ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବା ପରେ ଜାତୀୟ ରାଜନୀତି ହୋଇଯାଇଛି ସର୍‌ଗରମ୍

ଲୋକସଭାରେ ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ଏବେ ସବୁ ଦଳ ନିଜ ନିଜର ଗଣିତ ଓ କେମିଷ୍ଟ୍ରି ପେପର ଉପରେ ଆଖି ପକାଇବା ଆରମ୍ଭ କରିଛନ୍ତି। ଉଭୟ ଶାସକ ଓ ବିରୋଧୀ ଦଳ ନିଜ ନିଜ ଗଡ଼ ରକ୍ଷା କରିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ। ତେବେ ଭୋଟିଂ ପରେ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ୨୦୧୯ ସାଧାରଣ ନିର୍ବାଚନରେ ସବୁ ଦଳ ପାଇଁ ବହୁତ କିଛି କରିବା ପାଇଁ ବାକି ରହିଛି। ବିରୋଧୀଙ୍କ ୧୮ ଭୋଟ କୁଆଡ଼େ ଗଲା ତାକୁ ନେଇ ଖୋଳତାଡ଼ ଚାଲିଛି।

ଶୁକ୍ରବାର ଦିନ ଅନାସ୍ଥା ପ୍ରସ୍ତାବକୁ ନେଇ ଯେଉଁ ଭୋଟିଂ ହେଲା ସେଥିରେ ବିରୋଧୀ ଦଳମାନେ ୧୨୬ଟି ଭୋଟ ପାଇଲେ। କିନ୍ତୁ ପୂର୍ବରୁ ପରିସ୍ଥିତି ଅଲଗା ଥିଲା। ଅବିଶ୍ୱାସ ପ୍ରସ୍ତାବ ପାଇଁ ଭୋଟିଂ ହେବ ବୋଲି ଘୋଷଣା କରାଯିବା ପରେ ବିରୋଧୀ ଦଳର ସଦସ୍ୟଙ୍କ ସଂଖ୍ୟା ୧୪୪ରେ ପହଞ୍ଚିଯାଇଥିଲା।

ମୋଦି ସରକାର ବିରୋଧରେ ଯେଉଁ ଦଳ ସବୁ ଭୋଟ ଦେଇଥାନ୍ତେ ସେମାନଙ୍କ ସଂଖ୍ୟା ଏଭଳି କିଛି ଥିଲା: ୟୁପିଏ ୬୪, ଟିଡିପି ୧୧, ବାମପନ୍ଥୀ ୧୧, ସମାଜବାଦୀ ପାର୍ଟି ୬ ଓ ଅନ୍ୟାନ୍ୟ ଛୋଟ ଦଳର ସଦସ୍ୟଙ୍କୁ ମିଶାଇଲେ ମୋଟ ୧୪୪। ମାତ୍ର ୧୨୬ ଜଣ ଭୋଟ ଦେଇଥିବାରୁ ପ୍ରଶ୍ନ ଉଠେ ଏହି ସାଂସଦମାନେ କେଉଁ ଦଳର ଯିଏ କି ସରକାରଙ୍କ ବିରୋଧରେ ଭୋଟ ଦେଇନଥିଲେ।

ସୋମବାର ଦିନ ପ୍ରକୃତରେ ଜଣାପଡ଼ିବ କେଉଁ ଦଳର କେତେ ଜଣ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଶୁଣାଯାଉଛି କଂଗ୍ରେସର ହିଁ ତିନି ଜଣ ସାଂସଦ ସେଦିନ ଗୃହରେ ଅନୁପସ୍ଥିତ ଥିଲେ। କଂଗ୍ରେସ ପକ୍ଷରୁ କିନ୍ତୁ ସଂଖ୍ୟା ଉପରେ ଏତେ ଗୁରୁତ୍ୱ ଦିଆଯାଉନାହିଁ। ଦଳର ଜଣେ ବରିଷ୍ଠ ନେତାଙ୍କ ଯୁକ୍ତି ହେଉଛି ଯେ ମୂଳରୁ ହିଁ ଆମେ ଜାଣିଥିଲୁ ଆମ ପାଖରେ ସଂଖ୍ୟା ନାହିଁ ଓ ସରକାରଙ୍କର କିଛି କ୍ଷତି ହେବ ନାହିଁ। ତେବେ କଂଗ୍ରେସର ମତ ପଛରେ କେତେ ସମର୍ଥନ ରହିଛି ତାହା ଜାଣିବାକୁ ଚାହୁଁଥିଲା।

