ଓଡ଼ିଶାଲାଇଭ୍ ବ୍ୟୁରୋ
ଫାଇଲ୍ ଫଟୋ କୁମ୍ଭୀର ମୁହଁରୁ ବଡ଼ ଭଉଣୀକୁ ବଞ୍ଚାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ବାଙ୍କୁଆଳ ଗାଁର ମମତା ଦଳାଇଙ୍କୁ ଦିଲ୍ଲୀରୁ ପୁଣି ଆସିଛି ଡାକରା। ସାହସିକତା ପୁରସ୍କାର ପାଇବା ପରେ ଅଗଷ୍ଟ ୧୫ରେ ‘ଜୀବନ ସୁରକ୍ଷା ସମ୍ମାନ’ରେ ସମ୍ମାନିତ ହେବେ ମମତା।
ନାରାୟଣ ସାହାଣୀ, (କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଡାଙ୍ଗମାଳ ପଞ୍ଚାୟତର ବାଙ୍କୁଆଳ ଗାଁରେ ଏବେ ଖୁସିର ଲହରୀ। ଆସନ୍ତା ସ୍ୱାଧୀନତା ଦିବସରେ ଏହି ଗାଁର ୭ ବର୍ଷର କୁନିଝିଅ ମମତା ଦଳାଇ ରଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଗ୍ରହଣ କରିବାକୁ ଯାଉଛନ୍ତି ଜୀବନ ସୁରକ୍ଷା ସମ୍ମାନ। ଗତ ଜାନୁଆରୀ ୨୬ ତାରିଖରେ ମମତା ମଧ୍ୟ ରଷ୍ଟ୍ରପତିଙ୍କଠାରୁ ପାଇଥିଲେ ସାହସିକତା ସମ୍ମାନ। ଆଜି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ମମତାଙ୍କୁ ଭାରତ ସରକାର ଦେଇଥିବା ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। କୁମ୍ଭୀର ମୁହଁରୁ ମମତା ତାଙ୍କର ଜଣେ ସମ୍ପର୍କିୟା ଭଉଣିର ଜୀବନ ରକ୍ଷା କରିବାକୁ ସମର୍ଥ ହୋଇଥିବାରୁ ତାଙ୍କୁ ଏପରି ସମ୍ମାନଜନକ ପଦକ ମିଳିଛି।
ମମତା ଦଳାଇ। ନିର୍ମଳ ଦଳାଇଙ୍କର ୬ ବର୍ଷ ଝିଅ। ଘର କେନ୍ଦ୍ରାପଡ଼ା ଜିଲ୍ଲାର ଉପାନ୍ତ ଅଞ୍ଚଳ ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତର ବାଙ୍କୁଆଳ ଗାଁରେ। ସେଦିନ ଥିଲା ୨୦୧୭ ମସିହା ଏପ୍ରିଲ ୬ ତାରିଖ। ମମତା ଓ ତାଙ୍କ ସମ୍ପର୍କିୟା ବଡ଼ ଭଉଣି ଅଶାନ୍ତି ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ପୋଖରୀରେ ଲୁଚି ରହିଥିବା ଏକ ୪ ଫୁଟ ଲମ୍ବର କୁମ୍ଭୀର ହଠାତ ଅଶାନ୍ତି ଦଳାଇଙ୍କ ଡାହାଣ ହାତକୁ କାମୁଡି ଧରି ପୋଖରୀ ମଧ୍ୟକୁ ଟାଣି ନେବାକୁ ବସିଲା। ହେଲେ ପାଖରେ ଥିବା ମମତା କୁମ୍ଭୀରକୁ ଭୟ ନକରି ଭଉଣି ଅଶାନ୍ତିଙ୍କର ବାମ ହାତକୁ ଭିଡ଼ି ଧରି ପାଟି କରିଥିଲେ। ମମତାଙ୍କର ଚିତ୍କାର ଶୁଣି କୁମ୍ଭୀରଟି ଅଶାନ୍ତିଙ୍କୁ ଛାଡ଼ିଦେଲା। ଫଳରେ ମରଣ ମୁହଁରୁ ଅଶାନ୍ତି ନୂଆ ଜୀବନ ପାଇ ଫେରିଲେ। ଏହି ଖବର ପ୍ରଚାର ହେବା ପରେ ମମତାଙ୍କୁ ପ୍ରଶାଂସା କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଧାଇଁ ଆସିଥିଲେ। ମମତାଙ୍କର ସାହସିକତା ସମ୍ପର୍କରେ ସରାକାରଙ୍କୁ ଅବଗତ କରାଇଥିଲେ।
ବାଙ୍କୁଆଳ ଗାଁରୁ ଏହି କଥା ଯାଇ ଦିଲ୍ଲୀ ଦରବାରରେ ପହଞ୍ଚିଲା। ଦିଲ୍ଲୀରୁ ଖବର ଆସିଲା କି ମମତାଙ୍କୁ ଭାରତ ସରକାର ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ସାହସିକତା ପୁରସ୍କାର ଦେବାକୁ ସ୍ଥିର କରିଛନ୍ତି। ସେଦିନ ମଧ୍ୟ ସାରା କେନ୍ଦ୍ରାପଡ଼ା ଜିଲ୍ଲାର ଲୋକେ ଖୁସି ହୋଇଯାଇଥିଲେ। ମମତାଙ୍କୁ ସାଙ୍ଗରେ ଧରି ତାଙ୍କର ବାପା ନିର୍ମଳ ଦଳାଇ ଦିଲ୍ଲୀରେ ପହଞ୍ଚି ରଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ସାହସିକତା ପୁରସ୍କାର ପଦକ ଗ୍ରହଣ କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ପ୍ରଶଂସାର ସାର୍ଟିଫିକେଟ୍ ପାଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ୍ ମଧ୍ୟ ମମତାଙ୍କୁ ସମ୍ମାନିତ କରିବାକୁ ଭୁଲି ନଥିଲେ।
ଏବେ ପୁଣି ମମତାଙ୍କ ପାଇଁ ଆଉ ଏକ ଖୁସିର ଖବର ଆସିଛି। ଏଥର ମମତାଙ୍କୁ ପୁଣି ଭରତ ସରକାର ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ଜୀବନ ସୁରକ୍ଷା ସମ୍ମାନରେ ସମ୍ମନିତ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷିରେ ରାଜ୍ୟ ସରକାରଙ୍କ ଜରିଆରେ ମମତାଙ୍କୁ ଆଗୁଆ ଭାରତ ସରକାର ୧ ଲକ୍ଷ ଟଙ୍କାର ଚେକ୍ ପଠାଇଛନ୍ତି। ଆସନ୍ତା ୨୨ ତାରିଖରେ ମମତା ତାଙ୍କ ବାପା ନିର୍ମଳ ଦଳାଇଙ୍କ ସହିତ ଦିଲ୍ଲୀ ଯିବେ।
ଗତ ୨୧ ତାରିଖରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଆଗରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କି ଯେଉଁମାନେ ଭାରତ ସରକାରଙ୍କ ପକ୍ଷରୁ ସାହସିକତା ପୁରସ୍କାର ପାଇବାକୁ ମନୋନିତ ହେବେ ସେମାନଙ୍କୁ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ଦେବେ।


















