ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ବିଶ୍ୱକପ ହକି ପ୍ରତିଯୋଗିତାରେ ଭାରତ ତାହାର ପ୍ରଥମ ମ୍ୟାଚକୁ ଅମୀମାଂସିତ ରଖିଛି।
ଆରମ୍ଭ ହୋଇଛି ମହିଳା ହକି ବିଶ୍ୱକପ୍। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍ ଖେଳୁଥିବା ଭାରତ ପ୍ରଥମ ମ୍ୟାଚ୍ରେ ଆୟୋଜକ ତଥା ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଇଂଲଣ୍ଡକୁ ହରାଇବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି।
୫୩ ମିନିଟ୍ ପର୍ଯ୍ୟନ୍ତ ଆଗୁଆ ରହିବା ସତ୍ତ୍ୱେ ଖେଳ ଶେଷ ହେବାର ମାତ୍ର ୬ ମିନିଟ୍ ପୂର୍ବରୁ ଗୋଲ୍ ବରଣ କରି ଏହି ମ୍ୟାଚ୍କୁ ୧-୧ରେ ଅମୀମାଂସିତ ରଖିଛି।
ଆରମ୍ଭରୁ ହିଁ ଭାରତୀୟ ମହିଳା ଦଳ ଲଢ଼ୁଆ ହକି ଖେଳି ଉଚ୍ଚ ପ୍ରଶଂସିତ ହୋଇଛି। ବିଶ୍ୱମାନ୍ୟତାର ଦଶମ ସ୍ଥାନରେ ଥିବା ଭାରତ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ବିଜୟରୁ ଅଟକାଇବାକୁ ଭାରତ ପାଇଁ ଏକ ବଡ଼ ସଫଳତା।
ପ୍ରଥମ କ୍ୱାର୍ଟରର ଏକ ମିନିଟରେ ଇଂଲଣ୍ଡକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଭାରତୀୟ ରକ୍ଷଣଭାଗ ଖେଳାଳି ଏହାକୁ ଅଟକାଇବାରେ ସଫଳ ହୋଇଥିଲେ। ଇଂଲଣ୍ଡ ଦଳ ଆକ୍ରମଣ ଜାରି ରଖି ୮ମ ମିନିଟରେ ଦ୍ୱିତୀୟ ପେନାଲଟି କର୍ଣ୍ଣର ହାସଲ କରିଥିଲା। ତେବେ ଇଂଲଣ୍ଡ ଖେଳାଳିଙ୍କ ସଟ୍ ଭାରତୀୟ ଗୋଲପୋଷ୍ଟ ବାହାରକୁ ଚାଲିଯାଇଥିଲା।
ଭାରତୀୟ ଦଳ ପ୍ରତିଆକ୍ରମଣ ଜରିଆରେ କେତେକ ସୁଯୋଗ ସୃଷ୍ଟି କରିଥିଲେ ସୁଦ୍ଧା ଇଂଲଣ୍ଡ ‘ଡି’ ଏରିଆରେ ପ୍ରବେଶ କରିବାରେ ସଫଳ ହୋଇନଥିଲେ। ଫଳରେ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଇଂଲଣ୍ଡ ଦଳକୁ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା।
୧୬ ମିନିଟରେ ଇଂଲଣ୍ଡ ଖେଳାଳି ଡାନ୍ସନଙ୍କ ସଟ୍ ଅଳ୍ପକେ ଭାରତୀୟ ଗୋଲପୋଷ୍ଟ ବାହାରକୁ ଚାଲିଯାଇଥିଲା। ୧୯ ମିନିଟରେ ଭାରତୀୟ ଅଧିନାୟିକା ରାଣୀ ରାମପାଲ ଚମତ୍କାର ଭଙ୍ଗିରେ ଡ୍ରିବଲିଂ କରି ଇଂଲଣ୍ଡ ‘ଡି’ ଅଞ୍ଚଳରେ ପ୍ରବେଶ କରିଥିଲେ ସୁଦ୍ଧା ବଲକୁ ନିୟନ୍ତ୍ରଣରେ ରଖିପାରିନଥିଲେ। ୨୨ ମିନିଟରେ ଇଂଲଣ୍ଡକୁ ୩ୟ ପେନାଲଟି କର୍ଣ୍ଣର ମିଳିଥିଲା।
ଭାରତ ଏହାର ପ୍ରତିବାଦ କରିଥିଲେ ସୁଦ୍ଧା ଭିଡିଓ ଫୁଟେଜ ରିପୋର୍ଟ ଇଂଲଣ୍ଡ ସପକ୍ଷରେ ଯାଇଥିଲା। ତେବେ ଇଂଲଣ୍ଡ ଖେଳାଳିଙ୍କ ସଟ୍ ଭାରତୀୟ ଡିଫେଣ୍ଡରଙ୍କ ଶରୀରରେ ବାଜିବା ଫଳରେ ଅମ୍ପାୟାର ଇଂଲଣ୍ଡକୁ ପେନାଲଟି ଷ୍ଟ୍ରୋକ୍ ନିର୍ଦେଶ ଦେଇଥିଲେ। ଭାରତ ପୁଣିି ଏହାର ପ୍ରତିବାଦ କରିଥିଲା।
