ଓଡ଼ିଶାଲାଇଭ୍ ବ୍ୟୁରୋ

- ଓଡ଼ିଶା ମୋଟର ଯାନ ଟିକସ ଆଇନ୍-୧୯୭୫ର ଧାରା ୧୫ର ସଂଶୋଧନ
- ଏବେ ଗାଡ଼ି କିଣିଲେ ୬ରୁ ୧୦ ପ୍ରତିଶତ ଟିକସ
- ୩ଟି ବର୍ଗରେ ଆଦାୟ ହେବ ଟିକସ
- ୫ ଲକ୍ଷରୁ କମ୍ ଦାମର ଗାଡ଼ି ଉପରେ ୬ ପ୍ରତିଶତ ଟିକସ
- ୫ରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ି ଉପରେ ୮ ପ୍ରତିଶତ ଟିକସ
- ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗାଡ଼ି ଉପରେ ୧୦ ପ୍ରତିଶତ ଟିକସ
ଗାଡ଼ି କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସିଖବର। ରାଜ୍ୟ ସରକାର ଗାଡ଼ି ଉପରୁ ଟିକସ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଗାଡ଼ି କିଣିବା ଶସ୍ତା ହୋଇଛି। ରାଜ୍ୟ ସଚିବାଳୟରେ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଓଡ଼ିଶା ମୋଟର ଯାନ ଟିକସ ଆଇନ୍-୧୯୭୫ର ଧାରା ୧୫କୁ ସଂଶୋଧନ କରାଯାଇଥିବାରୁ ଗାଡ଼ି କିଣିବା ଉପରେ ନିଆଯାଉଥିବା ଟିକସ ହ୍ରାସ ପାଇଛି।
ଆଗରୁ ଗାଡ଼ି କିଣିବା ବେଳେ ଗ୍ରାହକଙ୍କୁ ୨୦ ପ୍ରତିଶତ ଟିକସ ଦେବାକୁ ପଡ଼ୁଥିଲା। ହେଲେ ଏବେ ୬ରୁ ୧୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ପୂର୍ବରୁ ଯେଉଁମାନେ ଗାଡ଼ି କିଣୁଥିଲେ ସେମାନଙ୍କଠାରୁ ୫ଟି ବର୍ଗରେ ଟିକସ ଆଦାୟ କରାଯାଉଥିଲା। ହେଲେ ଏଣିକି ୩ଟି ବର୍ଗରେ ଟିକସ ଦେବାକୁ ପଡ଼ିବ। ଗ୍ରାହକମାନଙ୍କୁ ୬ ପ୍ରତିଶତ, ୮ ପ୍ରତିଶତ ଓ ୧୦ ପ୍ରତିଶତ ଟିକସ ମଧ୍ୟରେ ସୀମିତ ରଖିବାକୁ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି।
୫ ଲକ୍ଷରୁ କମ୍ ଦାମର ନୂଆ ଗାଡ଼ି କିଣିଲେ ୬ ପ୍ରତିଶତ, ୫ରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ି ଉପରେ ୮ ପ୍ରତିଶତ ଏବଂ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗାଡ଼ି କିଣିଲେ ୧୦ ପ୍ରତିଶତ ଟ୍ୟକ୍ସ ଦେବାକୁ ପଡ଼ିବ। ପୂର୍ବରୁ ଅଧିକ ଟିକସ ଆଦାୟ ହେଉଥିବାରୁ ରାଜ୍ୟରେ ଦାମି ଗାଡ଼ି ବିକ୍ରି ହ୍ରାସ ପାଇଥିଲା। ଫଳରେ ରାଜସ୍ୱ ଆଦାୟରେ ବାଧା ଉପୁଜିଥିଲା। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ମୋଟର ଯାନ ଟିକସ ଆଇନ୍ରେ ସଂଶୋଧନ କରିଛନ୍ତି।
ସେହିପରି ବସୁଧା ଯୋଜନାରେ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ୨ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ କାର୍ଯକ୍ଷମ ହେଲେ ୩୦୫ଟି ଗ୍ରାମର ୨ ଲକ୍ଷ ୯୦ ହଜାର ଲୋକ ଉପକୃତ ହେବେ। ଏଥିପାଇଁ ୩୮୭ କୋଟି ୫୯ ଲକ୍ଷ ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ ମିଳିଛି।
ଓଡ଼ିଶା ଅମଲା ସେବା ନିୟମାବଳୀ ୧୯୯୪ର ସଂଶୋଧନ କରାଯାଇଛି।
ବିକେକେଓ୍ବାଇ ଧାରା-୧ରେ ସମସ୍ତ ପଞ୍ଜିକୃତ ପ୍ରତ୍ୟେକ ଚାଷୀ ପରିବାରଙ୍କୁ ୩୦ ହଜାର ଟଙ୍କାର ସ୍ବାସ୍ଥ୍ୟବୀମା ପ୍ରତିବର୍ଷ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ତେବେ କୋତୋଟି ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର ଚିକିତ୍ସା ପାଇଁ ୭୦ ହଜାର ଟଙ୍କାର ଅତିରିକ୍ତ ସ୍ୱାସ୍ଥ୍ୟବୀମା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।
ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ୬୦ ପ୍ରତିଶତ କେନ୍ଦ୍ର ଅଂଶ ବାବଦକୁ ୧୦୫୨.୨୬ କୋଟି ଟଙ୍କାର ସହାୟତା ମିଳିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦ୍ର ସରକାରଙ୍କଠାରୁ ମଞ୍ଜୁରପ୍ରାପ୍ତ ତାରିଖଠାରୁ ୧୫ ଦିନ ଭିତରେ କେନ୍ଦ୍ର ଅଂଶ ସହିତ ୪୦ ପ୍ରତିଶତ ରାଜ୍ୟ ଅଂଶ ମିଶାଇ କାର୍ଯ୍ୟକାରୀ ସଂସ୍ଥାକୁ ଦିଆଯିବା ଆବଶ୍ୟକ। ୨୦୧୮-୧୯ ଆର୍ଥିକ ବର୍ଷରେ ଏ ବାବଦରେ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କ୍ୟାବିନେଟରେ ଆଲୋଚନା ହୋଇଥିଲା।
ଆଇଟି ଓ ଷ୍ଟାଟ୍ଅପ୍ ଶିଳ୍ପଦ୍ୟୋଗୀଙ୍କୁ ରାଜ୍ୟ ସରକାରଙ୍କ ବିଲ୍ଡିଂରେ ରିହାତି ମୂଲ୍ୟରେ ଗରଗଡ଼ା ମିଳିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ବର୍ଗଫୁଟ ପ୍ରତି ୨୦ ଟଙ୍କା ମୂଲ୍ୟରେ ଘରଭଡ଼ା ଦିଆଯିବ। ଲେବର ସର୍ଭିସ କ୍ୟାଡରର ପୁନର୍ଗଠନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଫଳରେ ପ୍ରତି ଜିଲ୍ଲାରେ ୨ ଜଣ ଶ୍ରମ ଅଧିକାରୀ, ୩୧୪ ବ୍ଲକ ଓ ଏନଏସିରେ ଅତିରିକ୍ତ ଶ୍ରମ ଅଧିକାରୀ ରହିବେ।










