ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଗୀକୁ ଆଖିରେ ନ ଦେଖି, ରୋଗ ପରୀକ୍ଷା ନ କରି ଔଷଧ ଦେବା ଦଣ୍ଡନୀୟ – ମତ ଦେଇଛନ୍ତି ବମ୍ବେ ହାଇକୋର୍ଟ।
ଡାକ୍ତରଙ୍କ ପାଖକୁ ଗଲେ ଖର୍ଚ୍ଚ ଅଧିକ। ସମୟ ବି ଅଧିକ। ଏଇ ମନୋବୃତ୍ତିରୁ ଅନେକ ଲୋକ ଡାକ୍ତରଙ୍କ ପାଖକୁ ଯିବାକୁ ଅମଙ୍ଗ ହୁଅନ୍ତି। ଔଷଧ ଦୋକାନୀଙ୍କୁ ପଚାରି ଔଷଧ ନେଇ ଖାଇବା ସାଧାରଣ କଥା, ଯାହାକି ଆଦୌ ଠିକ୍ ନୁହେଁ।
ସେହିଭଳି କେତେକ ଡାକ୍ତର ବି ପରିଚିତ ଲୋକଙ୍କୁ ଫୋନରେ ପରାମର୍ଶ ଦେବା ସହିତ ଔଷଧ ଡାକି ଦେବା ଘଟଣା ବି ବିରଳ ନୁହେଁ। କିନ୍ତୁ ଏହା ବି ଆଇନ ଅନୁମୋଦିତ ନୁହେଁ। ବରଂ ସ୍ଥଳବିଶେଷରେ ଗୁରୁତର ଅପରାଧ। ରୋଗୀଙ୍କର ମୃତ୍ୟୁ ଘଟିଲେ, ଡାକ୍ତରଙ୍କ ବିରୋଧରେ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ଥିବା ଉଦ୍ଦେଶ୍ୟ ନ ଥାଇ ହତ୍ୟା ମାମଲା ବି ଚାଲିପାରେ।
ରୋଗୀକୁ ଆଖିରେ ନ ଦେଖି, ରୋଗ ପରୀକ୍ଷା ନ କରି ଔଷଧ ଦେବା ଦଣ୍ଡନୀୟ। ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁ ଅଭିଯୋଗ ଥିବା ଏକ ମାମଲାରେ ଏହି ମତ ଦେବା ସହିତ ଅଭିଯୁକ୍ତ ଡାକ୍ତର ଦମ୍ପତିଙ୍କ ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି ବମ୍ବେ ହାଇକୋର୍ଟ।
ଅଭିଯୁକ୍ତ ଡାକ୍ତର ଦମ୍ପତି ହେଲେ ଦୀପା ପାୱସକର ଏବଂ ତାଙ୍କ ସ୍ୱାମୀ ସଞ୍ଜୀବ ପାୱସକର। ଦୁହେଁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ। ମହାରାଷ୍ଟ୍ରର ରତ୍ନଗିରିରେ ଡାକ୍ତରଖାନା ଚଳାଉଛନ୍ତି। ସେମାନଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାର ବିବରଣୀ ଅନୁସାରେ ଗତ ଫେବ୍ରୁଆରି ମାସରେ ଏହି ଡାକ୍ତରଖାନାରେ ଜଣେ ଗର୍ଭବତୀ ମହିଳା ଭର୍ତ୍ତି ହୋଇଥିଲେ। ସିଜାରିଆନ୍ ଅପରେସନ୍ ଦ୍ୱାରା ସେ ପ୍ରସବ କରିଥିଲେ। ଅପରେସନ୍ର ଦୁଇଦିନ ପରେ ଉଭୟ ମାଆ ଓ ଶିଶୁଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଥିଲା। ଉଭୟ ସ୍ୱାଭାବିକ ଏବଂ ସୁସ୍ଥ ଅବସ୍ଥାରେ ଘରକୁ ଫେରିଥିଲେ। କିନ୍ତୁ ଘରକୁ ଫେରିବାର ଦିନକ ପରେ ମହିଳା ଜଣକ ଅସୁସ୍ଥ ହୋଇପଡ଼ିଲେ।