ଭିଡିଓ ଅମ୍ପାୟାର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ଇଂଲଣ୍ଡକୁ ୪ର୍ଥ ପେନାଲଟି କର୍ଣ୍ଣର ନିର୍ଦେଶ ଦେଇଥିଲେ। ତେବେ ଇଂଲଣ୍ଡ ଖେଳାଳିଙ୍କ ସଟ୍କୁ ଭାରତୀୟ ଗୋଲରକ୍ଷକ ସବିତା ଚମତ୍କାର ଭଙ୍ଗିରେ ଅଟକାଇ ଦଳକୁ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ପ୍ରବଳ ଚାପ ସତ୍ତ୍ବେ ଭାରତ ପ୍ରତିଆକ୍ରମଣ ଜାରି ରଖିଥିଲା। ଇଂଲଣ୍ଡ ‘ଡି’ ଏରିଆ ବାହାରୁ ନିକି ପ୍ରଧାନଙ୍କଠାରୁ ପାଇଥିବା ପାସ୍କୁ ନେହା ଗୋଏଲ ଗୋଲରେ ପରିବର୍ତ୍ତନ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ।
ଇଂଲଣ୍ଡ ଏହାର ପ୍ରତିବାଦ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ଫଳରେ ମଧ୍ୟାନ୍ତର ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା।
ବିରତି ପରେ ଇଂଲଣ୍ଡ ଦଳ ଗୋଲ ପରିଶୋଧ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲା। ତୃତୀୟ କ୍ୱାର୍ଟରର ୪ର୍ଥ ମିନିଟରେ ଭାରତୀୟ ‘ଡି’ ଅଞ୍ଚଳରେ ଫାଉଲକୁ କେନ୍ଦ୍ରକରି ଇଂଲଣ୍ଡ ଦଳ ପେନାଲଟି କର୍ଣ୍ଣର ପାଇଁ ଦାବି କରିଥିଲା। ତେବେ ଇଂଲଣ୍ଡ ଦଳର ରିଭ୍ୟୁ ଆବେଦନ ସୁଯୋଗ ଶେଷ ହୋଇଥିବାରୁ ଏହି ଆବେଦନ ମୂଲ୍ୟହୀନ ହୋଇ ପଡିଥିଲା। ଗୋଲ ସୁଝାଇବାକୁ ଇଂଲଣ୍ଡ ଦଳ ପଡିଆର ଉଭୟ ପାର୍ଶ୍ବରୁ ଆକ୍ରମଣ ଜାରି ରଖିଥିଲେ ସୁଦ୍ଧା ଗୋଲରକ୍ଷକ ସବିତାଙ୍କୁ ପରାସ୍ତ କରିପାରିନଥିଲା। ଏହି କ୍ୱାର୍ଟରରେ କେହି କାହାରିକୁ ଗୋଲ ଦେଇପାରିନଥିଲେ।
ଫଳରେ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ସ୍କୋରଲାଇନ ଭାରତ ସପକ୍ଷରେ ୧-୦ ରହିଥିଲା। ଚତୁର୍ଥ କ୍ୱାର୍ଟରର ୩ ମିନିଟ ଅର୍ଥାତ ୪୮ ମିନିଟରେ ଇଂଲଣ୍ଡକୁ ୬ଷ୍ଠ ପେନାଲଟି କର୍ଣ୍ଣର ମିଳିଥିଲା। ସବିତା ଏହାକୁ ପୁଣି ଅଟକାଇ ଇଂଲଣ୍ଡ ଦଳକୁ ନିରାଶ କରିଥିଲେ ସୁଦ୍ଧା ଇଂଲଣ୍ଡକୁ ପୁଣି ଏକ ପେନାଲଟି କର୍ଣ୍ଣର ମିଳିଥିଲା। ଏଥର ଇଂଲଣ୍ଡ ଖେଳାଳିଙ୍କ ସଟ୍ ଗୋଲରକ୍ଷକ ସବିତାଙ୍କୁ ପରାସ୍ତ କରିଥିଲେ ସୁଦ୍ଧା ଗୋଲଲାଇନ ଉପରେ ସତର୍କ ରହିଥିବା ଓଡ଼ିଆ ଖେଳାଳି ସୁନିତା ଲାକ୍ରା ଷ୍ଟିକ୍ ସାହାଯ୍ୟରେ ବଲକୁ ବାହାର କରିଦେଇଥିଲେ।
ଏହି କ୍ୱାର୍ଟରର ୫୩ ମିନିଟରେ ଇଂଲଣ୍ଡକୁ କ୍ରମାଗତ ଦୁଇଟି ପେନାଲଟି କର୍ଣ୍ଣର ମିଳିଥିଲା। ପ୍ରଥମ ସୁଯୋଗ ବେକାର ଯାଇଥିବାବେଳେ ଦ୍ୱିତୀୟ ପେନାଲଟି କର୍ଣ୍ଣରରେ ଭାରତୀୟ ଡିଫେଣ୍ଡରଙ୍କ ଅସାବଧାନତାର ସୁଯୋଗ ନେଇ ଲିଲି ଓସ୍ଲେ ଇଂଲଣ୍ଡ ପକ୍ଷରୁ ଗୋଲ ପରିଶୋଧ କରିଥିଲେ। ଅନ୍ତିମ ଲଗ୍ନରେ ଉଭୟ ଦଳ ଗୋଲ ଦେବାକୁ ଉଦ୍ୟମ ଜାରି ରଖିଥିଲେ ସୁଦ୍ଧା ମ୍ୟାଚ ଶେଷରେ ୧-୧ ଗୋଲରେ ଅମୀମାଂସିତ ରହିଥିଲା।
ଆସନ୍ତା ୨୬ରେ ଭାରତ ଦ୍ୱିତୀୟ ମ୍ୟାଚରେ ଆୟରଲାଣ୍ଡକୁ ଭେଟିବ।
















