ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ହେବା ପୂର୍ବରୁ ବିଜେଡି ସାଂସଦ କକ୍ଷତ୍ୟାଗ କରି ବିରୋଧୀ ମହାମେଣ୍ଟକୁ କଡ଼ା ସନ୍ଦେଶ ଦେଇଛନ୍ତି।

ଶୁକ୍ରବାର ଦିନ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଆଲୋଚନା ଆରମ୍ଭ ହେବା ପୂର୍ବରୁ ହିଁ ବିଜୁ ଜନତା ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅବଶ୍ୟ ଏହି ରଣନୀତି ଆଗରୁ ପ୍ରସ୍ତୁତ ହୋଇଥିଲା। ତେବେ ଏହି ପଦକ୍ଷେପ ନେବା ଦ୍ୱାରା ବିଜେଡି ଦେଶର ବିରୋଧୀ ଦଳର ନେତାମାନଙ୍କୁ ଏକ କଡ଼ା ସନ୍ଦେଶ ପଠାଇଛି। ସେହି ସନ୍ଦେଶଟି ହେଉଛି ଆମେ କୋଉଥିରେ ନାହୁଁ।

ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ ହେବା ପରେ ଲୋକସଭାରେ ବିଜୁ ଜନତା ଦଳର ସଦସ୍ୟ ସଂଖ୍ୟା ୧୯କୁ ଖସିଆସିଛି। ଆଲୋଚନାରେ ଭାଗ ନନେଇ ବିଜେଡି ପ୍ରମାଣିତ କରିବାକୁ ଚାହିଁଛି ଯେ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସଠାରୁ ସମଦୂରତା ରକ୍ଷା କରିବା ପାଇଁ ଯେଉଁ ସଂକଳ୍ପ ଦଳ କରିଆସିଛି ସେଥିରେ ଆଦୌ ଏପଟ ସେପଟ ନାହିଁ।

ଦେଖିବାକୁ ଗଲେ ମୁକ୍ତ ଆକାଶର ବିହଙ୍ଗମ ଭଳି ନବୀନ ପଟ୍ଟନାୟକଙ୍କ ବିଜେଡି ଲୋକସଭାରେ ବିଶ୍ୱାସ ଭୋଟରେ ସାମିଲ ହୋଇ ନଥିଲା ଓ ଏହାଦ୍ୱାରା ଦଳ ଡିଫେନ୍ସ ଖେଳିଛି। ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ବିଗତ ତିନି ବର୍ଷ ଧରି ଦେଶର ବିରୋଧୀ ଦଳମାନେ ଯେତେ ପ୍ରକାର କାର୍ଯ୍ୟକ୍ରମ କରିଛନ୍ତି ବିଜେଡି କେଉଁଥିରେ ବି ଅଂଶ ଗ୍ରହଣ କରିନାହିଁ।

ଗୃହ ପରିତ୍ୟାଗ ପୂର୍ବରୁ ଲୋକସଭାରେ ଦଳର ନେତା ଭର୍ତ୍ତୃହରି ମହତାବ ଯାହା କହିଲେ ତାହା ପ୍ରଣିଧାନଯୋଗ୍ୟ। ସେ କହିଲେ, “ଦଶ ବର୍ଷର ୟୁପିଏ ସରକାର ହେଉ କି ଚାରି ବର୍ଷର ଏନଡିଏ ସରକାର ହେଉ ଓଡ଼ିଶା ବରାବର ଉପେକ୍ଷିତ ହୋଇ ଆସିଛି। ଏ ଦୁଇ ସରକାରଙ୍କଠାରୁ କୌଣସି ଫାଇଦା ଓଡ଼ିଶା ପାଇନାହିଁ।”

ଭର୍ତ୍ତୃହରିଙ୍କ ଯୁକ୍ତି ଥିଲା ଯେ ପଡୋଶୀ ଆନ୍ଧ୍ରପ୍ରଦେଶ ସହିତ ଏବେ ବିଭିନ୍ନ ପ୍ରସଙ୍ଗରେ ବିବାଦ ଚାଲିଛି – ପୋଲାଭରାମ ଠାରୁ ଅପର କୋଲାବ ପର୍ଯ୍ୟନ୍ତ। ଆଉ ଯଦି ତେଲୁଗୁ ଦେଶମ ପାର୍ଟି ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିଥାନ୍ତା ତେବେ ସମସ୍ତେ ଧରି ନେଇଥାନ୍ତେ ଯେ ଓଡ଼ିଶାର ସ୍ୱାର୍ଥକୁ ଆମେ ଜଳାଞ୍ଜଳି ଦେଉଛୁ। ଠିକ୍ ସେହିଭଳି ଓଡ଼ିଶାରେ ଅମିତ ଶାହଙ୍କ ନେତୃତ୍ୱାଧୀନ ବିଜେପି ଯେଉଁଭଳି ମୁଣ୍ଡ ଟେକୁଛି ଓ ବିଜେଡିର ଭୋଟ ବ୍ୟାଙ୍କରେ ଯେଉଁଭଳି ଦଖଲ ଦେବାକୁ ଚାହୁଁଛି ସେଥିରେ ମଧ୍ୟ ବିଜେଡି ବିଚଳିତ। ଏହି କାରଣରୁ ଲୋକସଭାରେ ମୋଦି ସରକାର ସପକ୍ଷରେ ଭୋଟ ଦେବା ଦଳ ପାଇଁ ଠିକ୍ ହୋଇନଥାନ୍ତା ବୋଲି ଆଲୋଚନା ହେଉଛି। ତେବେ କକ୍ଷତ୍ୟାଗ ଜରିଆରେ ପ୍ରକାଶ୍ୟ ଭାବେ ବିଜେଡି ବିରୋଧୀ ଦଳକୁ ହିଁ ତାର କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିଛି।

ବିଜେଡି ସାଂସଦଙ୍କ ସମୂହ କକ୍ଷତ୍ୟାଗ ଫଳରେ ଭୋଟିଂ ବେଳେ ଗୃହରେ ବିରୋଧୀଙ୍କ ସଂଖ୍ୟା ହ୍ରାସ ଘଟିଥିଲା। ଯଦି ଗୃହରେ ଉପସ୍ଥିତ ରହି ବିଜେଡି ସଦସ୍ୟମାନେ ଭୋଟିଂରେ ଅଂଶଗ୍ରହଣ କରି ନଥାନ୍ତେ, ଲୋକସଭାର ନିୟମ ଅନୁଯାୟୀ ତାଙ୍କ ସଂଖ୍ୟାକୁ ହିସାବକୁ ନିଆଯାଇଥାନ୍ତା। ଆଜିର ଏହି କକ୍ଷତ୍ୟାଗ ନିଷ୍ପତ୍ତି ଯୋଗୁଁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତାଙ୍କୁ ଏକଥା ସ୍ପଷ୍ଟ ଭାବେ ଶୁଣାଇଛନ୍ତି ଯେ ‘ମହାମେଣ୍ଟ ଫହାମେଣ୍ଟରେ ଆମକୁ ଆଦୌ ପୂରାଅ ନାହିଁ।’

 

Comment