ପରିବାର ଲୋକେ ଡାକ୍ତର ଦୀପାଙ୍କୁ ଫୋନ୍ କରିଥିଲେ। କୌଣସି ଏକ ଔଷଧ ଦୋକାନକୁ ଯାଇ ସେଠାରୁ ତାଙ୍କୁ ଫୋନ୍ କରିବାକୁ ଦୀପା କହିଥିଲେ। ସେହି ଅନୁସାରେ ମହିଳାଙ୍କ ସଂପର୍କୀୟ ଔଷଧ ଦୋକାନକୁ ଯାଇ ଫୋନ୍ କରିଥିଲେ ଏବଂ ଦୀପା ଔଷଧ ଦୋକାନୀଙ୍କୁ ଔଷଧ ଡାକି ଦେଇଥିଲେ। ଏହି ଔଷଧ ଦେବା ପରେ ମଧ୍ୟ ମହିଳାଙ୍କ ଅବସ୍ଥା ସୁଧୁରି ନ ଥିଲା ଏବଂ ତାଙ୍କୁ ପୁଣି ଦୀପା ଓ ସଞ୍ଜୀବଙ୍କ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେତେବେଳେ ଡାକ୍ତର ଦମ୍ପତି ଡାକ୍ତରଖାନାରେ ନ ଥିଲେ। ପୁଣି ସେମାନଙ୍କ ସହ ଟେଲିଫୋନ୍ରେ ଯୋଗାଯୋଗ କରାଯାଇଥିଲା। ଅସୁସ୍ଥ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସେମାନେ ପରାମର୍ଶ ଦେଇଥିଲେ।
ଡାକ୍ତରଖାନାରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଏବଂ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପାୱସକର ଦମ୍ପତିଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଲା ବୋଲି ସେଠାକାର ଡାକ୍ତରମାନେ ମତ ଦେଇଥିଲେ। ମହିଳାଙ୍କ ପରିବାର ଲୋକେ ଦୀପା ଓ ସଞ୍ଜୀବ ପାୱସକରଙ୍କ ବିରୋଧରେ ମାମଲା ଦାୟର କରିଥିଲେ।
ଡାକ୍ତର ଦମ୍ପତିଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୦୪ ଧାରା ଅନୁସାରେ ଉଦ୍ଦେଶ୍ୟବିହୀନ ହତ୍ୟା ମାମଲା ଦାୟର କରିଥିଲା ପୋଲିସ। ଏହି ମାମଲାରେ ଆଗୁଆ ଜାମିନ ପାଇଁ ପାୱସକର ଦମ୍ପତି ହାଇକୋର୍ଟରେ ଆବେଦନ କରିଥିଲେ। ବମ୍ବେ ହାଇକୋର୍ଟ ବିଚାରପତି ସାଧନା ଯାଦବ ଏହି ଆବେଦନକୁ ନାକଚ କରିଦେଇଛନ୍ତି। ଡାକ୍ତର ରୋଗୀଙ୍କୁ ନ ଦେଖି, ରୋଗପରୀକ୍ଷା ନ କରି ଟେଲିଫୋନରେ ଔଷଧ ଦେବା ଗୁରୁତର ଅପରାଧ ବୋଲି ବିଚାରପତି ମତ ଦେଇଛନ୍ତି।
ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଡାକ୍ତର ଦମ୍ପତିଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଧ୍ୟ ବିଚାରପତି ଖାରଜ କରିଦେଇଛନ୍ତି। ଏପରିକି ଏହି ମାମଲାକୁ ଆପରାଧିକ ଅବହେଳା ସଂପର୍କିତ ଭାରତୀୟ ଦଣ୍ଡବିଧି ଆଇନର ୩୦୪(କ) ଦଫାରେ ଚଳାଇବାକୁ ମଧ୍ୟ ମନା କରିଦେଇଛନ୍ତି। ଡାକ୍ତର ଦମ୍ପତିଙ୍କ ବିରୋଧରେ ୩୦୪ ଦଫାରେ ଉଦ୍ଦେଶ୍ୟ ନ ଥାଇ ହତ୍ୟା ମାମଲା ଚଳାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୩୦୪(କ) ଦଫାରେ ସର୍ବାଧିକ ଦୁଇବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିଥିବା ବେଳେ ୩୦୪ ଦଫାରେ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ।