରେସ ଚାହୁଁନାହିଁ। ଏହି ଆକ୍ଷେପ ପରେ ରାହୁଲ ଉକ୍ତ ଚିଠି ଲେଖିଛନ୍ତି। ମନେପକାଇ ଦିଆଯାଇପାରେ ଯେ, ଲୋକସଭା ଓ ବିଧାନସଭାଗୁଡିକରେରେ ମହିଳାଙ୍କ ପାଇଁ ୩୩ % ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିବା ଏକ ବିଲ ୟୁପିଏ ସରକାର ସମୟରେ ରାଜ୍ୟସଭାରେ ଗୃହୀତ ହୋଇଥିଲା। କିନ୍ତୁ ଲୋକସଭାରେ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଜନତା ଦଳ ଭଳି ଦଳର ପ୍ରବଳ ବିରୋଧ ଯୋଗୁଁ ଏହା ଅଟକିଯାଇଥିଲା।
ପିଆଆର୍ଏସ୍ ଲେଜିସଲେଟିଭର ଏକ ତଥ୍ୟ ଅନୁସାରେ ବର୍ତ୍ତମାନର ଲୋକସଭାରେ ୫୪୩ ଆସନ ମଧ୍ୟରୁ ୬୨ ଜଣ ମହିଳା ସାଂସଦ ଅଛନ୍ତି। ଏହା ସବୁଠାରୁ ଅଧିକ। ଏଥି ପୂର୍ବରୁ ପଞ୍ଚଦଶ ଲୋକସଭାରେ ୫୮ଜଣ ମହିଳା ସାଂସଦ ଥିଲେ। ରାଜ୍ୟସଭାରେ ଏବେ ୨୭ ଜଣ ମହିଳା ସାଂସଦ ଅଛନ୍ତି।


















