ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଏବଂ ମହାରାଷ୍ଟ୍ର ସରକାର ମୁହାଁମୁହିଁ ହେବା ପରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍‌ସି) ଆକ୍ରୋଶମୂଳକ ଭାବେ କଙ୍ଗନାଙ୍କ ଅଫିସ୍ ଭାଙ୍ଗିଥିଲା। ତେଣୁ ବିଏମ୍‌ସିକୁ କ୍ଷତିପୂରଣ ଦେବାକୁ ପଡ଼ିବ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଶୁକ୍ରବାର ଏହି ମାମଲାର ବିଚାର କରି କୋର୍ଟ ଏଭଳି ରାୟ ପ୍ରକାଶ କରିଛନ୍ତି।

କୋର୍ଟ ନିଜ ରାୟରେ କହିଛନ୍ତି ଯେ, କଙ୍ଗନାଙ୍କୁ ଧମକାଇବା ପାଇଁ ବିଏମ୍‌ସି ଏଭଳି କାମ କରିଛି। ଏହାକୁ ମନ୍ଦ ଉଦ୍ଦେଶ୍ୟ ରଖି କରାଯାଇଥିଲା। ତେଣୁ ବିଏମ୍‌ସିକୁ କ୍ଷତିପୂରଣ ଦେବାକୁ ପଡ଼ିବ। ଅନ୍ୟପଟେ କଙ୍ଗନାଙ୍କ ବିବାଦୀୟ ବୟାନ ଉପରେ ମଧ୍ୟ ହାଇକୋର୍ଟ ନିଜ ମତ ରଖିଛନ୍ତି। କିଛି କହିବା ବା ଟୁଇଟ୍ କରିବା ବେଳେ ସଂଯମତା ରକ୍ଷା କରିବା ଉଚିତ ବୋଲି କୋର୍ଟ କହିଛନ୍ତି।

କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ କଙ୍ଗନା ଖୁସି ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି, “ଯେତେବଳେ କୌଣସି ବ୍ୟକ୍ତି ସରକାରଙ୍କ ବିରୋଧରେ ଯାଇ ବିଜୟୀ ହୁଏ ସେତେବେଳେ କେବଳ ସେହି ଲୋକ ନୁହେଁ, ବରଂ ଗଣତନ୍ତ୍ରର ବିଜୟ ହୋଇଥାଏ। ଯେଉଁମାନେ ମୋତେ ସାହସ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ। ଏଥିସହ ଯେଉଁମାନେ ମୋ ଭାଙ୍ଗିଥିବା ସ୍ଵପ୍ନ ଉପରେ ହସୁଥିଲେ ସେମାନଙ୍କୁ ମଧ୍ୟ ଧନ୍ୟବାଦ।”

ଗତ ସେପ୍ଟେମ୍ବର ୯ ତାରିଖରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଦର୍ଶାଇ କଙ୍ଗନାଙ୍କ ଅଫିସ୍ ଭାଙ୍ଗିଥିଲା ବିଏମ୍‌ସି। ଏହା ବିରୋଧରେ କଙ୍ଗନା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି କୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ। କିନ୍ତୁ କୋର୍ଟଙ୍କ ରାୟ ଆସିବା ବେଳକୁ ଅଫିସ୍‌ର ଅଧାରୁ ଅଧିକ ଅଂଶକୁ ବିଏମ୍‌ସି ଭାଙ୍ଗି ସାରିଥିଲା। ତେଣୁ କ୍ଷତିପୂରଣ ବାବଦକୁ କଙ୍ଗନା ୪୮ କୋଟି ଟଙ୍କା ଦାବି କରିଥିଲେ।

Comment