ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବାହାରିନ ଓଡ଼ିଆ ସମାଜ ଓ ଇସ୍କନର ମିଳିତ ସହଯୋଗରେ ବୁଧବାର ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ଶ୍ରୀଜୀଉଙ୍କ ରଥକୁ ଏଠାରେ ଥିବା ଇସ୍କନ ମନ୍ଦିରକୁ ଆଣିଥିଲେ।

ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡାକ୍ତର ଅରୁଣ କୁମାର ପ୍ରହରାଜ ଓ ତାଙ୍କ ସହଯୋଗୀମାନେ ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଜୀଉଙ୍କ ସବୁ ନୀତିକାନ୍ତିରେ ସାମିଲ ହୋଇଥିଲେ। ଏଠାରେ ଡାକ୍ତର ପ୍ରହରାଜ ନିଜେ ରଥରେ ଛେରା ପହଁରା କରିଥିଲେ। ଶ୍ରୀଜୀଉଙ୍କ ସବୁ ନୀତି ସରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା।

“ଚଳିତବର୍ଷ ବାହାରିନରେ ବହୁ ଆନନ୍ଦ ଉତ୍ସାହର ସହିତ କୌଣସି ପ୍ରତିବନ୍ଧକ ବିନା ପବିତ୍ର ବାହୁଡ଼ା ରଥଯାତ୍ରା ପାଳନ କରାଯାଇଛି। ଏହି ଯାତ୍ରାରେ ପ୍ରାୟ ସାଢ଼େ ୩ ହଜାରରୁ ଅଧିକ ଭକ୍ତ ସାମିଲ ହୋଇଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ପନ୍ଦନରେ ହଜାର ହଜାର ଭକ୍ତଙ୍କ ଗହଣରେ ଏଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା”, କହିଛନ୍ତି ଡାକ୍ତର ଅରୁଣ କୁମାର ପ୍ରହରାଜ।

ସେ ଆହୁରି ମଧ୍ୟ କହିଛନ୍ତି, “ବାହାରିନ ଭଳି ମୁସଲିମ ରାଷ୍ଟ୍ରରେ ରଥଯାତ୍ରା ପାଳନ ହେବା ପ୍ରକୃତରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ। ଆମକୁ ଏଭଳି ଧାର୍ମିକ ସ୍ଵାଧୀନତା ପ୍ରଦାନ କରାଯାଇଥିବାରୁ ମୁଁ ବାହାରିନର ରାଜାଙ୍କୁ ଧନ୍ୟବାଦ ଜଣାଉଛି।”

ଚଳିତବର୍ଷ ପୁରୀ ଶ୍ରୀମନ୍ଦିରର ସମୟ ଓ ନୀତିକାନ୍ତିକୁ ଅନୁସରଣ କରି ବହାରିନରେ ବହୁ ଆଡ଼ମ୍ବରରେ ବାହୁଡ଼ା ଯାତ୍ରା ପାଳନ କରାଯାଇଥିଲା। ଏଠାରେ ଓଡ଼ିଆ ସମାଜ ପକ୍ଷରୁ ଶ୍ରୀଜୀଉଙ୍କ ରଥଯାତ୍ରା ପାଳିତ ହୋଇଆସୁଛି।

Tags: #BahudaJatra #IskconJagannathTemple #BahrainOdiaSamaj #Bahrain

 

Comment