ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟପୁରଠାରେ ଥିବା ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ବେସମେଣ୍ଟସ୍ଥିତ ମାଉସୀ ମା’ ମନ୍ଦିରଠାରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଥିଲା ବାହୁଡ଼ା ଯାତ୍ରା।

ଘଣ୍ଟଘଣ୍ଟା, ଶଙ୍ଖଧ୍ଵନୀ, ବାଦ୍ୟର ତାଳେ ତାଳେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ତିନି ରଥରେ ବିରାଜମାନ କରାଯାଇଥିଲା।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଛତିଶଗଡ଼ ରାଜ୍ୟର ମନ୍ତ୍ରୀ ରାମ ପ୍ରତାପ ସିଂହ ତିନି ରଥରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ମନ୍ଦିର ପ୍ରତିଷ୍ଠାତା ପୁରନ୍ଦର ମିଶ୍ର ଏଥିରେ ସହଯୋଗ କରିଥିଲେ। ବୁଧବାର ସନ୍ଧ୍ୟା ୫ଟାରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ।

ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହୋଇଉଠିଥିଲା ସମ୍ପୃକ୍ତ ଅଞ୍ଚଳ। ଆଗରେ ବଡ଼ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଗଡ଼ିବା ପରେ ପଛେ ପଛେ ଯାଇଥିଲେ ବଡ଼ଠାକୁର। ସନ୍ଧ୍ୟା ୬ଟା ସୁଦ୍ଧା ବେଢ଼ା ଭ୍ରମଣ କରି ତିନି ରଥ ମୁଖ୍ୟ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ।

ସନ୍ଧ୍ୟା ୭ଟା ବେଳେ ସାହି ରୋଷଣୀ କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମନ୍ଦିର ମଧ୍ୟକୁ  ନିଆଯାଇ ରତ୍ନ ସିଂହାସନରେ ଆସୀନ କରାଯାଇଥିଲା।

ମନ୍ଦିର ପରିଚାଳନା କମିଟି, ଶ୍ରୀ ଜଗନ୍ନାଥ ମନ୍ଦିର ସେବା ସମିତିର ସଂରକ୍ଷକ ସଦସ୍ୟ ପୁରନ୍ଦର ମିଶ୍ର, ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାସ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ଵାରିକାଧୀଶ ମିଶ୍ର, ରମେଶ କୁମାର ଅଗ୍ରୱାଲ ଓ ପ୍ରକାଶ ଦାସ ପ୍ରମୁଖ ବାହୁଡ଼ା ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

Tags: #Culture #BahudaJatra #Chhattisgarh #Raipur #SriJagannath

Comment