ଅନାସ୍ଥା ପ୍ରସ୍ତାବ ସରିବା ପରେ ବର୍ତ୍ତମାନ ବିରୋଧୀ ଦଳର ଚିନ୍ତା ହେଉଛି ଆଗକୁ କେମିତି ବଢ଼ିବେ। ମୋଦି ସରକାରକୁ ହରଡ଼ଘଣାରେ ପକାଇବା ପାଇଁ ଯେଉଁ ଯୋଜନା ପ୍ରସ୍ତୁତ ହୋଇଥିଲା ତାହା ବିଶେଷ କାମ ଦେଲାନାହିଁ ବୋଲି କଂଗ୍ରେସର ନେତାମାନେ ଅନୁଭବ କରୁଛନ୍ତି।

କଂଗ୍ରେସ ପ୍ରତିଶ୍ରୁତି ମୁତାବକ ଭୋଟ ଯୋଗାଡ଼ କରିବା ତ ଦୂରର କଥା କିଛି ସହଯୋଗୀ ଦଳ ପଛଘୁଞ୍ଚା ଦେଇଥିଲେ। ତେଣେ ଏନଡିଏ କିନ୍ତୁ ଗୋଟିଏ ନୂଆ ସହଯୋଗୀ ପାଇଥିଲା। ସେହି ଦଳ ହେଉଛି ଏଆଇଏଡିଏମ୍‌କେ।

ସେହିଭଳି ଫେଡେରାଲ ଫ୍ରଣ୍ଟ କଥା କହୁଥିବା ଚନ୍ଦ୍ରଶେଖରଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ବିରୋଧୀମାନଙ୍କ ଠାରୁ ନିଜକୁ ଦୂରେଇ ରଖିବା ନିମନ୍ତେ ଉଦ୍ୟମ କରିଥିଲା। ଏଣୁ ବିରୋଧୀ ଦଳ ପକ୍ଷରୁ ଯେଉଁ ଅଙ୍କ କଷା ଯାଇଥିଲା ତାହା ଆପାତତଃ ଫେଲ ମାରିଛି। ଏଣେ ବିଜେପି ନେତୃତ୍ୱରେ ଚାଲିଥିବା ଏନଡିଏ ସରକାର ଅନାସ୍ଥା ଭୋଟରୁ ବର୍ତ୍ତିଯାଇ ଥାଇପାରେ। କିନ୍ତୁ ବିଜେପି ଜାଣିଛି ଅସଲ ସମସ୍ୟାଟି କେଉଁଠି ରହିଛି।

ମେଣ୍ଟର ସହଯୋଗୀ ଶିବସେନାକୁ ମନେଇବାରେ ବିଜେପିର ନେତାମାନେ ସଫଳ ହୋଇନଥିଲେ। ବରଂ ଏଆଇଏଡିଏମକେର ୩୪ ଜଣ ସାଂସଦ ସରକାରଙ୍କ ସପକ୍ଷରେ ଭୋଟ ଦେବାରୁ ଅବିଶ୍ୱାସ ପ୍ରସ୍ତାବ ସପକ୍ଷରେ ୩୨୫ ଭୋଟ ପଡ଼ିଥିଲା। ମୋଟାମୋଟି ଦେଖିବାକୁ ଗଲେ ୨୦୧୯ ମହାସମର ପୂର୍ବରୁ ସବୁ ଦଳକୁ ସେମାନଙ୍କର ରଣନୀତି ସଜାଡ଼ିବାକୁ ପଡ଼ିବ।

ଅନାସ୍ଥା ପ୍ରସ୍ତାବ ପରେ ଆଗାମୀ ଦିନରେ ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ହେବ। କିଏ କାହା ସହିତ ରହିବ ତାହା ଆସନ୍ତା କିଛି ସପ୍ତାହ ଭିତରେ ସ୍ପଷ୍ଟ ହୋଇଯିବ।

LEAVE A REPLY

Please enter your comment!
Please enter your name here