ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ନଅ ଦିନର ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଭକ୍ତମାନେ ଟାଣିବା ଆରମ୍ଭ କରିଛନ୍ତି। ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡ଼ିଛି ରଥ। ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।
ବାହୁଡ଼ା ଯାତ୍ରା ଲାଗି ଶ୍ରୀଜୀଉଙ୍କ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା। ଶରଧାବାଲିରେ ୩ ରଥରେ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ରଥରେ ଗଜପତି ମହାରାଜାଙ୍କ ଦ୍ଵାରା ଛେରାପହଁରା ନୀତି ସରିବାପରେ ରଥ ଗଡ଼ିଥିଲା। ଘଣ୍ଟଘଣ୍ଟା, ହୁଳହୁଳିର ଧ୍ୱନି ମଧ୍ୟରେ ଭକ୍ତମାନେ ରଥ ଟଣିଛନ୍ତି।
ବାହୁଡ଼ା ଯାତ୍ରା ପାଇଁ ଶନିବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ସବୁ ନୀତିକାନ୍ତି ସରିବାପରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ପ୍ରଥମେ ପ୍ରଭୁ ସୁଦର୍ଶନ ଦେବଦଳନ ରଥରେ ବିଜେ କରିଥିଲେ। ଏହାପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ପହଣ୍ଡି ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଥିଲେ।
ଶ୍ରୀଜୀଉଙ୍କ ପହଣ୍ଡି ସରିବାପରେ ଗଜପତି ମହାରାଜ ଶ୍ରୀନଅରରୁ ଆସି ରଥ ପାଖରେ ପହଞ୍ଚିଥିଲେ। ଏହାପରେ ରଥରେ ସୁବାସିତ ଜଳ ଛିଞ୍ଚାଯାଇଥିଲା। ଏହାପରେ ସେ ୩ ରଥରେ ଛେରାପହଁରା କରିଥିଲେ। ଏହାପରେ ରଥରୁ ଶ୍ରୀଜୀଉଙ୍କ ଚାରମାଳ କଢ଼ାଯାଇ ଘୋଡ଼ା ଜୋଖା ଯାଇଥିଲା। ଶେଷରେ ଶ୍ରଦ୍ଧାଳୁମାନେ ଭକ୍ତି ଭାବର ସହ ରଥଟଣା ଆରମ୍ଭ କରିଛନ୍ତି।
Tags: #BahudaJatra #ShreeGundichaTemple #TaladhwajRatha #Culture #Puri