ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ମାତ୍ର କେତେ ଘଣ୍ଟାର ପ୍ରତୀକ୍ଷା ପରେ ଆଡ଼ପ ମଣ୍ଡପରୁ ପହଣ୍ଡି ବିଜେ ହୋଇ ତିନି ରଥରେ ବିରାଜମାନ କରିବେ ମହାପ୍ରଭୁ। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ କାଳିଆ ସାଆନ୍ତ। ବାହୁଡ଼ାଯାତ୍ରାର ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସକାଳ ୪ଟାରୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ ନୀତି ଶେଷ ହେବା ପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଶେଷ ହୋଇଛି।

ସେବାୟତମାନେ ମହାପ୍ରଭୁଙ୍କ ମସ୍ତକରେ ଟାହିଆ ବାନ୍ଧିବା ପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ୯ଟାରୁ ତିନି ଠାକୁରଙ୍କ ପହଣ୍ଡି ହେବ। ୧୨ ସୁଦ୍ଧା ପହଣ୍ଡି ଶେଷ ହେବା ପରେ ରଥରେ ଛେରାପହଁରା କରିବେ ଗଜପତି ମହାରାଜ। ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ। ସନ୍ଧ୍ୟା ପୂର୍ବରୁ ତିନି ରଥକୁ ଶ୍ରୀମନ୍ଦିର ଦିଂହଦ୍ୱାର ନିକଟରେ ପହଞ୍ଚାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଛି।

ଏପଟେ ତିନିଠାକୁରଙ୍କୁ ନାକଚଣା ଦ୍ୱାର ନିକଟରେ ତାଳଧ୍ୱଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ଅପେକ୍ଷା କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ପୁରୀରେ ଭକ୍ତଙ୍କ ଭିଡ଼ ଲାଗିଛି। ମହାପ୍ରଭୁଙ୍କୁ ବାହୁଡ଼ାଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ଗହଳ ଚହଳରେ ପୁରୀ ବଡ଼ଦାଣ୍ଡ ଫାଟି ପଡ଼ୁଛି।

ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୧୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ସମେତ ୧୦୦୦ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏହାସହ ୧୦୦୦ ହୋମଗାର୍ଡ, ୨ ୟୁନିଟ୍ ରାପିଡ ଆକ୍ସନ ଫୋର୍ସ ଏବଂ ୨ ୟୁନିଟ ସ୍ୱିଫ୍ଟ ଆକ୍ସନ ଫୋର୍ସ ମୁତୟନ କରାଯାଇଛି।

ସମୁଦ୍ର କୂଳ, ବଡ଼ଦାଣ୍ଡ, ରେଳ ଷ୍ଟେସନ ଏବଂ ବସ୍‌ ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରୀର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ସମେତ ରଥ ଏବଂ ଗୁଣ୍ଡିଚା ମନ୍ଦିର ସିସିଟିଭି ନଜରରେ ରହିବ। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Comment