ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ୱାସ୍ଥ୍ୟ ବିଭାଗର ୬ଟି ପ୍ରସ୍ତାବ ସହ ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରସ୍ତାବ ଏଥିରେ ସାମିଲ ରହିଛି। ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ରାଜ୍ୟ କ୍ୟାବିନେଟରେ ମୋଟ ୮ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି। ଏଥିରେ ୬ଟି ସ୍ୱାସ୍ଥ୍ୟ ବିଭାଗର ଓ ଅନ୍ୟ ୨ଟି ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜଳସମ୍ପଦ ବିଭାଗର ରହିଛି। ଏଥିରେ ଅଧିକାଂଶ ପ୍ରସ୍ତାବ କ୍ୟାଡର ସଂଶୋଧନ ଓ ସେବା ସର୍ତ୍ତାବଳୀ ସଂକ୍ରାନ୍ତୀୟ ରହିଛି।

ଦୀର୍ଘଦିନ ଧରି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟରତ ୫୦୪ ଜଣ ଚୁକ୍ତିଭିତ୍ତିକ ସୁପରଭାଇଜରଙ୍କ ଚାକିରିକୁ ନିୟମିତ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ୧୮.୫୧ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ। ଚାକିରି ନିୟମିତ ହେବା ଫଳରେ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଶିକ୍ଷିତ ମହିଳାମାନେ ସୁପରଭାଇଜର ଭାବେ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ।

ସେହିପରି ଓଡ଼ିଶା ନର୍ସିଂ ସେବା କ୍ୟାଡରର ପୁନର୍ଗଠନ ଓ ଓଡ଼ିଶା ନର୍ସିଂ ସେବା ଚୟନ ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀ-୨୦୧୯ର ପୁନଃ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ନର୍ସିଂ ଅଧିକାରୀମାନଙ୍କ ଉପଯୁକ୍ତ ବୃତ୍ତିଗତ ପ୍ରୋତ୍ସାହନ ପାଇଁ ଓଡ଼ିଶା ନର୍ସିଂ ସେବା କ୍ୟାଡରର ପୁନର୍ଗଠନ ପ୍ରସ୍ତାବକୁ ସାଧାରଣ ପ୍ରଶାସନ ଓ ଅର୍ଥ ବିଭାଗ ଦ୍ୱାରା ମଧ୍ୟ ମଞ୍ଜୁରୀ ମିଳିଛି।

Tags: #CabinetMeeting #Govtproposals #StateCabinet #CMNaveenPatnaik #Odisha

LEAVE A REPLY

Please enter your comment!
Please enter your name here